National Level Football Tourney Baji Rout Cup 2022 concludes  

0
584

By Our Correspondent

TALCHER/DHENKANAL: ଢେଙ୍କାନାଳ, ଅନୁଗୋଳ ଓ ତାଳଚେର ଅଞ୍ଚଳରେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଫୁଟବଲ କପ- ୨୦୨୨’ ଯୁବବର୍ଗଙ୍କୁ ନୂଆ ଉତ୍ସାହ ଦେବା ସହ ସେମାନଙ୍କ ମଧ୍ୟରେ ଖେଳୁଆଡ ମନୋବୃତ୍ତି ବଢାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଅନୁଗୋଳ ଜିଲ୍ଲା ତାଳଚେରର ବ୍ଲାକ୍ ଡାଇମଣ୍ଡ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ମାଟିରେ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ନାଁରେ ଏହି ଜାତୀୟ ସ୍ତରର ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ମୋତେ ବହୁତ ଖୁସି ଦେଇଛି । ପ୍ରଥମ ଥର ପାଇଁ ଆୟୋଜିତ ଏହି ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ଢେଙ୍କାନାଳ, ଅନୁଗୋଳ ଓ ତାଳଚେର ଅଞ୍ଚଳର ମର୍ଯ୍ୟାଦା ବଢାଇଛି । ଯୁବବର୍ଗଙ୍କୁ ଫୁଟବଲ ଖେଳିବା ପାଇଁ ପ୍ରେରିତ କରିଛି ।

ଏମସିଏଲର ଏହି ବ୍ଲାକ୍ ଡାଇମଣ୍ଡ ଷ୍ଟାଡିୟମରେ ପ୍ରାୟ ୨୫ ବର୍ଷ ପରେ ଖେଳ ଆୟୋଜନ ହୋଇଛି । ଏଠାରେ ଖେଳ ପ୍ରତି ଜନ ଆକର୍ଷଣ ଉତ୍ସାହଜନକ । ଆଗାମୀ ଦିନରେ ମଧ୍ୟ ଏହି ଗଡଜାତ ଅଞ୍ଚଳରେ ସମସ୍ତଙ୍କ ଉଦ୍ୟମରେ ଖେଳ ଖେଳିବା ପାଇଁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି । ଏହି ଗ୍ରାଉଣ୍ଡରେ ବର୍ଷ ତମାମ  ନିରନ୍ତର ଆଥଲେଟିକ, କ୍ରିକେଟ୍, ଫୁଟବଲ ସହ ଅନ୍ୟାନ୍ୟ ଖେଳ ଖେଳିବାକୁ ଯୁବବର୍ଗଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି ।

ଆଜି ଦେଶରେ ଖେଲୋ ଇଣ୍ଡିଆ ଅଭିଯାନ, ଫିଟ୍ ଇଣ୍ଡିଆ ମାଧ୍ୟମରେ କ୍ରୀଡାକୁ ଅଗ୍ରାଧିକାର ଭିତ୍ତିରେ ପ୍ରୋତ୍ସାହନ ଦିଆଯାଉଛି । ନିକଟରେ ଫିଫା ଓ ଏଆଇଏଫଏଫ ସହଯୋଗରେ “ଫୁଟବଲ ଫର୍ ସ୍କୁଲ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଆଗାମୀ ୪ ବର୍ଷ ମଧ୍ୟରେ ଓଡ଼ିଶା ସମେତ ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଫୁଟବଲ କ୍ରୀଡାରେ ଯୋଡାଯିବା ସହ ୧୦ ଲକ୍ଷ ଫୁଟବଲ ବଣ୍ଟନ କରାଯିବାର ଯୋଜନା କରାଯାଇଛି ।

ସୂଚନାଯୋଗ୍ୟ, ‘ବାଜି ରାଉତ ଫୁଟବଲ କପ’ର ଫାଇନାଲ ମ୍ୟାଚ ତାଳଚେରର ବ୍ଲାକ୍ ଡାଇମଣ୍ଡ ଷ୍ଟାଡିୟମରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏବଂ ରାଜସ୍ଥାନର ୟୁନାଇଟେଡ୍ ଏଫସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ରାଜସ୍ଥାନ ୟୁନାଇଟେଡ ଏଫସି ଚାମ୍ପିୟନ ହୋଇଥିଲା ।  ବିଜୟୀ ଟିମକୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ରନର୍ସ ଅପ ହୋଇଥିବା ଗୋଆ ଚର୍ଚ୍ଚିଲ ବ୍ରଦର୍ସ ସମେତ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଓଡ଼ିଶା ସମେତ ସବୁ ଟିମର ପ୍ରଦର୍ଶନ ପ୍ରଶଂସନୀୟ ବୋଲି କହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ୍ ଢେଙ୍କାନାଳ, ଅନୁଗୋଳ ଓ ତାଳଚେରର ଯୁବବର୍ଗଙ୍କ ମଧ୍ୟରେ ଫୁଟବଲ ଓ ଅନ୍ୟାନ୍ୟ ଖେଳ ଖେଳିବା ପାଇଁ ନୂଆ ଉନ୍ମାଦନା ତିଆରି କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଟୁର୍ଣ୍ଣାମେଣ୍ଟକୁ ସଫଳତା ଭାବରେ ପରିଚାଳନା କରିଥିବାରୁ ଶ୍ରୀ ପ୍ରଧାନ ଆୟୋଜକ ‘ଆମେ ଓଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଏଥିରେ ସହଯୋଗୀ ହୋଇଥିବା ସର୍ବଭାରତୀୟ ଫୁଟବଲ ସଂଘ(ଏଆଇଏଫଏଫ), ଓଡ଼ିଶା ଫୁଟବଲ ସଂଘ, ଅନୁଗୋଳ ଓ ଢେଙ୍କାନାଳର ଜିଲ୍ଲା ପ୍ରଶାସନ, ଜିଲ୍ଲା ଆଥଲେଟିକ୍ ଆସୋସିଏସନ, ତାଳଚେରର ସବଡିଭିଜନାଲ ଆଥଲେଟିକ୍  ଆସୋସିଏସନ, ସ୍ୱେଚ୍ଛାସେବୀଙ୍କୁ କେନ୍ଦ୍ରମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here