100-Cube Start-up Initiative of IIT Bhubaneswar Research and Entrepreneurship Park Inaugurated

0
117
ଓଡ଼ିଶାରେ ଯୁବପିଢିଙ୍କ ମାଧ୍ୟମରେ ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ।

By Our Correspondent

BHUBANESWAR:  ଓଡ଼ିଶାରେ ଯୁବପିଢିଙ୍କ ମାଧ୍ୟମରେ ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । 

ଏହି ମହତ୍ୱକାଂକ୍ଷୀ ଷ୍ଟାର୍ଟଅପ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଏକ ଐତିହାସିକ ଦିନ । ଆମେ ନୂଆ କୋଣାର୍କ ମନ୍ଦିର ଭଳି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ଶୁଭାରମ୍ଭ କଲେ । ୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ଏହି ସମୟ ସୁଦ୍ଧା ଏହି ପାର୍କରେ ହାରାହାରି ୧୦୦ କୋଟି ଟଙ୍କା ଲେଖାଁଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି ।

 ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଣାଳୟ ୧୩୦ କୋଟି ଟଙ୍କା ସହାୟତାରେ ଉକ୍ତ ପାର୍କକୁ ଆସନ୍ତା ୨ ବର୍ଷ ମଧ୍ୟରେ ୨୦ହଜାର ବର୍ଗଫୁଟରୁ ୮୦ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ ।

 ଇନୋଭେସନ ଓଡ଼ିଆ ପିଲାଙ୍କ ଡିଏନଏରେ ଅଛି । ହଜାର ହଜାର ବର୍ଷ ପୂର୍ବରୁ ଆମର ଓଡ଼ିଆ ସଭ୍ୟତାର ସାମୂହିକ ପ୍ରତିଫଳନ କୋଣାର୍କ ଥିଲା । ଓଡ଼ିଆ ପିଲାଙ୍କ ମଧ୍ୟରେ ଥିବା ଉଦ୍ୟୋଗୀ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ତଥା ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏହି ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାର୍ଟଅପ୍ ଇଣ୍ଡିଆ ଓ ଆତ୍ମନିର୍ଭର ଏବଂ ବିକଶିତ ଭାରତର କଳ୍ପନାକୁ ସାକାର କରିବାର ସହାୟକ ହେବ । ଅର୍ଥନୀତି ମଜଭୂତ୍ ହେବା ସହ ରୋଜଗାର ସୃଷ୍ଟି ହେବ । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭାରତ, ଶ୍ରେଷ୍ଠ ଭାରତର କଳ୍ପନା କରିଛନ୍ତି । ବିଶ୍ୱ ଯେତେବେଳେ ଟେକ୍ନୋଲୋଜି ମାଧ୍ୟମରେ ଏକ ଛୋଟ ଗାଁରେ ପରିବର୍ତ୍ତନ ହେଉଛି, ସେତେବେଳେ ଭାରତ ପ୍ରତି ବିଶ୍ୱର ଭରସା ବଢୁଛି । ଭାରତ ଯୁବବର୍ଗଙ୍କ ଦେଶ । ଭାରତର ସମସ୍ୟାର ସମାଧାନ ଆମର ଷ୍ଟାର୍ଟଅପ ପରିସଂସ୍ଥାନରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଷ୍ଟାର୍ଟଅପ୍ ସଂଖ୍ୟା ଦେଶରେ ୧ ଲକ୍ଷ ୨୦ ହଜାରରେ ପହଞ୍ଚିଛି । ଦେଶରେ ମହିଳା ନେତୃତ୍ୱ ବିକାଶ ହେଉଛି ।

