ସମ୍ବଲପୁର ମିଶନ୍ ଫର୍ ନେସନ୍ – ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବିଶିଷ୍ଟ କୁଟନୀତିଜ୍ଞ ଏସ. ଜୟଶଙ୍କର

0
59

By Our Correspondent

SAMBALPUR/BHUBANESWAR:  ଅପାର ସମ୍ଭାବନାର ଅଞ୍ଚଳ ହେଉଛି ସମ୍ବଲପୁର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ ଆଇଆଇଏମ, ସମ୍ବଲପୁର ସମେତ ଅନେକ ଶିକ୍ଷାନୁଷ୍ଠାନ ଗଢିଉଠିଛି । ଆଗାମୀ ଦିନରେ ସମ୍ବଲପୁର ୫ ପ୍ରମୁଖ ଶିକ୍ଷାନୁଷ୍ଠାନକୁ ମିଶାଇ ଶିକ୍ଷା ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ଉଦ୍ୟମ କରାଯିବ ବୋଲି ରବିବାର ସମ୍ବଲପୁରରେ ମିଶନ୍ ଫର୍ ନେସନ – ବୁଦ୍ଧିଜୀବୀ ସମ୍ମିଳନୀରେ  ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁର ନାଗରିକ ପରିଷଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବିଶିଷ୍ଟ କୁଟନୀତିଜ୍ଞ ଏସ. ଜୟଶଙ୍କରଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏମ୍ ପ୍ରତିଷ୍ଠା ହୋଇଛି । ଏହି ଅଞ୍ଚଳରେ ଭିସୁଟ୍, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଏହି ୫ଟି ଶିକ୍ଷାନୁଷ୍ଠାନକୁ ମିଶାଇ ଆଗାମୀ ଦିନରେ ସମ୍ବଲପୁରକୁ ଅର୍ଥନୀତିର ପେଣ୍ଠସ୍ଥଳୀ କରିବାକୁ ଉଦ୍ୟମ କରାଯିବ । ଏଠାକାର ଛାତ୍ରଛାତ୍ରୀ ବିଶ୍ୱ ସମସ୍ୟାର ସମାଧାନର ସୂତ୍ର ବାହାର କରିବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୬-୧୭ ମସିହାରେ ମୋଦୀ ସରକାରରେ ହିଁ ସମ୍ବଲପୁରରେ ପାସପୋର୍ଟ ଅଫିସ ଖୋଲାଗଲା । ସମ୍ବଲପୁରକୁ ସଠିକ ଭାବରେ ଆନ୍ତର୍ଜାତିକ ସ୍ତରରେ ଯୋଡ଼ାଯିବାର ଲକ୍ଷ୍ୟ ନେଇ ପୋଷ୍ଟ ଅଫିସରେ ପାସପୋର୍ଟ ଦେବାର କାର୍ଯ୍ୟ ଆରମ୍ଭ ହେଲା । ଏହା ହେଉଛି ମୋଦୀ ସରକାରଙ୍କ ଦୂରଦୃଷ୍ଟି ।  ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ସମ୍ବଲପୁର ଦଶହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ । ନାକଟିଦେଉଳ ପାଖରେ ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ ରହିଛି । ଏହାକୁ ପର୍ଯ୍ୟଟନର କେନ୍ଦ୍ର ସହ ଶୀତଳ ଷଷ୍ଠୀକୁ ବିଶ୍ୱ ଦରବାରରେ  ପରିଚିତ କରାଇବାର ଆବଶ୍ୟକତା ରହିଛି । ସମ୍ବଲପୁର ପର୍ଯ୍ୟଟନ, ଐତିହ୍ୟ, ସଂସ୍କୃତି ବିଶ୍ଵ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ହେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୪ ବର୍ଷ ଯେଉଁମାନଙ୍କ ହାତରେ ଶାସନ ଦାୟିତ୍ୱରେ ରହିଲା,  ସେମାନେ ଓଡ଼ିଶାକୁ ଗୁରୁତ୍ୱ ଦେଲେନାହିଁ । ଅପାର ସମ୍ଭାବନାର ରାଜ୍ୟ କାହିଁକି ଏହି ଜାଗାରେ ଅଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଯଦି ନରେନ୍ଦ୍ର ମୋଦୀ ୧୦ ବର୍ଷରେ ଭାରତକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଲେ ନାହିଁ, ଓଡ଼ିଶାକୁ କାହିଁକି କରାଯାଇପାରିଲା ନାହିଁ ? ସମ୍ବଲପୁରକୁ ଏକ ବୈଷୟିକ କେନ୍ଦ୍ର ହେବାର ସବୁ ସମ୍ଭାବନା ଥିବା ସତ୍ତ୍ୱେ ସେପରି ସ୍ଥିତିରେ ପଡିରହିଛି । ଏଥର ଓଡ଼ିଶାରେ ଶାସନ ପ୍ରଣାଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ହେଲେ ସମ୍ଭାବନା ସମ୍ଭବରେ ପରିଣତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ କାର୍ଯ୍ୟ ଓ ମାର୍ଗଦର୍ଶନକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ । ଏହାର ଏକ ଉଦାହରଣ ଦେବାକୁ ଯାଇ ସେ କହିଥିଲେ ସମ୍ବଲପୁର ବାସିନ୍ଦା ଏମବି ସୁବ୍ରମଣ୍ୟମଙ୍କ ଝିଅ ୟୁକ୍ରେନରେ ଫସି ରହିଥିଲେ ଏବଂ ଅପରେସନ ଗଙ୍ଗାରେ ମୋଦୀ ସରକାରଙ୍କ ସହଯୋଗରେ ସେଠାରୁ ସେ ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିଥିଲେ ।  ଏମବି ସୁବ୍ରମଣ୍ୟମଙ୍କ କାହାଣୀ ଶୁଣିବା ପରେ ପୁଣି ଥରେ ମୋଦି ହେ ତୋ ମୁମକିମ ହେ ମନେ ପଡ଼ିଯାଉଛି । ଏହି କାହାଣୀ ପ୍ରତିଟି ନାଗରିକଙ୍କ ସୁରକ୍ଷା ଓ ମଙ୍ଗଳ ନେଇ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଯେତେ ବାଧାବିଘ୍ନ ସମସ୍ୟା ଥିଲେ ମଧ୍ୟ ନାଗରିକଙ୍କ ସୁରକ୍ଷା  ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସର୍ବୋପରି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ସମ୍ବଲପୁରର ଶତାଧିକ ବୁଦ୍ଧିଜୀବୀ ବିଶିଷ୍ଟ ଗଣମାନ୍ୟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here