International Conference on Holistic Approach towards Performance and Safety in Sports at Sri Sri University in Cuttack

0
391

By Our Correspondent

CUTTACK/BHUBANESWAR:  କ୍ରୀଡା କ୍ଷେତ୍ରରେ ଏଆଇ ଟେକ୍ନୋଲୋଜି କ୍ରୀଡାବିତଙ୍କ ଦକ୍ଷତା ବଢାଇବ । କ୍ରୀଡା ସହ ମିଶିଲେ ଏଆଇ ଖେଳର ଗୁଣବତ୍ତା ଆହୁରି ବୃଦ୍ଧି ପାଇବ ବୋଲି ଶନିବାର କଟକ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ କ୍ରୀଡା କ୍ଷେତ୍ରରେ ପ୍ରଦର୍ଶନ ଏବଂ ନିରାପତ୍ତା ଦିଗରେ ସାମଗ୍ରିକ ଆଭିମୁଖ୍ୟ ଉପରେ ଆୟୋଜିତ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ୨୦୨୩ (Holistic Approach Towards Performance And Safety In Sports 2023)ର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । 

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ କ୍ରୀଡାବିତ୍ ମାନଙ୍କର ଦକ୍ଷତା ବିକାଶ କ୍ଷେତ୍ରରେ ଏଆଇ ଟେକ୍ନୋଲୋଜି ବେଶ୍ ସହାୟକ ହୋଇପାରିବ । ଯେତେବେଳେ ଆମେ କୌଣସି ଏକ ଖେଳର ରୂପରେଖ ପ୍ରସ୍ତୁତ କରୁଛେ, ସେତେବେଳେ ଖେଳକୁ କିଭଳି ବିକଶିତ କଲେ, କେଉଁ ପ୍ରକାର ପଦ୍ଧତି ଆପଣାଇଲେ ଖେଳାଳିଙ୍କୁ ଲାଭ ଦେବ ଏଆଇ ତାହାକୁ ଭଲ ଭାବରେ ବିଶ୍ଲେଷଣ କରିପାରିବ । କ୍ରୀଡା ସହ ଏଆଇ ମିଶିଲେ ଖେଳର ଗୁଣବତ୍ତା ବୃଦ୍ଧି ପାଇବ । ଆଜି ଏହି ସେମିନାରରେ ପ୍ରଦର୍ଶିତ ଇନୋଭେସନରୁ ମିଲେଟରୁ ଯଦି ମୁଢି ତିଆରି ହେଉଛି, ଭିନ୍ନ ପଦ୍ଧତିରେ ଲିକ୍ୟୁଇଟି ଟି’ ପ୍ରସ୍ତୁତ ହୋଇପାରୁଛି, ଆପ ଜରିଆରେ ଗୁପଚୁପ ପାଣିର ପରୀକ୍ଷା ମାନ ବିଷୟରେ ଆମେ ଜାଣିପାରୁଛେ, ତେବେ ଏହା ମଧ୍ୟ ହେବା ସମ୍ଭବ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆମ ସଭ୍ୟତାରେ ଖେଳର ପ୍ରାସଙ୍ଗିକତା ବହୁ ପୂର୍ବରୁ ରହିଆସିଛି । ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଖେଳ ଏକ ମେଡାଲ ନୁହେଁ ବରଂ ସ୍ପିରିଚ୍ୟୁଆଲ ସହ ଯୋଡି ହୋଇଥିବା ବିଷୟ ।  ଫିଟ୍ ରହିବା ସହ ସୁସ୍ଥ ରହିବା ପାଇଁ ବୈଜ୍ଞାନିକ ଓ ମନସ୍ତତ୍ତ୍ୱବିତମାନେ ପରାମର୍ଶ ଦେଇଛନ୍ତି । ଶରୀର ଓ ମନ ଭଲ ରହିଲେ ସମାଜ ଭଲ ରହିବ । ଆଜିର ପ୍ରାୟ ସବୁ ଭଲ ଖେଳାଳି ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟରୁ ହିଁ ଆସୁଛନ୍ତି । ଏହାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦୀର୍ଘ ୩୪ ବର୍ଷ ପରେ ପ୍ରଣୀତ ରାଷ୍ରୀଜ ୟ ଶିକ୍ଷା ନୀତିରେ ଖେଳ,ସୃଜନଶୀଳତା ଏବଂ ଶାରିରୀକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ସ୍କୁଲରେ ଶାରିରୀକ ଶିକ୍ଷା ଏବଂ ଖେଳକୁ ନିୟମିତ ପାଠପଢାର ଏକ ବିଷୟର ରୂପ ଦିଆଯାଇଛି । ବାଲବାଟିକାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖେଳକୁ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ଭାବେ ନୁହଁ ବରଂ ବିଧିବଦ୍ଧ ଭାବେ ବିଷୟ ଭାବେ ନିଆଯାଇ ପଢାଯିବାର ବ୍ୟବସ୍ଥା ହୋଇଛି । ଖେଳ ଏବଂ ଯୋଗ ଅନୁଶାସନ, ଟିମ ଓ୍ୱାର୍କ ଏବଂ ଅଧ୍ୟବସାୟ ଭଳି ଆବଶ୍ୟକ ଜୀବନ କୌଶଳକୁ ମଧ୍ୟ ବିକଶିତ କରୁଛି।

ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ଦିନରେ ଜେଇଇ ମେନ୍ ଓ ଜେଇଇ ଆଡଭାନ୍ସ ପରୀକ୍ଷା ମାଧ୍ୟମରେ ଆଇଆଇଟିରେ ନାମ ଲେଖାଉଥିବା ପିଲା ମାନଙ୍କୁ ସ୍ପୋର୍ଟ୍ସ କୋଟାରେ ମଧ୍ୟ ଚୟନ କରାଯିବାର ଯୋଜନା ରହିଛି । ସେ କହିଛନ୍ତି ଯେ ଦେଶରେ ପ୍ରାୟ ୧୫ ଲକ୍ଷରୁ ଅଧିକ ପିଲା ଜେଇଇ ପରୀକ୍ଷା ଦିଅନ୍ତି । ୨. ୫ ଲକ୍ଷ ପିଲାମାନେ ଜେଇଇ ଆଡଭାନ୍ସ ପରୀକ୍ଷା ଦିଅନ୍ତି । ସେମାନଙ୍କ ମଧ୍ୟରୁ ହାରାହାରି ଏକ ହଜାର ପିଲାମାନେ ଆଇଆଇଟିରେ ନାମ ଲେଖାଇବାର ସୁଯୋଗ ପାଆନ୍ତି । ତେବେ ଆଇଆଇଟି କାଉନସିଲ ଆଗାମୀ ଦିନରେ ଜେଇଇ ଆଡଭାନ୍ସ ଓ ଜେଇଇ ମେନ ପରୀକ୍ଷାରେ କିଛି ପିଲାଙ୍କୁ ସ୍ପୋର୍ଟ୍ସ କୋଟାରେ ଆଇଆଇଟିରେ ନାମ ଲେଖାଯିବାର ଯୋଜନା କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଏଥିପାଇଁ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତାର ପ୍ରବନ୍ଧନ ରହିଛି ।   

ଓଡ଼ିଶା ଖେଳର ଏକ ସ୍ୱାଭାବିକ ସ୍ଥାନ । ଆଥଲେଟିକ୍ସ, ହକି ଓ ମହିଳା ଫୁଟବଲରେ ଓଡ଼ିଶାର ବିଶେଷ ନାଁ ଅଛି । ୨୦୩୬ ଅଲିମ୍ପିକ୍ସିରେ ଭାରତର ଖେଳାଳି ଅଧିକ ଗୌରବ ଅର୍ଜନ କରିବେ, ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବା ଦରକାର । ଆଜି ଆୟୋଜିତ ସେମିନାର ସେ ଦିଗରେ ସହାୟକ ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ଚାକିରି ନ ଖୋଜି ଚାକିରିଦାତା ହେବା ପାଇଁ ଆହ୍ୱାନ କରିଥିଲେ । ପାଠପଢା ଓ ଖେଳ ସହ କମ୍ପିଟାନ୍ସି ବା ଦକ୍ଷତା ବୃଦ୍ଧି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ । 

ଏହି ସେମିନାର୍ ଆୟୋଜନ ପାଇଁ ଶ୍ରୀ ପ୍ରଧାନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ଫିଜିକାଲ୍ ଏଜ୍ୟୁକେସନ ଫାଉଣ୍ଡେସନ ଅଫ୍ ଇଣ୍ଡିଆ(ପିଇଏଫଆଇ) କୁ ଅଭିନନ୍ଦନ ଜଣାଇଛନ୍ତି । ଇଣ୍ଟରନ୍ୟାସନାଲ ଆସୋସିଏସନ ଅଫ୍ ଫିଜିକାଲ ଏଜ୍ୟୁକେସନ ଆଣ୍ଡ୍ ସ୍ପୋର୍ଟ୍ସ (ଆଇଏପିଇଏସ) ସମେତ ଆୟୋଜକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।

.

LEAVE A REPLY

Please enter your comment!
Please enter your name here