ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ଥିବା ସମୟରେ ବିଜେଡିର ନୂଆ ନେତା ସାଜିଥିବା ଭି.କେ ପାଣ୍ଡିଆନ ସରକାରୀ ଷ୍ଟାଡିୟମ, ମେଡିକାଲ କଲେଜ, ଅଡିଟୋରିୟମ ଆଦିକୁ ଖୋଲାଖୋଲି ବିଜେଡି ଦଳୀୟ କାର୍ଯ୍ୟରେ ବ୍ୟବହାର କରି ପ୍ରଚାର କାର୍ଯ୍ୟ କରୁଛନ୍ତି-ବିଜେପି

0
48

By Our Correspondent

BHUBANESWAR:  ଆଇନକାନୁନ, ନୀତିନିୟମକୁ ଜଳାଞ୍ଜଳୀ ଦେଇ ପ୍ରଭାବିତ କରି ଭୋଟ ହାତେଇବାକୁ ସମସ୍ତ ପ୍ରକାରର ପନ୍ଥା ଆପଣାଇଛି ଶାସକ ବିଜେଡି । ସରକାରୀ କଳ ଓ ବଳକୁ ବ୍ୟବହାର କରିଚାଲିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ଫରକ ପଡୁନାହିଁ , ବରଂ ଏଭଳି ଆଇନ ଅମାନ୍ୟ କାର୍ଯ୍ୟକଳାପ ବଢିଚାଲିଛି । ରାଜ୍ୟ ସରକାରଙ୍କ କଲ୍ ସେଂଟରରୁ ଫୋନ୍ କରି ଧମକ ଚମକ ଦିଅଯାଇ ଭୋଟରମାନଙ୍କୁ ଭୟଭୀତ କରାଯାଉଛି ।

ଏପରିକି ରାସନ କାର୍ଡ, ବିଏସକେୱାଇ କାର୍ଡ, ଭତା କାର୍ଡ ସମେତ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ତାଲିକାରୁ ନାମ କାଟି ଦିଅଯିବାର ମଧ୍ୟ ଧମକ ଦିଆଯାଉଛି । ଶାସକ ବିଜେଡିର ଏହା ଚିରାଚରିତ ଅଭ୍ୟାସ ଏବଂ ଅତୀତରେ ମଧ୍ୟ ଏଭଳି ଘଟଣା ପ୍ରସଙ୍ଗରେ ଅନେକ ପ୍ରମାଣ ଦିଆଯିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଆଜି ପୁଣି ଥରେ ସମ୍ବଲପୁର ଓ ପାଟଣାଗଡରେ ଘଟିଥିବା ଏଭଳି ଏକ ହୀନ ଘଟଣା ପ୍ରସଙ୍ଗରେ ତଥ୍ୟ ଓ ପ୍ରମାଣ ସହିତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି ।

ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ । ଭିଡିଓ ଜରିଆରେ ଓଡିଶାରେ ଘରେ ବସି ରହି ନବୀନ ବାବୁଙ୍କ ଶାସନ ଚାଲିଛି । ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ ପାଇଛି । ଅନ୍ୟ ପଟେ ପ୍ରଶାସନିକ ଅଧିକାରୀରୁ ବିଜେଡିର ନୂଆ ନେତା ସାଜିଥିବା ଶ୍ରୀ ଭି.କେ.ପାଣ୍ଡିଆନ ସରକାରୀ କଳକୁ ନଗ୍ନ ଭାବେ ବ୍ୟବହାର କରିଚାଲିଛନ୍ତି ।

ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ଥିବା ସମୟରେ ଶ୍ରୀ ପାଣ୍ଡିଆନ ସରକାରୀ ଷ୍ଟାଡିୟମ, ମେଡିକାଲ କଲେଜ, ଅଡିଟୋରିୟମ ଆଦିକୁ ଖୋଲାଖୋଲି ବିଜେଡି ଦଳୀୟ କାର୍ଯ୍ୟରେ ବ୍ୟବହାର କରି ପ୍ରଚାର କାର୍ଯ୍ୟ କରୁଛନ୍ତି । ଏପରିକି ରାଜ୍ୟ କିମ୍ବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅବଗତ କରୁନାହାନ୍ତି ।

ବାରମ୍ବାର ଅଭିଯୋଗ ସତ୍ୱେ ତାଙ୍କ ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଗତ ୨୧ ତାରିଖ ଦିନ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଶ୍ରୀ ରୋହିତ ପୂଜାରୀ ଏବଂ କଟକ ମହାନଗର ନିଗମ କମିଶନର ଶ୍ରୀ ସୁବାଷ ସିଂଙ୍କ ଉପସ୍ଥିତିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିବା ଏକ ଦଳୀୟ କାର୍ଯ୍ୟରେ ଶ୍ରୀ ପାଣ୍ଡିଆନ ଭର୍ଚୁଆଲ ମୋଡରେ ଯୋଗ ଦେଇ ଭୋଟ ପ୍ରଚାର କାର୍ଯ୍ୟ କରିଥିଲେ । ଏହା ସଂପୂର୍ଣ୍ଣ ଭାବେ ଆଇନବିରୋଧୀ । ଯଥାଶୀଘ୍ର ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଶାସକ ବିଜେଡି ଏବଂ କିଛି ମୁଷ୍ଟିମେୟ ଅଫିସରଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗକୁ ଉପସ୍ଥାପନା କରୁଛୁ । ଏଭଳି ସମ୍ବେଦନଶୀଳ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ ଅଧିକାରୀ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ପୁଣି ଥରେ ଦାବୀ କରିଛୁ । ନଚେତ୍ ଜାତୀୟ ନିର୍ବାଚନ କମିଶନ ସମେତ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଦାବୀ ଉପସ୍ଥାପନା କରିବୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପବିତ୍ର ଦାସ ଓ ନିୟତି ଗିରି ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here