Aame Odia Foundation Trust appeals for ‘No Use of Plastic’ during Rath Yatra

0
450

By Our Correspondent

PURI/BHUBANESWAR: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ଆମ ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ ସଂସ୍କୃତିର ପରମ୍ପରାଗତ ପର୍ବ ‘ରଥଯାତ୍ରା’ରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଭିଡ଼ିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀକୁ ଆସନ୍ତି । ଏହି ସମୟରେ ଲକ୍ଷାଧିକ ଭକ୍ତମାନେ ପ୍ଲାଷ୍ଟିକର ମାତ୍ରାଧିକ ବ୍ୟବହାର କରିବା କାରଣରୁ ପୁରୀରେ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ବୃଦ୍ଧି ହେବା ସହ ଏହି ସମସ୍ୟା ପ୍ରଶାସନ ଓ ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଏ ।

ଏହି ସମସ୍ୟାକୁ ମର୍ମେ ଅନୁଭବ କରି ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଚଳିତ ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ଏହାର ରିସାଇକେଲିଂ ଉପରେ ଗୁରୁତ୍ୱ ଦେବା ପାଇଁ ଅପିଲ୍ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଅପିଲ କ୍ରମେ ସାମାଜିକ ସଂଗଠନ ‘ଆମେ ଓଡ଼ିଆ’ ପୁରୀ ରଥଯାତ୍ରାରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ଏହାର ପୁନଃ ବ୍ୟବହାର ଏବଂ ରିସାଇକଲିଂ ସଚେତନତା” ଅଭିଯାନ’ରେ ଯୋଡ଼ି ହୋଇଛି ବୋଲି ସଂଗଠନର ସମ୍ପାଦକ ସଂଗ୍ରାମ ପାତ୍ର ସୋମବାର ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆହ୍ୱାନରେ ପୁରୀ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ସହଯୋଗ କରିବା ପାଇଁ ‘ଆମେ ଓଡ଼ିଆ’ ସଂଗଠନ ପରିବାର ଏହି ଅଭିଯାନର ଦାୟିତ୍ୱ ନେଇଛି । ଓଡ଼ିଆ ସଂସ୍କୃତିର ଧାରାକୁ ବଜାୟ ରଖିବା ତଥା ପବିତ୍ର ଶ୍ରୀଜଗନ୍ନାଥ ଧାମକୁ ସ୍ୱଚ୍ଛ ରଖିବା ଦିଗରେ ଆମେ ଓଡ଼ିଆ ପରିବାର ସହ ରାଜ୍ୟର ପ୍ରାୟ ୭୦୦ ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଯୋଗ ଦେବେ ।

ଆସନ୍ତା ଜୁଲାଇ ମାସ ପହିଲାରୁ ଆରମ୍ଭ ହେଉଥିବା ରଥଯାତ୍ରା ଦିନ ବଡ଼ଦାଣ୍ଡରେ, ରଥଯାତ୍ରା ପର ଦିନ ସମୁଦ୍ର କୂଳ ପରିସର ଓ ଜୁଲାଇ ୯ ବାହୁଡ଼ା ଯାତ୍ରା ଦିନ ଏଭଳି ତିନୋଟି ପର୍ଯ୍ୟାୟରେ ସ୍ୱେଚ୍ଛାସେବୀମାନେ ଶ୍ରୀକ୍ଷେତ୍ରରେ ଏକଜୁଟ ହୋଇ ଏହି ଅଭିଯାନ କାର୍ଯ୍ୟରେ ନିୟୋଜିତ ହେବେ । ଲୋକମାନଙ୍କ ମଧ୍ୟରେ ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ(Reduce) କରିବା ସହ ଏହାର ପୁନଃବ୍ୟବହାର(Reuse) ଓ ରିସାଇକେଲ (Recycle) ଉପରେ ଜନସଚେତନତା ସୃଷ୍ଟି କରାଯିବ । ବୈଦୁତିକ, ମୁଦ୍ରଣ ଓ  ସାମାଜିକ ଗଣମାଧ୍ୟମରେ ପରିବେଶ ସୁରକ୍ଷା ତଥା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ବର୍ଜନ କରିବା ପାଇଁ ବ୍ୟାପକ ଜନଜାଗରଣ କରାଯିବ । ସ୍ୱଚ୍ଛତା ପାଇଁ ସେବା ଆଧାରରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ‘ଆମେ ଓଡ଼ିଆ’ ପ୍ରତିଶ୍ରୁତିବଦ୍ଧ ।

ସୂଚନାଯୋଗ୍ୟ, ରଥଯାତ୍ରା ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତରେ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ‘ଆମେ ଓଡ଼ିଆ’ ସଂଗଠନରେ ନିୟୋଜିତ ସ୍ୱେଚ୍ଛାସେବୀଙ୍କ ସହ ନିଜକୁ ଯୋଡ଼ିବା ପୂର୍ବକ ସ୍ୱେଚ୍ଛାସେବୀଙ୍କ ମନୋବଳ ବଢ଼ାଇବେ ବୋଲି ସଂଗଠନ ସମ୍ପାଦକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here