ବିଜେପିର ମୁଖ୍ୟମନ୍ତ୍ରୀ ଯିଏ ହେବ ତାହାକୁ ଓଡ଼ିଶାବାସୀ ନିର୍ଣ୍ଣୟ କରିବେ, ସ୍କୁଲରେ ରଙ୍ଗ ମାରି ଶିକ୍ଷାର ବିକାଶ ହେଉଥିବା ମିଛ ଡିଣ୍ଡିମ ପିଟୁଛନ୍ତି, ଧର୍ମେନ୍ଦ୍ର ପ୍ରଧାନ

0
62

By Our Correspondent

SAMBALPUR/BHUBANESWAR:  ଓଡ଼ିଶା ସରକାର ସ୍କୁଲରେ ରଙ୍ଗ ମାରି ଶିକ୍ଷାର ବିକାଶ ହେଉଛି ବୋଲି ମିଛ ଡିଣ୍ଡିମ ପିଟୁଛନ୍ତି । ଶିକ୍ଷାର ମୂଳ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଥିବା ବେଳେ ଓଡ଼ିଶାର ଅନେକ ସରକାରୀ ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି । କ୍ଷମତାସୀନ ବିଜେଡି ସରକାର ମୂଳ ପ୍ରଶ୍ନର ଉତ୍ତର ନ ଦେଇ କେବଳ ଏଣେତେଣେ ଯୁକ୍ତି ବାଢୁଛନ୍ତି ବୋଲି ରବିବାର ରେଢାଖୋଲରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଆଜି ରେଢାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ସହ ତାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଚଳିତ ନିର୍ବାଚନରେ ପିଇବା ପାଣି, ଜଳସେଚନ, ଚିକିତ୍ସାସେବା, ଶିକ୍ଷାର ସୁବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା, ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ, ଆଦିବାସୀଙ୍କ ଧନ ଜୀବନ ସୁରକ୍ଷା ଓ ବଞ୍ଚିତ ବର୍ଗକୁ ସମ୍ମାନ ମିଳିବା ବିଜେପିର ପ୍ରମୁଖ ପ୍ରସଙ୍ଗ ହୋଇଛି । ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି ।

ଏହା ପରେ ମଧ୍ୟ ଓଡ଼ିଶାରେ ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି । ଅନେକ ବିଦ୍ୟାଳୟରେ ବିଜୁଳି, ଇଣ୍ଟରନେଟ୍, ଖେଳପଡ଼ିଆ ଓ ଶୌଚାଳୟର ସୁବିଧା ନାହିଁ । ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣିର ସୁବିଧା ନାହିଁ ।  ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । କିନ୍ତୁ ଏ ସମସ୍ୟା ଉପରେ ପ୍ରଶ୍ନ କଲେ ସ୍ଥାନୀୟ ସରକାର ମୂଳ ପ୍ରଶ୍ନରୁ ବିଚ୍ୟୁତ ରହୁଛନ୍ତି ।

ଏବେ ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆସ୍ଥା ବଢୁଛି ।  ରାଜ୍ୟରେ ପରିବର୍ତ୍ତନର ଲହର ଦେଖାଦେଇଛି । ୨୪ ବର୍ଷ ସରକାରର ଅପାରଗତା ଓ ଦୁର୍ନୀତି କରୁଥିବା ଲୋକ ମାନଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ଲୋକମାନେ ମନ ବନାଇ ସାରିଛନ୍ତି । ଓଡ଼ିଶାରେ ବିକଳ୍ପ ଭାବେ ବିଜେପି ଓଡ଼ିଶାର ସେବା କରିବାର ସୁଯୋଗ ପାଇବ । ବିଜେପିର ମୁଖ୍ୟମନ୍ତ୍ରୀ ଯିଏ ହେବ ତାହାକୁ ଓଡ଼ିଶାବାସୀ ନିର୍ଣ୍ଣୟ କରିବେ ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରେଢାଖୋଲ ସମେତ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହେବ ।  ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ଓ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ଏକ ନମ୍ବର କରିବା ସହ ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ପଦ୍ମଫୁଲରେ ଭୋଟ ଦେବାକୁ କେନ୍ଦ୍ରମନ୍ତ୍ରୀ ନାଗରିକଙ୍କୁ ନିବେଦନ କରିଛନ୍ତି ।

ଏହାପୂର୍ବରୁ ଶ୍ରୀ ପ୍ରଧାନ ସମ୍ବଲପୁର ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାଭିମାନ ସମ୍ବଲପୁର’ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ସେ କହିଥିଲେ ବିଶ୍ୱମ୍ଭର ବହିଦାରଙ୍କ ଭଳି ସମ୍ବଲପୁରର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟରେ ସ୍ଥାନୀୟ ନାଗରିକ ବିଶେଷତଃ ଯୁବବର୍ଗଙ୍କ ନିଃସ୍ୱାର୍ଥପର ଯୋଗଦାନ ପ୍ରଶଂସନୀୟ । ମାନବ ସମାଜରେ ସ୍ୱାଭିମାନ ସହ ସେବା ମନୋଭାବ ତିଆରି କରିବାରେ ଆପଣଙ୍କ ସଂଗଠନ ପ୍ରେରଣାର ସ୍ରୋତ ହେଉ ।

 

 

LEAVE A REPLY

Please enter your comment!
Please enter your name here