By Our Correspondent
NEW DELHI/BHUBANESWAR: ପୁରୀ ଜିଲ୍ଲା ସ୍ଥିତ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳୀକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଶିକ୍ଷାର ବିକାଶ ଉଦ୍ଦେଶ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରିକଳ୍ପନାକୁ ସାକାର କରିବା ପାଇଁ ହେଲେ ସତ୍ୟବାଦୀ ବନ ବିଦ୍ୟାଳୟକୁ ସରକାରୀ ଶିକୁଳିରୁ ମୁକ୍ତ କରି ଏହାକୁ ସାମାଜିକ ଉପକ୍ରମ ବା ‘କମନ୍ ପ୍ରପଟି ରିସୋର୍ସ’ ଭାବେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି । ଏହି ବିଦ୍ୟାଳୟକୁ ଲୋକସେବକ ମଣ୍ଡଳୀ ହାତରେ ନ୍ୟସ୍ତ କରାଗଲେ ପ୍ରାୟ ୧୧୩ ବର୍ଷର ଏହି ପୁରୁଣା ଅନୁଷ୍ଠାନର ପୁନରୁଦ୍ଧାର ହେବା ସହ ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନର ଏହା ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ ପାଲଟିବ । ଆଉ ମାତ୍ର ୧୩ ବର୍ଷ ପରେ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଏହି ସମୟ ମଧ୍ୟରେ ଓଡ଼ିଆ ଜାତିକୁ ପୁନଃ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ । ଶିକ୍ଷା ହିଁ ଏ ଦିଗରେ ମାର୍ଗଦର୍ଶନ କରାଇବ । ଏକତା ଦକ୍ଷତା ବିକାଶର ଏନ୍ତୁଡିଶାଳ ବୋଲାଉଥିବା ବକୁଳ ବନ ବିଦ୍ୟାଳୟ ହିଁ ଏକବିଂଶ ଶତାବ୍ଦୀର ମାନବ ତିଆରିର ମୂଳଦୁଆ ପକାଇଥିଲା । ଏହି ବିଦ୍ୟାଳୟ ପୁନରୁଦ୍ଧାର ହେଲେ ଉତ୍କଳମଣି ଗୋପବନ୍ଧୁ ଓ ଲାଲା ଲାଜପତ ରାୟଙ୍କ ଭଳି ମହାପୁରୁଷମାନେ ଦେଖିଥିବା ସ୍ୱପ୍ନ ସାକାର ହୋଇପାରିବ ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରଥମ ଓଡ଼ିଶା ଗସ୍ତରେ ସତ୍ୟବାଦୀ ବନ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ସମୟରେ ତାଙ୍କର ହୃଦୟଙ୍ଗମ ହୋଇଥିଲା ଯେ ଉତ୍କଳମଣି ଗୋପବନ୍ଧୁଙ୍କ ସହ ସମସ୍ତ ଶିକ୍ଷକ ଭାରତର ମୁକ୍ତି ସଂଗ୍ରାମରେ ଝାସ ଦେବା ଫଳରେ ସତ୍ୟବାଦୀ ବନବିଦ୍ୟାଳୟଟି କାଳଗର୍ଭରେ ଲୀନ ହୋଇଗଲା । ଫଳସ୍ୱରୂପ ବିଦ୍ୟାଳୟର ପ୍ରତିଷ୍ଠା କାଳରେ ଗୋପବନ୍ଧୁ ଦେଖିଥିବା ସ୍ୱପ୍ନ ସମ୍ପୂର୍ଣ୍ଣ ଫଳବତୀ ହୋଇପାରିଲା ନାହିଁ ।
ଓଡ଼ିଶାରେ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଗୋପବନ୍ଧୁଙ୍କ ପରିକଳ୍ପନା ଆଜି ବି କେତେ ପ୍ରାସଙ୍ଗିକ, ତାହା ବିଚାର କରିବାର ଆବଶ୍ୟକତା ରହିଛି । ଓଡ଼ିଶାରେ ଭାରତୀୟ ଚେତନାର ମୂଳଦୁଆ ପକାଇଥିବା ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ ଗୋପବନ୍ଧୁ । ଲୋକସେବକ ମଣ୍ଡଳ ଦ୍ୱାରା ପରିଚାଳିତ ସମାଜ ଦୀର୍ଘ ଏକ ଶତାବ୍ଦୀରୁ ଉର୍ଦ୍ଧ୍ୱ ସମୟ ଧରି ଓଡ଼ିଶାର ସର୍ବସାଧାରଣଙ୍କୁ ଦିଗଦର୍ଶନ ଦେଇଆସୁଛି । ତେବେ ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଆରମ୍ଭ ହେଲା ଯେତେବେଳେ ପୁରୀ ଜିଲ୍ଲାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରଚେଷ୍ଟାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ୧୯୦୯ ମସିହାରେ ସ୍ଥାପିତ ଭାରତର ଏହି ସର୍ବପୁରାତନ ମୁକ୍ତ ଶିକ୍ଷାନୁଷ୍ଠାନ ଓଡ଼ିଆ ଭାଷାର ସଂରକ୍ଷଣ ଓ ଓଡ଼ିଶାର ସାମାଜିକ ଉତ୍ଥାନର ମୁଖ୍ୟ କେନ୍ଦ୍ର ପାଲଟିଥିଲା । ଓଡ଼ିଶାକୁ ଭାରତର ସ୍ୱାଧୀନତା ସଂଗ୍ରାମରେ ସାମିଲ କରିବା ଲକ୍ଷ୍ୟରେ ଓଡ଼ିଆ ଜନମାନସକୁ ରାଷ୍ଟ୍ରୀୟ ଚିନ୍ତାଧାରା ସହ ଯୋଡ଼ି ଏହି ଅନୁଷ୍ଠାନଟି ଏକ ମଣିଷ ତିଆରି କାରଖାନାରେ ପରିଣତ ହୋଇଥିଲା । ବକୁଳ ବନ ପରିସରରେ ଗଢି ଉଠିଥିବା ସତ୍ୟବାଦୀ ବନ ବିଦ୍ୟାଳୟ ଆଜି ଓଡ଼ିଶାର ଏକ ପ୍ରମୁଖ ଐତିହ୍ୟ ସ୍ଥଳ ତଥା ଓଡ଼ିଶାର ଶିକ୍ଷା ବିକାଶରେ ଏକ ମାଇଲଖୁଣ୍ଟ । ଅତୀତରେ ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ଜଣେ ଜଣେ ରତ୍ନ ପାଲଟି ଯାଇଛନ୍ତି । ଦୁଃଖର କଥା ପଞ୍ଚସଖା ଯୁଗର ଅନେକ ବିରଳ ସ୍ମାରକୀ ଏବେ ମଧ୍ୟ ବକୁଳ ବନ ଭିତରେ ଅବହେଳିତ ଅବସ୍ଥାରେ ପଡି ରହିଛି ।
ଜାତୀୟ ଶିକ୍ଷା ନୀତି -୨୦୨୦ ବିକଶିତ ଭାରତ ନିର୍ମାଣର ଏକ ପ୍ରମୁଖ ମାଧ୍ୟମ ହେବାକୁ ଯାଉଛି । ଏହି ଶିକ୍ଷା ନୀତିର ସମ୍ପର୍କ ଆମ ରାଜ୍ୟର ସତ୍ୟବାଦୀ ବନ ବିଦ୍ୟାଳୟ ସହ ଯୋଡି ହୋଇଅଛି । ଏହି ଶିକ୍ଷା ନୀତିର ଆଲୋଚନା ସମୟରେ ଗୋପବନ୍ଧୁଙ୍କ ଶିକ୍ଷା ଚିନ୍ତାର ଗୁରୁତ୍ୱ ଅନୁଭବ କରିହେଉଛି । ଛାତ୍ରଙ୍କ ମନରେ ଜାତୀୟଚେତନା ଜାଗ୍ରତ କରିବା ଏବଂ ଭବିଷ୍ୟତରେ ସେମାନଙ୍କୁ କୁଶଳୀ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ସତ୍ୟବାଦୀ ବନ ବିଦ୍ୟାଳୟର ଥିଲା । ସେହି ସମାନ ଉଦ୍ଦେଶ୍ୟରେ ଆମେ ନୂଆ ଶିକ୍ଷା ନୀତି ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରି ନୂଆ ଯୁବ ନେତୃତ୍ୱ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛୁ, ଯେଉଁମାନେ ଏକବିଂଶ ଶତାବ୍ଦୀରେ ବୈଶ୍ୱିକ ସମସ୍ୟାର ସମାଧାନ କରିପାରିବେ । ଗୋପବନ୍ଧୁଙ୍କ ମତରେ ଶିକ୍ଷା କୌଣସି ପ୍ରକାରେ ଶାସନ ଶିକୁଳିରେ ଆବଦ୍ଧ ହେବା ଅନୁଚିତ । ସତ୍ୟବାଦୀ ବିଦ୍ୟାଳୟ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷର ଶିକ୍ଷା କ୍ଷେତ୍ରରେ ଏକ ଅନନ୍ୟ ପ୍ରୟୋଗଶାଳା ହେବାର ସାମର୍ଥ୍ୟ ବହନ କରେ । କିନ୍ତୁ ଉତ୍କଳମଣିଙ୍କ କହିବା ଭଳି ସରକାରୀ ଶିକୁଳି ବନ୍ଧା ହୋଇଥିବା ଯାଏଁ ଏହା ସମ୍ଭବ ହେଲା ପରି ଲାଗୁନଥିବା ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।



![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-218x150.jpg)





















