ଭୁବନେଶ୍ୱରରେ ଯଦି ବସ୍ତି ବାସିନ୍ଦାମାନେ ବିଜେଡିକୁ ଭୋଟ ଦେବେ ନାହିଁ ତାହେଲେ ଭୁବନେଶ୍ୱରରେ ବିଜେଡି ୧୦ପ୍ରତିଶତ ଭୋଟ ମଧ୍ୟ ପାଇବ ନାହିଁ

0
330

By Our Correspondent

BHUBANESWAR:  ଶିକ୍ଷିତ ଲୋକଙ୍କ ଭୋଟ ଭାରତୀୟ ଜନତା ପାର୍ଟି ସହିତ ଅଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅଛି ତେଣୁ ସହରାଂଚଳରେ ବିଜେଡିକୁ ଭରଷା ବସ୍ତି ବାସିନ୍ଦାଙ୍କ ଭୋଟ । ଭୁବନେଶ୍ୱରରେ ଯଦି ବସ୍ତି ବାସିନ୍ଦାମାନେ ବିଜେଡିକୁ ଭୋଟ ଦେବେ ନାହିଁ ତାହେଲେ ଭୁବନେଶ୍ୱରରେ ବିଜେଡି ୧୦ପ୍ରତିଶତ ଭୋଟ ମଧ୍ୟ ପାଇବ ନାହିଁ । , ବିଜେପି ରାଜ୍ୟ ସଭାପତି.

ତେଣୁ କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ପାଇବା ପାଇଁ ଠିକ ନିର୍ବାଚନ ଆଗରୁ ଏହି ପଟ୍ଟା ବଂଟା ନାଟକ । ନିର୍ବାଚନ ଆସିଲେ କେବଳ ନବୀନ ବାବୁଙ୍କର ବସ୍ତିବାସିନ୍ଦାଙ୍କ କଥା ମନେପଡେ । ୨୩ ବର୍ଷରେ ନବୀନ ବାବୁ ବସ୍ତିରେ ଗରିବ ଲୋକମାନେ କିଭଳି ରୁହନ୍ତି କେବେ ଥରେ ହେଲେ ବି ବୁଲିକି ଦେଖିଛନ୍ତି କି? କେମିତି ତାଙ୍କ ପ୍ରଶାସନ, ତାଙ୍କ ଦଳର କୁଜି ନେତାମାନେ ବସ୍ତିବାସିନ୍ଦାଙ୍କ ଉପରେ ଜୁଲମ କରନ୍ତି ବୋଲି ।

ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ପାଇଁ ବାସଗୃହ ନିର୍ମାଣ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଥରେ ନୁହେଁ ଦୁଇ ଦୁଇ ଥର ଶୁଭ ଦେଇଛନ୍ତି । କିନ୍ତୁ ତାହା ସବୁ କେବଳ ଫଟୋ ଆଉ ଖବର କାଗଜରେ ସୀମିତ ହୋଇଛି । ଗୋଟିଏ ପ୍ରକଳ୍ପକୁ ବାରମ୍ବାର ଶୁଭ ଦେବା, ଗୋଟିଏ ଯୋଜନାକୁ ବାରମ୍ବାର ଘୋଷଣା କରିବାରେ ନବୀନ ବାବୁ ଦେଶରେ ଏକ ନମ୍ବର ।

