Union Minister Dharmendra Pradhan visits proposed buildings for Kendiriya Vidyalayas

0
379

By Our Correspondent

ANGUL/TALCHER/BHUBANESWAR: ଓଡିଶାରେ ଦକ୍ଷତା ବିକାଶ ଓ ଶିକ୍ଷାକୁ ଗୁରୁତ୍ୱ ଦେଇ ଯୁବ ସମାଜକୁ ଉଦ୍ୟମୀ କରିବାକୁ ପଡିବ । ତିନିଦିନିଆ ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ଅନ୍ତିମ ଦିନରେ ତାଳଚେରରେ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରଦର୍ଶନ ସହ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ପ୍ରଥମେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ହିଙ୍ଗୁଳା ମା’ଙ୍କ ପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା ଅବସରରେ ହିଙ୍ଗୁଳା ମା’ଙ୍କ ଦର୍ଶନ କରିଥିଲେ । ଉଭାସ୍ଥଳୀରେ ପୂଜାର୍ଚ୍ଚନା କରିବା ସହ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମନ୍ଦିର ପରିସରରେ ସଫେଇ କର୍ମଚାରୀ ଭାଇ ମାନଙ୍କୁ ଭେଟି ସେମାନଙ୍କ କାର୍ଯ୍ୟକୁ ପ୍ରଂଶସା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମା’ହିଙ୍ଗୁଳା ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ତାଙ୍କ କୃପା ବିଶ୍ୱବାସୀଙ୍କ ଉପରେ ସର୍ବଦା ରହିଥାଉା

ଏହାବତିତ ପୂଜାସ୍ଥଳରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ପୂଜାସ୍ଥଳ ସମେତ ସର୍ବସାଧାରଣରେ ପ୍ଲାଷ୍ଟିକ୍ ବିଶେଷ ଭାବରେ ସିଙ୍ଗଲ ୟୁଜ୍ ବା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରାଯିବା ଦରକାର ଏବଂ ଏହାକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ପଡିବ ବୋଲି ସେ କହିଛନ୍ତି । ସେହିପରି ତାଳଚେର ବୃକ୍ଷରୋପଣ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।

ପରବର୍ତୀ ପର୍ଯ୍ୟାୟରେ ତାଳଚେରରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଏମସିଏଲର ଜଗନ୍ନାଥ ଏବଂ ସୁଭଦ୍ରା ଅଂଚଳରେ ପ୍ରସ୍ତାବିତ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହ ପରିଦର୍ଶନ କରିବା ସହ ବିଭାଗୀୟ କର୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଅନୁସାରେ ଓଡ଼ିଶାରେ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବ ସମାବେଶୀ ଓ ସୁଲଭ ମୂଲ୍ୟରେ ପ୍ରଦାନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ସେହିପରି ଏମସିଏଲ ଏହି କାମରେ ସହଯୋଗୀ ହୋଇଥିବାରୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି ।

ଅନୁରୂପ ଭାବରେ କେନ୍ଦ୍ରମନ୍ତ୍ରୀ ତାଳଚେରର ପୁରଣା ଆରଟିଓ ବିଲଡିଂ ଠାରେ ଅନ୍ୟ ଏକ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀ ଗୃହ ପରଦର୍ଶନ କରିଥିଲେ । ଏହା ପରେ ଡ଼େରା ପଂଚାୟତର ନିର୍ମାଣାଧୀନ କୋଲିୟରୀ ହାଇସ୍କୁଲ ବୁଲି ଦେଖିବା ସହ ସ୍କୁଲ ନିର୍ମାଣ କାମ ଅଗ୍ରଗତି ନେଇ ଜିଲ୍ଲା ପ୍ରଶାସନ ଓ ପ୍ରଶାସନିକ ଅଧିକାରୀଙ୍କ ସହ କଥା ହୋଇଥିଲେ ।

ସେହିପରି ତାଳଚେର ଠାରେ ଥିବା ବିଜୁ ପଟ୍ଟନାୟକ କୌଶଳ ପ୍ରଶିକ୍ଷକ ତାଲିମ କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀ ଗସ୍ତ କରିଥିଲେ । ତାଲିମ କେନ୍ଦ୍ରରେ ଦିଆଯାଉଥିବା ପ୍ରଶିକ୍ଷଣ ଉପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଯୁବପିଢିଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରିବା ଦିଗରେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁଷ୍ଠାନକୁ ଯୋଡିବା ପାଇଁ ପ୍ରଧାନ୍ୟ ଦିଆଯାଇଛି । ବର୍ତମାନ ଶିଳ୍ପସଂସ୍ଥା ଗୁଡ଼ିକ ପ୍ରଶିକ୍ଷଣ, ସ୍କିଲିଂ ଏବଂ ରି-ସ୍କିଲିଂର ଗୁରୁତ୍ୱକୁ ବୁଝିଛନ୍ତି । ଏ ଦୃଷ୍ଟିରୁ ଅନୁଗୋଳ ସମେତ ପଡ଼ୋଶୀ ଜିଲ୍ଲାରେ ଥିବା ଶିଳ୍ପ ଅନୁଷ୍ଠାନରେ ପ୍ରଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପଦକ୍ଷେପ ନେବାକୁ କର୍ତୃପକ୍ଷଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here