Rastriya Adarsha Ved Vidyalaya – Centre for Hindu Studies at Central Sanskrit University- Puri

0
576

By Our Correspondent

PURI/BHUBANESWAR: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି (ମଙ୍ଗଳବାର) ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କରିବେ ।

ଉଜ୍ଜୟିନୀ ସ୍ଥିତ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ ବ୍ୟତିତ ବାହାରେ ପାଞ୍ଚଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଯୋଜନା କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ପୂର୍ବରେ ଶ୍ରୀଜଗନ୍ନାଥ ଧାମ ପୁରୀ ସ୍ଥିତ ଶ୍ରୀସଦାଶିବ କ୍ୟାମ୍ପସରେ ସାରା ଦେଶରେ ଦ୍ୱିତୀୟ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଶୁଭାରମ୍ଭ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କରକମଳରେ କରାଯିବ । ଆଗାମୀ ଦିନରେ ଅନ୍ୟ ତିନୋଟି ଧାମ ସମେତ ଉତ୍ତର-ପୂର୍ବ ରାଜ୍ୟରେ ଗୋଟିଏ ଲେଖାଁଏ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ ପ୍ରତିଷ୍ଠା କରାଯିବ । ଉତ୍ତରାଖଣ୍ଡର ବଦ୍ରିନାଥ, କର୍ଣ୍ଣାଟକର ଶୃଙ୍ଗେରୀ, ଗୁଜୁରାଟର ଦ୍ୱାରକା ଏବଂ ଆସାମର ଗୌହ୍ୱାଟିରେ ଏଭଳି ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି ।

ବର୍ଷ ୨୦୨୨-୨୩ ଶିକ୍ଷା ବର୍ଷରେ ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ପ୍ରାରମ୍ଭ ହେବାକୁ ଯାଉଥିବା ବେଦ ବିଦ୍ୟାଳୟରେ ବେଦ ଭୂଷଣ ଚତୁର୍ଥ(ନବମ ଶ୍ରେଣୀ) ଏବଂ ବେଦ ଭୂଷଣ ପଞ୍ଚମ(ଦଶମ ଶ୍ରେଣୀ) ତଥା ବେଦ ବିଭୂଷଣ ପ୍ରଥମ(ଏକାଦଶ ଶ୍ରେଣୀ) ଓ ବେଦ ବିଭୂଷଣ ଦ୍ୱିତୀୟ (ଦ୍ୱାଦଶ ଶ୍ରେଣୀ)ରେ ଯୋଗ୍ୟତାକୁ ଆଧାର କରି ପ୍ରବେଶ ଦିଆଯିବ । ଛାତ୍ରମାନଙ୍କର ଆବାସ ଓ ଭୋଜନର ବ୍ୟବସ୍ଥା ଛାତ୍ରାବାସରେ ନିଃଶୁଳ୍କ ରହିବ । ଏହି ଆଦର୍ଶ ବେଦ ବିଦ୍ୟାଳୟରେ ବୈଦିକ ସଂସ୍କୃତ ଏବଂ ଜ୍ଞାନର ଅନୁରୂପ ଛାତ୍ର ମାନଙ୍କର ନିର୍ଦ୍ଧାରିତ ପାରମ୍ପରିକ ବେଶଭୂଷା-ପରିଧାନ ଏବଂ ଉଚ୍ଚ ଅନୁଶାସନରେ ରହି ଅଧ୍ୟୟନ କରିବେ । 

ଛାତ୍ର ମାନଙ୍କୁ ବେଦ ଅଭ୍ୟାସ ସହିତ ସଂସ୍କୃତ, ଯୋଗ, ବିଜ୍ଞାନ, ଗଣିତ, ବୈଦିକ ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ ଭାଷା, କମ୍ପ୍ୟୁଟର, କୃଷି ବିଦ୍ୟା ଭଳି ବିଷୟରେ ଅଧ୍ୟୟନ ଅଭ୍ୟାସ କରାଯିବ । ଏହା ସହ କୌଶଳ ଉପରେ ଆଧାରିତ ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି । ଅନୁରୂପ ଭାବରେ ପ୍ରାରମ୍ଭରେ ଛାତ୍ରମାନେ ଋଗ ବେଦ, ଯଜୁର୍ବେଦ, ସାମ ବେଦ ଓ ଅଥର୍ବବେଦର ଗୋଟିଏ ଗୋଟିଏ ଶାଖାରେ ଛାତ୍ରମାନଙ୍କର ଉପଲବ୍ଧତା ଆଧାରରେ ପ୍ରବେଶ ଦିଆଯିବ ।

ପ୍ରତିଷ୍ଠାନରେ ରହି ଆଧ୍ୟାତ୍ମିକ ଜ୍ଞାନ ଅର୍ଜିତ କରିଥିବା ଛାତ୍ରମାନେ କେବଳ ଭାରତବର୍ଷରେ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଜ ବୈଦିକ ବାଙ୍ଗମୟର ସମଗ୍ର ଶିକ୍ଷାକୁ ହୃଦୟଙ୍ଗମ କରି ସମଗ୍ର ଜ୍ଞାନରାଶିକୁ ସମଗ୍ର ବିଶ୍ୱରେ ଏହି ଜ୍ଞାନ ପ୍ରସାରିତ କରିବେ । ଭାରତକୁ ବିଶ୍ୱଗୁରୁ ପଦରେ ପ୍ରତିଷ୍ଠିତ କରିପାରିବେ । ବେଦର ପ୍ରତିଷ୍ଠାରେ ଭାରତରେ ଉଚ୍ଚତର ଜ୍ଞାନ ପରମ୍ପରା ସହିତ ଭାରତର ଉଚ୍ଚତର ମୂଲ୍ୟବୋଧ ଓ ଜୀବନର ବିକାଶ ହୋଇପାରିବ । ସମସ୍ତ ବେଦ ଗୁଡ଼ିକର ଉଚ୍ଚ ଅଧ୍ୟୟନ, ଭାରତୀୟ ଜ୍ଞାନ ପ୍ରଣାଳୀ, ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦କୁ ଆଗେଇ ନେବା ଦିଗରେ ଓଡ଼ିଶା ପାଇଁ ଆସନ୍ତାକଲି ଏକ ମହତ୍ୱପୂର୍ଣ୍ଣ ଦିନ ।

ଏହି କ୍ୟାମ୍ପସ ପରିସରରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ଉଦଘାଟନ ସହ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here