ସହରାଂଚଳରେ ବସ୍ତି ବାସିନ୍ଦାମାନଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି ସେହି କାଗଜରେ ଲେଖାଯାଇଛି ଯେ, ଏହା ଏକ ଫର୍ମ ବୋଲି । ତା ତଳକୁ ଲେଖା ହୋଇଛି ଏହା ଏକ ପ୍ରମାଣ ପତ୍ର ବୋଲି । ଆଉ ଏହାକୁ ରାଜ୍ୟ ସରକାର କହୁଛନ୍ତି ଏହା ପଟ୍ଟା ବୋଲି । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣ ପତ୍ର ନା ପଟ୍ଟା । ରାଜ୍ୟରେ ଏକ ଜାଲିଆ ସରକାର ଚାଲିଛି । ଏମାନଙ୍କର ସବୁ ଜାଲି, ନକଲି । ସହରାଂଚଳରେ ନବେ ଦଶକରେ ବସ୍ତି ବାସିନ୍ଦାଙ୍କୁ ଯେଉଁ ପଟ୍ଟା ମିଳିଛି ସେଥିରେ ସ୍ପଷ୍ଟ ଭାବରେ ଲେଖାହୋଇଛି ଯେ, ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ଅନୁସାରେ ମିଳିଥିବା ପଟ୍ଟା ବୋଲି । ହେଲେ ଏବେ ରାଜ୍ୟ ସରକାର ଯେଉଁ କାଗଜ ଧରାଉଛନ୍ତି ସେଥିରେ କେଉଁଠି ବି ପଟ୍ଟା ଶବ୍ଦର ଲେଖାନାହିଁ । ରାଜ୍ୟ ସରକାରଙ୍କର ଯେଉଁ ସମବାୟ ବ୍ୟାଙ୍କ ଅଛି ସେମାନେ ବି ଏହି କାଗଜକୁ ସ୍ୱୀକାର କରୁନାହାନ୍ତି । ଏଥିରୁ ସ୍ପଷ୍ଟ ବୁଝାପଡୁଛି ଯେ,ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ସହିତ ଛଳନା କରିଛନ୍ତି ।

୨୦୧୨ ରୁ ୨୦୨୩ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାରମ୍ବାର କହି କହି ଆସୁଛନ୍ତି ଯେ, ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦିଆଯିବ । କେବଳ ପ୍ରତିଶୃତି ଦେଇ ଜାଣନ୍ତି ନବୀନ ବାବୁ, କିନ୍ତୁ ତାହା କେବେ ପୂରଣ କରନ୍ତି ନାହିଁ । ୨୦୧୩ ମସିହାରେ ପୌର ନିର୍ବାଚନ ଏବଂ ୨୦୧୪ର ସାଧାରଣ ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ଆଣିଥିଲେ ଓଡିଶା ପ୍ରପର୍ଟି ରାଇଟ୍ସ ଟୁ ସ୍ଲମ ଡ୍ୱେଲର ଏଣ୍ଡ ପ୍ରିଭେନସନ ଅଫ ନ୍ୟୁ ସ୍ଲମ ବିଲ -୨୦୧୨ । ପ୍ରତିଶୃତି ଦେଇଥିଲେ କି ବସ୍ତି ବାସିନ୍ଦାଙ୍କୁ ଯୋଗାଇଦେବେ ସ୍ଥାୟୀ ଜମି ପଟା ଓ ଘର । ହେଲେ ୨୦୧୨ରୁ ୨୦୧୭ ମଧ୍ୟରେ ସହରାଂଚଳର କେଉଁ ଗୋଟିଏ ଲୋକଙ୍କୁ ସ୍ଥାୟୀ ଜମି ପଟା ମିଳିନଥିଲା ।  ପୁଣି ୪ ବର୍ଷ ପରେ ୨୦୧୭ ମସିହାରେ ଆଉଥରେ ସେହି ବିଲ୍‌ର ଏକ ଅଧ୍ୟାଦେଶ ଆଣି ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କଲେ କି ଆମେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟା ଏବଂ ଘର ଯୋଗାଇ ଦେବୁ । ତାହା ବି କେବଳ ପାଣିର ଗାର ପାଲଟିଲା । ପୁଣି ୨୦୨୨ରେ ଆଉ ଏକ ସଂଶୋଧିତ ଆଇନ ଆଣିଲେ । କେବଳ ଆଇନ ଆସୁଛି କିନ୍ତୁ ବସ୍ତି ବାସିନ୍ଦାଙ୍କୁ ଦୁଃଖ ଯାଉନି । ଏବେ ପୁଣି ୨୦୨୩ରେ ସେହି ପୁରୁଣା ନାଟକର ପୁନ୍ନତାବୃତି । ବିଜୁ ଜନତା ଦଳର ସରକାର କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ନେଇଛି କିନ୍ତୁ ସେମାନଙ୍କୁ ପ୍ରତାରଣା କରିଛନ୍ତି ।

