Second edition of IInvenTiv at IIT Hyderabad inaugurated

0
160

By Our Correspondent

BHUBANESWAR:  ପ୍ରାଚୀନ ଭାରତ ଉଦ୍ଭାବନର ଭୂମି ଥିଲା । ଆଜିର ଆଧୁନିକ ଭାରତ ବିଶ୍ୱ ମିତ୍ର ଭାବରେ କାର୍ଯ୍ୟ କରି ଟେକ୍ନୋଲୋଜିର ଉପଯୋଗ କରି ଆମର ବ୍ୟବଧାନକୁ ଦୂର କରିବା ସହ ନୂଆ ଉଚ୍ଚତାରେ ପହଞ୍ଚୁଛି । ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟରେ ଅଗ୍ରସର ଆମ ଦେଶ ଗବେଷଣା, ଉଦ୍ଭାବନ ଏବଂ ଉଦ୍ୟମିତାକୁ ପରିବର୍ତ୍ତନର ସାରଥୀ କରିବାର ଲକ୍ଷ୍ୟ ରଖିଛି । ଆଇଆଇଟି ହାଇଦ୍ରାବାଦରେ ଇନଭେନଟିଭ (IInvenTiv)ର ଦ୍ୱିତୀୟ ସଂସ୍କରଣର ଉଦଘାଟନ କରିବା ଅବସରରେ କହିଛନ୍ତି  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଉଚ୍ଚ ଶିକ୍ଷାନୁଷ୍ଠାନର ଗବେଷଣା ଓ ବିକାଶ ଉଦ୍ଭାବନ ମେଳା ଇନଭେନଟିଭର ଉଦଘାଟନ  ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଭାରତ ‘ଉଦ୍ଭାବନ ଏବଂ ଉଦ୍ୟମିତା କ୍ଷେତ୍ରରେ ଭାରତ ବଡ ଲମ୍ଫ ଦେଇଛି । ବିଶ୍ୱ ବର୍ତ୍ତମାନ ମୂଳ, ଭବିଷ୍ୟତବାଦୀ ଏବଂ ସ୍ଥାୟୀ ବିକାଶ ଉପରେ କେନ୍ଦ୍ରୀତ ଭାରତୀୟ ବିକାଶ ମଡେଲକୁ ସ୍ୱୀକୃତି ଦେଇଛି । ବଜାର ସମୂହ ଓ କଲ୍ୟାଣକାରୀ ଅର୍ଥନୀତିର ଗତିକୁ ଚିହ୍ନଟ କରିବାରେ ଆମର ଶକ୍ତି ରହିଛି । ଏଥିପାଇଁ ପଲିସି ମେକିଂ ମାନୁଫାକ୍ଚରିଂ ସେକ୍ଟରକୁ ସ୍ଥାନାନ୍ତରିତ ହୋଇଛି, ଯେଉଁଥିରେ ରଣନୀତି ଓ ଫୋକସ୍ କ୍ଷେତ୍ର ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଭାରତକୁ ଉତ୍ପାଦନର ପେଣ୍ଠସ୍ଥଳୀ ଭାବରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । ଏହା ହେଲେ ଦେଶ ବର୍ତ୍ତମାନର ୧୭ ପ୍ରତିଶତ ତୁଳନାରେ ଜିଡିପିରେ ଅତି କମରେ ୨୫ ପ୍ରତିଶତ ଯୋଗଦାନ ରଖିବ  । ମେକ୍ ଇନ୍ ଇଣ୍ଡିଆ, ଇନଭେଷ୍ଟ ଇନ୍ ଇଣ୍ଡିଆ, ପିଏଲ୍ଆଇ ସ୍କିମ୍ ଏବଂ ଏଫଡିଆଇ ଉଦାରୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ନୀତିଗତ ପରିବର୍ତ୍ତନ ମାଧ୍ୟମରେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଭବିଷ୍ୟତରେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ଏବଂ ୫ ଟ୍ରିଲିୟନ ଡଲାର ଆମେରିକୀୟ ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବାରେ ଏଭଳି ପଦକ୍ଷେପ ଏକ ଉତ୍ପେରକ ଭାବରେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଇନୋଭେସନକୁ ପ୍ରାଥମିକତା ଦିଆଯାଉଛି । ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଭାରତୀୟ ସମୟକୁ ଉପଯୋଗ କରିବାକୁ ମନ୍ତ୍ରୀ ଯୁବ ଉଦ୍ଭାବକମାନଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ୨୦୪୭ ସୁଦ୍ଧା ଆମେ ବିକଶିତ ଭାରତ ହେବୁ, ନୂଆ ଯୁଗର ଉଦ୍ଭାବକ ଓ ଉଦ୍ୟୋଗୀ ହେବେ ନୂଆ ଭାରତର ଅଗ୍ରଦୂତ । ‘ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ’ ମନ୍ତ୍ରରେ ଦେଶର ଯୁବପିଢ଼ି ଭାରତକୁ ଗ୍ଲୋବାଲ ଇନୋଭେସନ ଲିଡର୍ ଭାବେ ପ୍ରତିଷ୍ଠା କରିବେ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here