Dharmendra Pradhan Visits Leading Educational Institutions in Bali

0
442

By Our Correspondent

NEW DELHI/BHUBANESWAR: ଶିକ୍ଷା କ୍ଷେତ୍ରରେ ଭାରତ ଓ ସାଉଥ ଆଫ୍ରିକାର ଦ୍ୱିପାକ୍ଷିକ ସମ୍ପର୍କକୁ ସଶକ୍ତ କରିବା ପାଇଁ ଜଏଣ୍ଟ୍ ଓ୍ୱାର୍କିଂ ଗ୍ରୁପ ଗଠନ ହେବ । ଆଜି ସାଉଥ ଆଫ୍ରିକାର ଉଚ୍ଚ ଶିକ୍ଷା, ବିଜ୍ଞାନ ଓ ନବସୃଜନ ମନ୍ତ୍ରୀ ଡ. ବି ଇମାନ୍ୟୁଏଲ ବ୍ଲେଡ୍ ନିମାଣ୍ଡେଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବା ପରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା, ଦକ୍ଷତା ବିକାଶରେ ଉଭୟ ରାଷ୍ଟ୍ର ପରସ୍ପର ସହଯୋଗୀ ହେବା ଏବଂ ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସାଉଥ ଆଫ୍ରିକାର ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଛି । ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଅନ୍ତର୍ଜାତୀୟକରଣ କରିବାର ମାର୍ଗ ପ୍ରଶସ୍ତ କରିଛି । ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ଅନୁଷ୍ଠାନ, ଦକ୍ଷତା ଭିତ୍ତିକ ଯୋଗ୍ୟତା ଓ ଦକ୍ଷତା ବିକାଶର କ୍ଷମତା ଗଠନ ଦିଗରେ ଭାରତ ଓ ସାଉଥ ଆଫ୍ରିକା ଆନୁଷ୍ଠାନିକ ଭାବରେ ସହଯୋଗୀ ହେବା ପାଇଁ ଆଲୋଚନା କାଳରେ ସହମତି ପ୍ରକାଶ ପାଇଛି ।

ଏହି ବୈଠକ ପରେ ଶ୍ରୀ ପ୍ରଧାନ ବାଲି ଠାରେ ଥିବା ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟୋରିଜମ ଆଣ୍ଡ୍ ବିଜନେସ୍ ଅନୁଷ୍ଠାନ ପରିଦର୍ଶନ କରିବା ସହ ଅନୁଷ୍ଠାନର କୁଳପତି ଡ. ଆଇ ମେଡ୍ ସୁଜାନାଙ୍କୁ ଭେଟିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦକ୍ଷତା ବିକାଶ କ୍ଷେତ୍ରରେ ଏଭଳି ଅନୁଷ୍ଠାନ ଗୁଡ଼ିକ ସହଯୋଗୀ ହେଲେ ପର୍ଯ୍ୟଟନ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ ଏବଂ ପରିଭ୍ରମଣ, ପର୍ଯ୍ୟଟନ, ଆତିଥ୍ୟ, ବ୍ୟବସାୟ ତଥା ବ୍ୟାପାର କ୍ଷେତ୍ରରେ କ୍ଷମତା ବୃଦ୍ଧି ଘଟିବ । ଶିକ୍ଷାନୁଷ୍ଠାନର କୁଳପତି ଡ. ସୁଜାନା ମଧ୍ୟ ଭାରତର ଶିକ୍ଷାନୁଷ୍ଠାନ ସହ ସହଯୋଗୀ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ସାକ୍ଷାତ୍ ପରେ କେନ୍ଦ୍ରମନ୍ତ୍ରୀ ଉକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭେଟି ମଧ୍ୟ ଆଲୋଚନା କରିଥିଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ଇଣ୍ଡୋନେସିଆର ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ ‘ସୁଗ୍ରିବ ବିଶ୍ୱବିଦ୍ୟାଳୟ’କୁ ଗସ୍ତ  କରିବା ସହ ସେଠାକାର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଏହି ବିଶ୍ୱବିଦ୍ୟାଳୟ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କର ପ୍ରତିଫଳନ । ସଂସ୍କୃତ, ଦର୍ଶନଶାସ୍ତ୍ର, ଯୋଗ ଓ ଆୟୁର୍ବେଦ ଭଳି କ୍ଷେତ୍ରରେ ଭାରତର ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ ସମ୍ପର୍କ ସ୍ଥାପନ କରିବାର ଅପାର ସୁଯୋଗ ରହିଛି । ଭାରତ ବିଶ୍ୱବିଦ୍ୟାଳୟ ଏବଂ ସୁଗ୍ରିବ ବିଶ୍ୱବିଦ୍ୟାଳୟ ମଧ୍ୟରେ ସମନ୍ୱୟ ରଖିବା ସହ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ କରାଗଲେ ଉଭୟ ଦେଶରେ ଥିବା ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଆର୍ଥିକ ସମ୍ପର୍କ ଟାଣ ହେବ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ବାଲି ଠାରେ ରହୁଥିବା ପ୍ରବାସୀ ଓଡ଼ିଆ ଓ ଭାରତୀୟଙ୍କୁ କେନ୍ଦ୍ରମନ୍ତ୍ରୀ ସାକ୍ଷାତ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here