୨୦୧୪ ନିର୍ବାଚନ ଇସ୍ତାହାରରେ ନବୀନ ବାବୁ କହିଥିଲେ, ସହରରେ ଗୋଟିଏ ବି ପରିବାର ବିନା ପକ୍କା ଘରରେ ରହିବେ ନାହିଁ । ଯାହାର ନିଜସ୍ୱ  ଜାଗା ନାହିଁ ସେହିି ପରିବାରକୁ ସରକାର ଜାଗା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । କୁଆଡେ ଗଲା ସେହି ପ୍ରତିଶୃତି । ମୁଖ୍ୟମନ୍ତ୍ରୀଙ୍କର ସେହି ଘୋଷଣା ବସ୍ତିର ଗରୀବ ଲୋକ ମାନଙ୍କ ପାଇଁ ପ୍ରତିବଦ୍ଧତା ନୁହେଁ ବରଂ ସହରୀ ଗରୀବ ଲୋକଙ୍କୁ ଠକିବା ପାଇଁ ଏକ ହୀନ ରାଜନୈତିକ ଉଦ୍ୟମ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଠକ ଶବ୍ଦ ପ୍ରୟୋଗ କେବଳ ରାଜନୈତିକ ଅଭିଯୋଗ ଭାବରେ ନୁହେଁ ବଂର ତଥ୍ୟ ଆଉ ପ୍ରମାଣ ଆଧାରିତ । ୩ ବର୍ଷରେ ସବୁ ବସ୍ତି ଆଦର୍ଶ କଲୋନି ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କେତେଟା ଆଦର୍ଶ କଲୋନି ସ୍ଥାପନା ହେଲା ରାଜ୍ୟ ସରକାର ଉତର ରଖିବେ କି ?

୨୦୧୯ ନିର୍ବାଚନ ପୂର୍ବରୁ ୧୫ ନଭେମ୍ବର,୨୦୧୮ରେ ଜାଗା ମିଶନର ଶୁଭାରମ୍ବ ବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ୨ ଲକ୍ଷ ବସ୍ତି ପରିବାରକୁ ଜମି ପଟ୍ଟା ଦେଇଥିଲେ । ସେହି ଜାଗା ମିଶନରେ ଯେଉଁ ବିମଳା ମହାରଣାଙ୍କୁ ପୋଷ୍ଟର ହିତାଧିକାରୀ ବୋଲି ଦେଖାଇ ତାଙ୍କର ଫଟୋ ଓ ହୋଡିଙ୍ଗ ଲଗାଇଥିଲେ ସେହି ବିମଳା ମହାରଣାଙ୍କ ଅବସ୍ଥା କଣ ମୁଖ୍ୟମନ୍ତ୍ରୀ ଯାଇ ଦେଖନ୍ତୁ । ନାଁ ତାଙ୍କୁ ଜମି ମିଳିଲା ନାଁ ତାଙ୍କୁ ଘର ମିଳିଲା ।

ଘୋଷଣା କରିଦେଇକି ମୁଖ୍ୟମନ୍ତ୍ରୀ ଶୋଇପଡିଲେ ପୁଣି ଏବେ ଉଠିଛନ୍ତି ଠିକ ୨୦୨୪ ନିର୍ବାଚନ ପୂର୍ବରୁ । ୩୦ଅକ୍ଟୋବର,୨୦୧୭ରେ ରାଜ୍ୟ ସରକାରଙ୍କର ହାଉସିଙ୍ଗ ଆଣ୍ଡ ଅର୍ବାନ ଡେଭେଲପମେଂଟ ବିଭାଗ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସହରାଂଚଳରେ ହେବାକୁ ଥିବା ବସ୍ତି ବାସିନ୍ଦାମାନଙ୍କ ପାଇଁ ଘର ଉପରେ ଅନେକ ପ୍ରସ୍ତାବନା ଥିଲା । ସେତେବେଳେ ତାହା ସବୁ ସର୍ଭେ ସ୍ତରରେ ଅଛି ବୋଲି ସେହି ରିପୋର୍ଟରେ ଲେଖାଯାଇଥିଲା ଓ ଖୁବଶୀଘ୍ର ଏହା ନିର୍ମାଣ ହୋଇ ଗରିବ ଲୋକଙ୍କୁ ଦିଆଯିବ ବୋଲି କୁହାଯାଇଥିଲା । ଆଜିବି ସେହି ପ୍ରକଳ୍ପ ସବୁ ସର୍ଭେ ସ୍ତରରେ ରହିଛି।

LEAVE A REPLY

Please enter your comment!
Please enter your name here