Union Education Minister attends first Convocation Ceremony of IIM Mumbai

0
134

By Our Correspondent

BHUBANESWAR: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗରିବ, ବଞ୍ଚିତ ବର୍ଗ ଏବଂ ମହିଳାଙ୍କ ଭାଗିଦାରୀରେ ରେକର୍ଡସଂଖ୍ୟକ ଉନ୍ନତି ହୋଇଛି, ଯାହା ଜ୍ଞାନ ଭିତ୍ତିକ ସମାଜର ପ୍ରତିଫଳନ ବୋଲି ଶନିବାର ଆଇଆଇଏମ ମୁମ୍ବାଇର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚ ଶିକ୍ଷା ଉପରେ ଅଖିଳ ଭାରତୀୟ ସର୍ବେକ୍ଷଣ(AICTE) ୨୦୨୧-୨୨ ଜାରି ହୋଇଛି । ଉଚ୍ଚ ଶିକ୍ଷାରେ ୨୦୨୧-୨୧ ଶିକ୍ଷା ବର୍ଷରେ ୪.୧୪ କୋଟି ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ବର୍ଷ ୨୦୨୧-୨୨ରେ ବଢି ପ୍ରାୟ ୪.୩୩ କୋଟି ହୋଇଛି । ୨୦୧୪ରେ କେବଳ ୩.୪୨ କୋଟି ଜଣ ପିଲା ନାମ ଲେଖାଇଥିଲେ । ଏବେ ଏଥିରେ ପ୍ରାୟ ୯୧ ଲକ୍ଷ ବା ୨୬.୫ ପ୍ରତିଶତ ବୃଦ୍ଧି ହୋଇଛି ।

 ସେହିପରି ଛାତ୍ରଛାତ୍ରୀଙ୍କ ନାମଲେଖାରେ ୨୦୨୦-୨୧ରେ ୨.୦୧ କୋଟିରୁ ବଢି ୨୦୨୧-୨୨ରେ ୨.୭ କୋଟିକୁ ବୃଦ୍ଧି ହୋଇଛି । ୨୦୧୪-୧୫ରେ ଛାତ୍ରୀଙ୍କ ସଂଖ୍ୟା ୧.୫୭ କୋଟିରେ ଥିବା ବେଳେ ଏବେ ଏଥିରେ ପ୍ରାୟ ୫୦ ଲକ୍ଷ ବା ୩୨ ପ୍ରତିଶତ ବୃଦ୍ଧି ହୋଇଛି । ଓବିସି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉଚ୍ଚ ଶିକ୍ଷାରେ ୨୦୧୪-୧୫ରେ ୧.୧୩ କୋଟି ଥିବା ବେଳେ ୨୦୨୧-୨୨ରେ ୧.୬୩ କୋଟି ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନର ପିଢିଙ୍କୁ ଅମୃତ ପିଢି ନାମରେ ନାମିତ କରିଛନ୍ତି । ଏହି ପିଢି ସାମାଜିକ- ଅର୍ଥନୈତିକ ପରିବର୍ତ୍ତନର ଅଗ୍ରଦୂତ ହେବେ ଏବଂ ଆଗାମୀ ୨୫ ବର୍ଷ ପାଇଁ ବିଶ୍ୱ ଓ ସମାଜର ଥିବା ସମସ୍ୟାର ସମାଧାନ କରିବାର ଦାୟିତ୍ୱ ନେବେ । ଚାକିରି ଅନ୍ୱେଷଣରେ ନ ରହି ଯୁବପିଢିମାନେ ନିଯୁକ୍ତିଦାତା ହେବା ପାଇଁ ଚେଷ୍ଟା କରିବା ଉଚିତ୍ । ନିଯୁକ୍ତି ଦେଲେ ହି ମନରେ ଆନନ୍ଦ ଆସିବ । ଏହା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ମଧ୍ୟ ରହିଛି । ବର୍ତ୍ତମାନ ସମୟରେ ଆମକୁ ଉଦ୍ୟମିତା ସହ ନୂଆ ନୂଆ ୟୁନିକର୍ଣ୍ଣ ସୃଷ୍ଟି କରିବା ଉପରେ ଦୃଷ୍ଟି ଦେବାକୁ ହେବ ।

ମୁମ୍ବାଇର ବିଜେନେସ ସ୍କୁଲ ପ୍ରତିଷ୍ଠା କରିବା ଦୀର୍ଘ ଦିନର ଦାବି ଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହାକୁ ପୂରଣ କରାଯାଇଛି । ଏହି ଅନୁଷ୍ଠାନ ଶ୍ରେଷ୍ଠ ମାନବ ସମ୍ବଳ ତିଆରି କରିବାରେ ଅନ୍ୟତମ କାଟାଲିଷ୍ଟ ହେବ । ଆଇଆଇଏମ, ମୁମ୍ବାଇ ଉଦ୍ୟମୀ ଓ ଭବିଷ୍ୟତ ପାଇଁ ୟୁନିକର୍ଣ୍ଣ ପ୍ରସ୍ତୁତ କରିବାକୁ ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା  ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଆଇଆଇଏମ ମୁମ୍ବାଇ ଦେଶର ଅଗ୍ରଣୀ ବିଜନେସ୍ ସ୍କୁଲ ଭାବରେ ଉଭା ହେବା ପାଇଁ କାର୍ଯ୍ୟ କରିବା ଉଚିତ୍ । ଆଇଆଇଏମ୍ ମୁମ୍ବାଇ ଏକ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ର ଏବଂ ଚରିତ୍ର ନିର୍ମାଣ ଏବଂ ରାଷ୍ଟ୍ର ନିର୍ମାଣର ଅନୁଷ୍ଠାନ ଭାବରେ ପରିଣତ ହୋଇଛି । ବିଶ୍ୱ ସମୁଦାୟ ପ୍ରତି ଆମକୁ ଆମର ‘କର୍ତ୍ତବ୍ୟବୋଧ’କୁ ଅନୁଭବ କରିବାକୁ ହେବ ଏବଂ ଏହି ଲକ୍ଷ୍ୟକୁ ସାକାର କରିବା ଦିଗରେ ମିଳିତ ନେତୃତ୍ୱ ନେବାକୁ ପଡ଼ିବ ।

ଭାରତ ବିଶ୍ୱ ଅର୍ଥନୀତିର କେନ୍ଦ୍ରସ୍ଥଳୀ କରିବା ପାଇଁ ହେଲେ ଆଇଆଇଏମକୁ ଦାୟିତ୍ୱ ନେବାକୁ ପଡ଼ିବ ଏବଂ ବିକଶିତ ଭାରତ ନିର୍ମାଣରେ ସେମାନଙ୍କ ଭୂମିକା ନିର୍ବାହ କରିବାକୁ ପଡ଼ିବ । ଏହି ସମାବର୍ତ୍ତନ ସମାରୋହରେ ସ୍ନାତକ, ପଦକ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ  ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here