ପୂର୍ବତନ ଆଇ.ଜି.ପି ବିଶ୍ଵକେଶ  ତ୍ରିପାଠୀଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ.  ସଂଘର ଶୋକ

0
50

By Our Correspondent 

CUTTACK/BHUBANESWAR:   ପୂର୍ବତନ ଆଇ.ଜି.ପି ବିଶ୍ଵକେଶ ତ୍ରିପାଠୀଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ ସଂଘର ସଦସ୍ୟଗଣ ଦୁଃଖ ପ୍ରକାଶ କରିଛନ୍ତି l ଆଜି ସନ୍ଧ୍ୟାରେ  ଭୁବନେଶ୍ବରସ୍ଥିତ ପୋଲିସ ସେବା ଭବନ  ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହା ସହ ସ୍ଵର୍ଗତ ତ୍ରିପାଠୀଙ୍କ ସ୍ମତିଚାରଣ କରାଯାଇଥିଲା l 

ଏହି ଅବସରରେ ସ୍ଵର୍ଗତ ତ୍ରିପାଠୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା l ସଂଘ ତରଫରୁ ସ୍ଵର୍ଗତ ତ୍ରିପାଠୀଙ୍କ ପରିବାର ବର୍ଗଙ୍କ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରାଯାଇଥିଲା l

ସ୍ଵର୍ଗତ ତ୍ରିପାଠୀ  ଜଣେ ସୁଦୃଢ ଆଇ.ପି.ଏସ ଅଧିକାରୀ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡ଼ିଜିପି ଶ୍ରୀ ଷଡଙ୍ଗୀ କହିଥିଲେ । ଏହା ସହ ନିଜର ଚାକିରି କାର୍ଯ୍ୟକାଳ ସମୟରେ ବିଭିନ୍ନ ଗୁରୁତ୍ଵପୂର୍ଣ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଥିଲେ। ଏହା ବ୍ୟତୀତ ସ୍ଵର୍ଗତ ତ୍ରିପାଠୀ ସିଆରପିଏଫ ଏବଂ ବିଏସଏଫକୁ ଡେପୁଟେସନରେ ଯାଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।

 1967 ମସିହାରେ କୋଲକାତା ଏବଂ ହାଇଦ୍ରାବାଦ ଠାରେ ନକ୍ସଲ ସମସ୍ୟାକୁ ସମାଧାନ କରିବାରେ ସେ ଗୁରୁତ୍ୱପୂର୍ଣ ଭୁମିକା ତୁଲାଇଥିଲେ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ। ଏହା ସହ ସେ ସମସ୍ୟାପ୍ରବଣ ନାଗାଲାଣ୍ଡ, ମିଜୋରାମ, ପଞ୍ଜାବ ଭଳି ଗୁରୁତ୍ୱପୂର୍ଣ ସ୍ଥାନରେ କାର୍ଯ୍ୟ କରି ସୁନାମ ଆଣିଥିଲେ ବୋଲି କହିଥିଲେ। ତାଙ୍କ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଡ଼ିଜିପି ନିଜ ପ୍ରତିକ୍ରିୟାରେ କହିଥିଲେ ।

ପ୍ରାରମ୍ଭରେ ଆଇପିଏସ ସଂଘର ସମ୍ପାଦକ ତଥା ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ଵର୍ଗତ ତ୍ରିପାଠୀଙ୍କ ଚାକିରୀ ଜୀବନ ସମ୍ପର୍କରେ  ଆଲୋକପାତ କରିବା ସହ ତାଙ୍କର ସାହିତ୍ୟକୃତି ଏବଂ ରଚିତ ପୁସ୍ତକ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କାରାଗାର ଏବଂ ସଂସ୍କାର ସେବା) ଶ୍ରୀ ଦୀପ୍ତେଶ କୁମାର ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଶ୍ରୀ ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଶ୍ରୀ ଦୟାଲ ଗଙ୍ଗୱାର, ଆଇ.ଜି.ପି (ବିପିଏସପିଏ) ଶ୍ରୀମତୀ ଏସ. ସାଇନ, ଅତିରିକ୍ତ ପୋଲିସ କମିଶନର ଶ୍ରୀ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ l ପୋଲିସ ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here