Union Education Minister attends 24th Convocation of Vivekananda Institute of Professional Studies in Delhi

0
62

By Our Correspondent 

BHUBANESWAR:   ବିଶ୍ଵ କଲ୍ୟାଣ ଓ ସମୃଦ୍ଧି ପାଇଁ ଆମର ଗଭୀର ସଭ୍ୟତାର ମୂଲ୍ୟବୋଧକୁ ଆମ ଯୁବପିଢ଼ି ଆଗକୁ ନେବେ ବୋଲି ସୋମବାର ଦିଲ୍ଲୀ ସ୍ଥିତ ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରଫେସନାଲ ଷ୍ଟଡିଜ(ଭିପ୍ସ)ର ୨୪ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜିର ଅବସରରେ ଡିଗ୍ରୀ ଓ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ ସମାବର୍ତ୍ତନ ଛାତ୍ରଛାତ୍ରୀଙ୍କ ଜୀବନରେ ଏକ ନୂଆ ଯାତ୍ରାର ଆରମ୍ଭ । ଭିପ୍ସ ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ଛାତ୍ରଛାତ୍ରୀ ବିଶେଷତଃ ଭାରତର ଯୁବବର୍ଗଙ୍କ ଠାରୁ ବିଶ୍ୱ ଅନେକ ଅପେକ୍ଷା ରଖିଛି । ମୋର ବିଶ୍ୱାସ ଯେ ଆମର ଛାତ୍ରଛାତ୍ରୀମାନେ ବଡ ସ୍ୱପ୍ନ ଦେଖିବେ, ବଡ ଇଚ୍ଛା ରଖିବେ ଏବଂ ବଡ଼ ସଫଳତା ହାସଲ କରିବା ସହ ବିଶ୍ୱର ଆଶା ଓ ଆକାଂକ୍ଷାକୁ ମଧ୍ୟ ପୂରଣ କରିବେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମର ଅମୃତପିଢି ଅଧିକ ପ୍ରତିଭାବାନ । ସେମାନେ ସେମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ନେଇ ବେଶ୍ ସଚେତନ । ଆଗାମୀ ଦିନରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ଏହି ସମୟରେ ଭାରତ ଶିଳ୍ପ ବିପ୍ଳବ ୪.୦ର ନେତୃତ୍ୱ ନେବ । ଏହି ସମୟରେ ଆମର ଯୁବପିଢିଙ୍କ ଦାୟିତ୍ୱ ଅଧିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସର୍ବଦା ଯୁବ ଆକାଂକ୍ଷାକୁ ସାକାର କରିବା, ଯୁବ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ଉର୍ଜାକୁ ବିକଶିତ ଭାରତର ଲକ୍ଷ୍ୟ ହାସଲରେ ନିୟୋଜିତ କରିବାରେ ଏକ ସହାୟକ ଭାବରେ କାର୍ଯ୍ୟ କରୁଛନ୍ତି । ଯୁବପିଢିଙ୍କ କାନ୍ଧରେ ଭାରତ ସମୃଦ୍ଧ ଓ ସମ୍ପନ୍ନ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ସମାବର୍ତ୍ତନ ସମାରୋହରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିଲ୍ଲୀର ଉଦ୍ୟୋଗ ଭବନରୁ ପିତମପୁରା ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବା ସହ କିଛି ଛାତ୍ରୀଛାତ୍ରୀ ଓ ନାଗରିକଙ୍କ ସହ କଥା ହୋଇଥିଲେ । ମେଟ୍ରୋ ଯାତ୍ରାର ଅନୁଭୂତିକୁ ପ୍ରଶଂସା କରିବା ସହ ସେ କହିଥିଲେ ଯେ ସ୍ୱଚ୍ଛ ଓ ଆରାମଦାୟକ ଥିବା ଦିଲ୍ଲୀ ମେଟ୍ରୋ ଦିଲ୍ଲୀବାସୀଙ୍କ ଲାଇଫଲାଇନ୍ ଅଟେ । ଦ୍ରୁତ ଓ ସ୍ଥାୟୀ ସହରୀ ପରିବହନ ସୁବିଧା ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିବଦ୍ଧତା ସହରରେ ନାଗରିକଙ୍କ ଜୀବନ ଯାପନକୁ ସୁଗମ କରିଛି ।

LEAVE A REPLY

Please enter your comment!
Please enter your name here