ନୀଳବର୍ଣ୍ଣ ଶୃଗାଳ ମାନଙ୍କ ମୁଖା ଖୋଲିବାକୁ ହେବ, ଓଡ଼ିଶାର ପରିବର୍ତ୍ତନର ଶୁଭ ସଙ୍କେତ ଆଉ ବେଶୀ ଦୂର ନୁହେଁ ,ଧର୍ମେନ୍ଦ୍ର ପ୍ରଧାନ

0
369
ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଏଠାକାର ଶାସନତନ୍ତ୍ର ଭୁଷୁଡି ପଡିଥିବା କାରଣରୁ ମୋଦି ପଠାଉଥିବା ଟଙ୍କାର ୫୦ ଭାଗ ପିସି ହେଉଛି । ସରକାର ଅନ୍ୟ କାହାକୁ ଟେକି ଦିଆଯାଇଛି ବୋଲି ସୋମବାର ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

ANGUL/BHUBANESWAR:  ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଏଠାକାର ଶାସନତନ୍ତ୍ର ଭୁଷୁଡି ପଡିଥିବା କାରଣରୁ ମୋଦି ପଠାଉଥିବା ଟଙ୍କାର ୫୦ ଭାଗ ପିସି ହେଉଛି । ସରକାର ଅନ୍ୟ କାହାକୁ ଟେକି ଦିଆଯାଇଛି ବୋଲି ସୋମବାର ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ ଏହି ସମାବେଶରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଓଡ଼ିଶାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁମାନେ ଲୋକମାନଙ୍କ ଠାରୁ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି ସେମାନେ ଆଜି ବାବୁ ମାନଙ୍କର ଚେୟାର ଉଠାଉଛନ୍ତି । ତାଙ୍କର ସଭା ସମିତି ଆୟୋଜନ କରୁଛନ୍ତି । ଏ ପ୍ରକାର ଓଲଟା ଶାସନ ବ୍ୟବସ୍ଥା ପୃଥିବୀର କେଉଁ ଅଞ୍ଚଳରେ ହେଉନାହିଁ । ତେଣୁ ଲୋକକଲ୍ୟାଣ କଥା କିଏ ବୁଝିବ ? ନୀଳବର୍ଣ୍ଣ ଶୃଗାଳ ମାନଙ୍କ ମୁଖା ଖୋଲିବାକୁ ହେବ, ଓଡ଼ିଶାର ପରିବର୍ତ୍ତନର ଶୁଭ ସଙ୍କେତ ଆଉ ବେଶୀ ଦୂର ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୨୩ର ଲମ୍ବା ଶାସନରେ ଏଠାରେ ପଇବା ପାଣିର ସୁବିଧା ହୋଇନାହିଁ । ମୋଦି ସରକାରରେ ପିଏମ ଆବାସରେ ଓଡ଼ିଶାକୁ ୨୭ ଲକ୍ଷ ଘର ଆସିଛି । କିନ୍ତୁ ସ୍ଥାନୀୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଉନାହାନ୍ତି । ମୋଦି ସରକାର ନୀତି ତିଆରି କରି ଖଣି ରାଜସ୍ୱ ୫ ହଜାର କୋଟିରୁ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବଢାଇଛନ୍ତି । ସେହିଭଳି ଅନୁଗୋଳ ଜିଲ୍ଲା ମଧ୍ୟ ବିଗତ ୯ ବର୍ଷରେ ଓଡ଼ିଶାର ତହବିଲକୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଦେଇଛି । ଓଡ଼ିଶାର ୩.୨୫ କୋଟି ଲୋକଙ୍କୁ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି । ମାତ୍ର ଦୀପ ତଳ ଅନ୍ଧାର ଭଳି ଏହି ଅଞ୍ଚଳକୁ ଅଣଦେଖା କରାଯାଇଛି ।  ରାଜ୍ୟରେ ସରକାର ଅନ୍ୟ କାହାକୁ ଟେକି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦେଖା ଦର୍ଶନ ନାହିଁ ମିଳୁନି । ମନ୍ତ୍ରୀଙ୍କ ସୋର ଶବ୍ଦ ଶୁଣାଯାଉନାହିଁ । ବିଧାୟକ ଓ ଶାସକ ଦଳର ସାଂସଦଙ୍କ କଥା ନ କହିଲେ ଭଲ । ଆଜି ଓଡ଼ିଶାରେ ଏକ ଖରାପ ଅବସ୍ଥା ଅଛି । ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ଦୁର୍ନୀତି ପହଞ୍ଚିଛି । ଏହାକୁ ବଦଳାଇବା ପାଇଁ ବିଜେପି ବଡ ଜନଆନ୍ଦୋଳନର ପ୍ରସ୍ତୁତି କରୁଛି । ଲୋକଙ୍କ କଥାକୁ ପରିବର୍ତ୍ତନରେ ପହଞ୍ଚାଇବା ପାଇଁ ବିଜେପିର କାର୍ଯ୍ୟକର୍ତ୍ତାମାନେ କାମ କରୁଛନ୍ତି । ଓଡ଼ିଶାରେ ପରିବର୍ତ୍ତନର ଶୁଭ ସଙ୍କେତ ବେଶୀ ଦୂର ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ଯେ  ଚଷାଚାଷୀ ଅଞ୍ଚଳ ଛେଣ୍ଡିପଦାରେ ପ୍ରଧାନମନ୍ତ୍ରୀ ଆବାସରେ ଘର ଦେବା ପାଇଁ ମୋଦିଜୀ ପଠାଉଥିବା ଟଙ୍କା ଓଡ଼ିଶାରେ ବାଟମାରଣା ହେଉଛି । ପାନୀୟ ଜଳ, ଜଳସେଚନ ସମସ୍ୟା ସହିତ ଅଘୋଷିତ ବିଦ୍ୟୁତ୍ କାଟ ହେଉଛି । ଛେଣ୍ଡିପଦାକୁ ଆସୁଥିବା କମ୍ପାନୀମାନେ ଜମି ଅଧିଗ୍ରହଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଜାଣିଶୁଣି ତାଳଚେର ମେଡିକାଲର ପରିଚାଳନା ଦାୟିତ୍ୱ ନିଆଯାଉନାହିଁ । ମୋଦି ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ ବିକାଶ କାମରେ ନ ଲଗାଇ ଶାସକ ଦଳର କର୍ମୀଙ୍କ ପକେଟ୍ ଗରମ କରାଯାଉଛି । ଶାସନ ଗାଦିରେ ବସିଥିବା ଲୋକଙ୍କୁ ଦୁର୍ନୀତି ଉପରେ ପ୍ରଶ୍ନ କଲେ ଦଳର ଗୁମାସ୍ତାମାନେ କେବଳ ରାଗରେ ଗରଗର ହେଉଛନ୍ତି । ଅନୁଗୋଳର ମାଟି ରାଜା ସୋମନାଥ ସିଂହ, ପବିତ୍ର ମୋହନ ପ୍ରଧାନ ଏବଂ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ପରି ସାହସୀ ସଂଗ୍ରାମୀଙ୍କ ମାଟି । ଯେଉଁ ମାଟି ରାଜାରାଜୁଡା ଓ ବ୍ରିଟିଶ ମାନଙ୍କର ତୋପ ବନ୍ଧୁକଙ୍କୁ ଡରିନଥିଲା, ସେହି ଅଞ୍ଚଳର ସ୍ୱାଭିମାନୀ ଲୋକମାନେ କେବେ ବି ଶାସକ ଦଳର ବଚସ୍କରଙ୍କ କଥାରେ ଡରିବେ ନାହିଁ । ରାଜ୍ୟରେ ନୀଳବର୍ଣ୍ଣ ଶୃଗାଳ ମାନଙ୍କ ମୁଖା ଖୋଲିବାକୁ ହେବ । ୨୦୨୪ରେ ପରିବର୍ତ୍ତନ ହେବ । ଲୋକଙ୍କ ହିତରେ ପରିବର୍ତ୍ତନ ହେବ ।

ଆଜି ଦେଶରେ ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ କରିଥିବା କାମକୁ ଅନ୍ୟ ରାଷ୍ଟ୍ରମାନେ ଅନୁସରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳାରେ ଗ୍ୟାସ ଭଳି ଯୋଜନା ଓଡ଼ିଶା ସମେତ ଭାରତବର୍ଷର ଗରିବ ଲୋକଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି। ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ” ବିଚାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ “ସବକା ସାଥ-ସବକା ବିକାଶ”କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଭାଷଣରେ କହିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ଓ ନାଲକୋ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here