ବୌଦ୍ଧ ଓ କଣ୍ଟାମାଳରେ ବିଶାଳ ଜନସମାବେଶ ଓଡ଼ିଶାରେ ପରିବର୍ତ୍ତନର ବଡ଼ ସଙ୍କେତ ଦେଉଛି , ଧର୍ମେନ୍ଦ୍ର ପ୍ରଧାନ

0
62

By Our Correspondent

BOUDH/BHUBANESWAR:  କଣ୍ଟାମାଳରେ ଆଜିର ଜନସମାବେଶ ରାଜ୍ୟରେ ପରିବର୍ତ୍ତନର ବଡ଼ ସଙ୍କେତ ଦେଉଛି । ବିଶେଷ ଭାବରେ ଜନସାଧାରଣଙ୍କ ମଧ୍ୟରେ ଯେଉଁ ଉତ୍ସାହ, ଉଦ୍ଦୀପନା ଓ ପରିବର୍ତ୍ତନର ବାତାବରଣ ଦେଖାଯାଇଛି, ତାହା ଆମ ଦଳର ସଂକଳ୍ପକୁ ଅଧିକ ମଜଭୂତ୍ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୌଦ୍ଧର ପଲସାଗୋରା ଓ ବୁଟୁପାଲିରେ ବୌଦ୍ଧ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଓ କଣ୍ଟାମାଳ ବିଧାୟକ ପ୍ରାର୍ଥୀ କହ୍ନେଇ ଡାଙ୍ଗଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବୈଠକରେ ଯୋଗଦେବା ଅବସରରେ ସେ କହିଛନ୍ତି ମା’ ମାହେଶ୍ୱରୀଙ୍କ ମାଟିରୁ ପରିବର୍ତ୍ତନର ପଦଧ୍ୱନି ଆରମ୍ଭ ହୋଇଛି । ଲୋକେ ୨୫ ବର୍ଷର ଅପାରଗ, ସ୍ଥାଣୁ ସରକାରକୁ ହଟାଇ ଏକ ବିକାଶଶୀଳ, ଗରିବ କଲ୍ୟାଣକାରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆଣିବା ପାଇଁ ମନସ୍ଥ କରିଛନ୍ତି ।

ବୌଦ୍ଧରେ ମୋଦୀ ବିପକ୍ଷରେ ମଦର ଲଢେଇ ହେଉଛି । ଜଣେ ମଦ ବ୍ୟବସାୟୀ ତଥା ବଡ଼ ନେତାଙ୍କଠାରୁ କୋଟି କୋଟି ଟଙ୍କା ଧରାପଡ଼ିଲା । ଯାହାର ଫ୍ୟାକ୍ଟ୍ରି ବୌଦ୍ଧରେ ଥିଲା । ଜଣେ ନେତା ଏଠି ମଦ ବେପାରୀଙ୍କୁ ସହଯୋଗ କରୁଛନ୍ତି । ଅନ୍ୟ ଜଣେ ନେତା ପତ୍ର ଚାଷ କରିଛନ୍ତି । ରାଜସ୍ୱ ଲାଭ ଆଶାରେ ଏମାନଙ୍କୁ ସରକାର ପ୍ରୋତ୍ସାହନ ଦେଉଛନ୍ତି ।

ଏଠାରେ ଲମ୍ବା ୨୫ ବର୍ଷର ଦୀର୍ଘ ଶାସନ ପରେ ବି ଲୋକଙ୍କୁ ଶୁଦ୍ଧ ପାଣି ମୁନ୍ଦିଏ ମିଳୁନାହିଁ । ଯୁବକଙ୍କୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ପଡୁଛି । ରାଜ୍ୟର ଘର ଘରକୁ ପାଣି ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ୧୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଥିଲେ ମଧ୍ୟ ରାଜ୍ୟ ସରକାର ପିଇବା ପାଣି ଟୋପାଏ ଦେଇପାରୁନାହାନ୍ତି । ମୋଦୀ ଦେଇଥିବା ଅର୍ଥରୁ ମାତ୍ର ୮୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । କୁପୋଷଣ ଜାତୀୟ ହାର ତୁଳନାରେ ଓଡ଼ିଶାରେ ଅଧିକ ରହିଛି । ରାଜ୍ୟ  ସରକାର ଓଡ଼ିଶାରେ ଏପରି ବିକାଶ କରିଛନ୍ତି ଯେ ରାଜ୍ୟରେ ୧୦୦ରୁ ଅଧିକ ଗାଁର ଲୋକେ ଭୋଟ ବର୍ଜନ ଧମକ ଦେଉଛନ୍ତି । ଏହି ସରକାର ସ୍ଥାଣୁ ସରକାର, ଠିକାଦାର ମାନଙ୍କ ସରକାର । ବାହାର ରାଜ୍ୟକୁ ଠିକା ବାଣ୍ଟିବା ଓ  ଓଡ଼ିଆ ଲୋକଙ୍କୁ ହତାଶ କରିବାର ସରକାର । ଏହା ଏକ ନମ୍ବର ସରକାରର ପ୍ରମାଣପତ୍ର କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ ।

ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିଗତ ୧୦ ବର୍ଷର ବିକାଶମୂଳକ କାର୍ଯ୍ୟ ଭାରତକୁ ଅଭିବୃଦ୍ଧିର ନୂଆ ଉଚ୍ଚତାରେ ପହଞ୍ଚାଇଛି । ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ କଲ୍ୟାଣକାରୀ ପଦକ୍ଷେପ ଉପରେ ସମସ୍ତଙ୍କ ଭରସା ବଢିଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ଓଡ଼ିଶାକୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ମୋଦୀ ଓଡ଼ିଶାକୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବାବଦକୁ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୪ ଲକ୍ଷ ଘର ଦେଇଛନ୍ତି । ବୌଦ୍ଧରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରି ଆବାସ ଯୋଜନାରେ ଗରିବ ପରିବାରଙ୍କୁ ମୋଟ ୬୪ ହଜାର ଘର ଦିଆଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାରେ ୩ କୋଟି ୨୬ ଲକ୍ଷ ଓ ବୌଦ୍ଧ ଜିଲ୍ଲାରେ ୩ ଲକ୍ଷ ୬୦ ହଜାର ଲୋକଙ୍କୁ ୧୫୧ କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ମାସକୁ ମାଗଣାରେ ପାଞ୍ଚ କେଜି ଚାଉଳ ଦେଉଛନ୍ତି ।

ଏହାର ମୋଦି ଗ୍ୟାରେଣ୍ଟି ୨୦୨୯ ପର୍ଯ୍ୟନ୍ତ ରହିଛି । ପ୍ରାୟ ୫୪ ଲକ୍ଷ ଲାଭାର୍ଥୀଙ୍କ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇ ଦିଆଯାଇଥିବା ବେଳେ ବୌଦ୍ଧରେ ୬୦ ହଜାର ଗ୍ୟାସ ଚୁଲା ଦିଆଯାଇଛି । କୋଭିଡ ସମୟରେ ମାଗଣା ଟିକା ଦେଇଛନ୍ତି ।

ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି । ମୋଦୀଙ୍କ ବିଶ୍ୱସନୀୟତା ଓଡ଼ିଶାରେ ସର୍ବାଧିକ ଅଛି ।  ଏଥିପାଇଁ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଯୋଡିହେବା ପାଇଁ ଚାହୁଁଛନ୍ତି । ରାଜ୍ୟରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ଲଢେଇ ହେଉଛି ।

ଏଥର ପୂର୍ଣ୍ଣ ବହୁମତରେ ସରକାର ହେବ । ଓଡ଼ିଶାରେ ପରିବର୍ତ୍ତନର ସ୍ୱର ମୁଖର ହୋଇଛି ବୋଲି କହିଛନ୍ତି । ଆଜି ମିଶ୍ରଣ ପର୍ବରେ ମୋଦୀ ଗ୍ୟାରେଣ୍ଟି ଉପରେ ଆସ୍ଥାପ୍ରକଟ କରିବା ସହ ଓଡ଼ିଶାରେ ସରକାର ପରିବର୍ତ୍ତନର ସଂକଳ୍ପ ନେଇ ଦଳରେ ଯୋଗଦେଇଥିବା କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ ।

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ବୌଦ୍ଧ ସ୍ଥିତ ରାମେଶ୍ୱର ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ । ସେ କହିଥିଲେ ଓଡ଼ିଆ ଅସ୍ମିତାକୁ ନେଇ ମୋ ମନରେ ସ୍ୱାଭିମାନ ଅଛି । ଓଡ଼ିଆ ଐତିହ୍ୟକୁ ନେଇ ମୋ ମନରେ ଗୌରବ ଅଛି ।  ଏହି ମନ୍ଦିର ଓଡ଼ିଆ ଜାତି, ପରମ୍ପରା ଓ ସଂସ୍କୃତିର ପବିତ୍ର ସ୍ଥଳ ବୋଲି  କହିଥିଲେ ।

 

LEAVE A REPLY

Please enter your comment!
Please enter your name here