Dharmendra Pradhan review meeting on key findings and updates under STARS program

0
286

By Our Correspondent

BHUBANESWAR: ସ୍କୁଲ ଶିକ୍ଷାକୁ ମଜଭୂତ୍ କରିବା ପାଇଁ ଭୁବନେଶ୍ୱର ଠାରେ ଗୁରୁବାର ଅନୁଷ୍ଠିତ ଦୁଇଦିନିଆ ଷ୍ଟାର୍ସ(ଷ୍ଟ୍ରେନ୍ଦେନିଂ ଟିଚିଂ-ଲର୍ଣ୍ଣିଂ- ଆଣ୍ଡ୍ ରେଜଲ୍ଟ ଫର୍ ଷ୍ଟେଟ୍ସ)ର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକରେ ସ୍କୁଲ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍କୁଲ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ସେ କହିଛନ୍ତି । 

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ବୈଠକର ପ୍ରଥମ ଦିନରେ ‘ଷ୍ଟାର୍ସ’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟ ଯଥା ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ଯୋଜନାର ରୂପରେଖ ଏବଂ ଅଗ୍ରଗତିର ସମୀକ୍ଷା କରାଯାଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଆଧାରରେ ଶିକ୍ଷା କ୍ଷେତ୍ରକୁ ମଜଭୂତ୍ କରିବା ଦିଗରେ ଉପସ୍ଥିତ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି)ର ଅଧ୍ୟାପକ ମାନଙ୍କୁ  ଆହ୍ୱାନ କରିଥିଲେ । ଅଭିନବ ପଦ୍ଧତିରେ ଶିକ୍ଷା ଦାନ କରିବା ସହ ପାଠପଢାରେ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ) ହେଉଛି ଜାତୀୟ ଶିକ୍ଷା ନୀତିର ଅସ୍ମିତା । ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଶିକ୍ଷାରେ କ୍ରୀଡା ତଥା ଖେଳ ଆଧାରିତ ପାଠପଢା ଉପରେ ଗୁରୁତ୍ୱ ଦିଆଯାଇଛି । ଜାତୀୟ ଶିକ୍ଷା ନୀତି ଲାଗୁ କରିବା ଏବଂ ପିଏମ ଶ୍ରୀ ଯୋଜନାରେ ଯୋଡି ହେବା ପାଇଁ ସେ ରାଜ୍ୟ ଗୁଡିକୁ ଆହ୍ୱାନ କରିଛନ୍ତି ।

ବୈଠକ ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିବାରେ ‘ଷ୍ଟାର୍ସ’ କାର୍ଯ୍ୟକ୍ରମର ବହୁତ ବଡ ଭୂମିକା ରହିଛି । ସମଗ୍ର ଶିକ୍ଷା ଅଭିଯାନ ସହ ‘ଷ୍ଟାର୍ସ’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟ ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି । ଏହା କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନା । ଏଥିରେ ଓ୍ୱାର୍ଲଡ ବ୍ୟାଙ୍କର ୬୫ ପ୍ରତିଶତ ଯୋଗଦାନ ଥିବାବେଳେ ଉପରୋକ୍ତ ୬ଟି ରାଜ୍ୟର ୩୫ ପ୍ରତିଶତ ଅର୍ଥ ଯୋଗଦାନ ଅଛି । ବିଶେଷ ଭାବରେ ଶିକ୍ଷକ ମାନଙ୍କର ଦକ୍ଷତା ବୃଦ୍ଧି ‘ଷ୍ଟାର୍ସ’ ପ୍ରକଳ୍ପର ଉଦ୍ଦେଶ୍ୟ । ଏହି ମର୍ମରେ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକରେ ୬ଟି ରାଜ୍ୟ, ଓ୍ୱାଲ୍ଡ ବ୍ୟାଙ୍କର ଅଧିକାରୀଙ୍କ ସହ ଆଗାମୀ ଦିନରେ ଶିକ୍ଷକଙ୍କ କାପାସିଟି ବଲଡିଂରେ କ’ଣ ସବୁ ଦିଗ ରହିବା ଦରକାର ସେ ଦିଗରେ ଆଲୋଚନା ହେଲା । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବଜେଟରେ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ମଜଭୂତ୍ କରିବା ଦିଗରେ ଗୁରୁତ୍ୱ ଦେଇଛନ୍ତି । ଏକବିଂଶ ଶତାବ୍ଦୀରେ ଭାରତ ଜ୍ଞାନ ଆଧାରିତ ଅର୍ଥନୀତି କଳ୍ପନା କରୁଛି । ଆଜି ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଉଭା ହେଉଥିବା ଅର୍ଥନୀତି ପାଇଁ ମଡେଲ ହୋଇଛି । ବିଶେଷ ଭାବରେ ଭାରତ ଯେତେବେଳେ ଜି-୨୦ର ଅଧ୍ୟକ୍ଷତାର ଦାୟିତ୍ୱରେ ଅଛି, ସେହି ସମୟରେ ‘ଷ୍ଟାର୍ସ’ ମଡେଲ ସ୍କୁଲ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଉପାଦେୟ ହେବ ।

ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କେନ୍ଦ୍ର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ, ରାଜ୍ୟ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ବରିଷ୍ଠ ଅଧିକାରୀ, ଏନସିଇଆରଟି ଏବଂ  ଓ୍ୱାଲ୍ଡ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here