ଓଡ଼ିଆ ପିଲାଙ୍କ ନବସୃଜନକୁ ଦେଖିଲେ ମୋର ଉତ୍ସାହ ଶହେ ଗୁଣା ବୃଦ୍ଧି ପାଇଛି । ପୁରୀ ଅଞ୍ଚଳର ପିଲାମାନେ ନଡିଆ ଖୋଳପାରୁ ପେଟ୍ରୋକେମିକାଲ ବିକଳ୍ପ ଉତ୍ପାଦ ବାହାର କରୁଛନ୍ତି, ଏହା ହିଁ ବଡ ପ୍ରେରଣା । ଏକବିଂଶ ଶତାବ୍ଦୀରେ ଭାରତର ନେତୃତ୍ୱରେ ଆଇଆଇଟି, ଏନଆଇଟି ଓ ଇଞ୍ଜିନିୟର କଲେଜ ଗୁଡିକ ବିଶ୍ୱ ସମସ୍ୟାର ସମାଧାନ ବାହାର କରିବେ । ୧୦୦ କ୍ୟୁବ୍ ଷ୍ଟାର୍ଟଅପ ସେ ଦିଗରେ ଅନ୍ୟତମ ପଦକ୍ଷେପ । ଯେତେବେଳେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରିବ, ୧୦୦ ଜଣ ଉଦ୍ୟମୀ ବାହାରିବେ । ଓଡ଼ିଶାର ଭୂମିରୁ ଆଇଡିଆକୁ ବିକଶିତ କରି ଷ୍ଟାର୍ଟଅପ ପରିସଂସ୍ଥାନକୁ ମଜଭୂତ କରିବାକୁ ହେବ । ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗୀ ହେବା ପାଇଁ ବଡ ଭାଇର ଦାୟିତ୍ୱ ନିର୍ବାହ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଉଦ୍ୟୋଗୀ ସମାଜକୁ ଆହ୍ୱାନ କରିଛନ୍ତି । 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆନୁଷ୍ଠାନିକ ଭାବରେ ଆଇଆଇଟି ଭୁବନେଶ୍ୱରର ୧୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ୪୫୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କରିଛନ୍ତି । ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ ପଦକ୍ଷେପ ଓଡ଼ିଶାକୁ ଶିଳ୍ପର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବ । ଦେଶରେ ଷ୍ଟାର୍ଟ-ଅପ୍ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ଆଇଆଇଟି ଭୁବନେଶ୍ୱରର ଯାତ୍ରାରେ ଏହା ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ଆଇଆଇଟି ଭୁବନେଶ୍ୱରରେ ସ୍ଥାପନା ହେବାକୁ ଥିବା  ୧୦୦ଟି କ୍ୟୁବ୍ ଷ୍ଟାର୍ଟଅପ୍ ପଦକ୍ଷେପ ଦେଶରେ ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବା ସହ ଭାରତର ଗ୍ଲୋବାଲ ଇନୋଭେସନ ରାଙ୍କରେ ଭାରତକୁ ଉନ୍ନତ କରିବାରେ ସହାୟକ ହେବ । ପୂର୍ବ ଭାରତର ସାମାଜିକ, ଅର୍ଥନୈତିକ, ଶିଳ୍ପ ଏବଂ ସାମ୍ରଗିକ ଅଭିବୃଦ୍ଧିକୁ ପୂରଣ କରିବା ଲକ୍ଷ୍ୟରେ ସ୍ଥାପନା ହେଉଥିବା ଏହି ପାର୍କ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ର ହେବ ପେଣ୍ଠସ୍ଥଳୀ ହେବ । 

ଏହି ଉଦଘାଟନୀ ଉତ୍ସବରେ ଆଇଆଇଟିର ଗବେଷଣା ପାର୍କର ଅଧ୍ୟାପକ ମୁଖ୍ୟ, ଶିଳ୍ପପତି ଓ ପୁଞ୍ଜିପତିଙ୍କ ଦ୍ୱାରା ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଧ୍ୟାପକ ଓ ଷ୍ଟାର୍ଟଅପ୍ ମାନଙ୍କ ମଧ୍ୟରେ ଏକ ବୈଷୟିକ କର୍ମଶାଳା ଅନୁଷ୍ଠିତ ହେଇଥିଲା । ଏହାପରେ ୧୦୦ଟି କ୍ୟୁବ୍ ଷ୍ଟାର୍ଟଅପ୍ ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟରେ ଅପରାହ୍ନ ୨ଟାରୁ ଅପରାହ୍ନ ୪ଟା ମଧ୍ୟରେ ପ୍ରାୟ ୨୦ଟି ଶିଳ୍ପସଂସ୍ଥା, ୩୦ଟି ଷ୍ଟାର୍ଟଅପ୍ ଏବଂ ୩୦ଟି ପୁଞ୍ଜିନିବେଶକାରୀଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ(ଏମଓୟୁ) ହୋଇଛି  ।

  ଏହି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଦେଶ ବିଦେଶର ଷ୍ଟାର୍ଟଅପ୍ ସମୂହର ବ୍ୟକ୍ତିବିଶେଷ, ୟୁଏସଏ, ୟୁକେ, ୟୁଏଇ, ଅଷ୍ଟ୍ରେଲିଆ, ଫିନଲ୍ୟାଣ୍ଡ, କେନିଆ, ଓମାନ ସମେତ ବିଭିନ୍ନ ଦେଶର ପ୍ରତିନିଧି, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଆଇଆଇଟି ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here