Dharmendra Pradhan greets people on occasion of Odia Naba Barsha

0
599

By Our Correspondent

BHUBANESWAR/NEW DELHI: ମହାବିଷୁବ ପଣା ସଂକ୍ରାନ୍ତି, ପବିତ୍ର ଓଡ଼ିଆ ନବ ବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ରାଜ୍ୟ, ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଏକ ଭିଡ଼ିଓ ବାର୍ତା ଜରିଆରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଉତ୍କଳୀୟ ନବ ବର୍ଷ ଆମ ରାଜ୍ୟବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉଦ୍ଦୀପନା ଆଣିଦେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ଓ ମଙ୍ଗଳମୟ ହେଉ, ଏହା ପ୍ରଭୁଙ୍କ ନିକଟରେ ଶ୍ରୀ ପ୍ରଧାନ କାମନା କରିଛନ୍ତି । ଏହି ଭିଡ଼ିଓ ବାର୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ଜନମାନସରେ ପର୍ବ ପର୍ବାଣୀର ସ୍ଥାନ ସ୍ୱତନ୍ତ୍ର । ପାରମ୍ପରିକ ପର୍ବ ଗୁଡ଼ିକ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତିଭୂମିକୁ ମଜଭୂତ କରେ । ଆଜିର ପବିତ୍ର ଦିନରେ ଓଡ଼ିଶାରେ ନୂଆ ପାଞ୍ଜି ପ୍ରଚଳନ ହୋଇଥାଏ । ସମସ୍ତ ଦେବାଦେବୀ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଏବଂ ଭୋଗ ଲାଗି ହୋଇଥାଏ । ପଣା ପିଇ ଓଡ଼ିଆ ନବ ବର୍ଷକୁ ବଡ଼ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଏ । ଓଡ଼ିଆ ଘରର ଏହି ପରମ୍ପରା ଅତିବ ନିଆରା ।

ଦକ୍ଷିଣ ଓଡ଼ିଶା ଓ ଉତର ଓଡ଼ିଶାରେ ମଧ୍ୟ ଆଜିର ଦିନଟିକୁ ବିଭିନ୍ନ ଢ଼ଙ୍ଗରେ ପାଳନ କରାଯାଏ । ଦକ୍ଷିଣ ଓଡ଼ିଶାରେ ସାହି ସାହିରେ ଦଣ୍ଡନାଚ ଅନୁଷ୍ଠିତ ହୁଏ । ଦଣ୍ଡନାଚ ଆମ ଉତ୍କଳୀୟ ସଂସ୍କୃତିର ଏକ ଅନନ୍ୟ ଲୋକନାଚ । ସେହିପରି ଉତର ଓଡ଼ିଶାରେ ଏହି ସମୟରେ ‘ଚଡ଼କ ପର୍ବ’ ପାଳନ କରାଯାଏ । ଏହି ସବୁ ପର୍ବ ଜନସାଧାରଣଙ୍କ ମନରେ ନୂଆ ଉତ୍ସାହ ଓ ନୂଆ ଉଦ୍ଦୀପନା ଜାଗ୍ରତ କରେ । କୋଭିଡ୍ କଟକଣା କାରଣରୁ ଆମେ ବିଗତ କିଛି ବର୍ଷ ଧରି ଆମର ପର୍ବକୁ କେବଳ ଘରେ ରହି ପରିବାର ସଦସ୍ୟଙ୍କ ସହ ପାଳନ କରୁଥିଲୁ । କିନ୍ତୁ ଆଜି ଆମେ ସମସ୍ତେ ଭାଇ ବନ୍ଧୁ, କୁଟୁମ୍ବ ଓ ପରିଜନଙ୍କ ସହ ମିଶି ଓଡ଼ିଆ ନବବର୍ଷ ପାଳନ କରୁଛୁ ।

ପାରମ୍ପରିକ କଳା, ସଂସ୍କୃତି, ସଂଗୀତ, ନୃତ୍ୟ, ଖାଦ୍ୟ, ପୋଷାକ ଏବଂ ଐତିହାସିକ ସ୍ମାରକୀ ପାଇଁ ସମଗ୍ର ବିଶ୍ୱରେ ଓଡିଶାର ସ୍ଥାନ ସ୍ୱତନ୍ତ୍ର । ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଅତୀତରେ ଯେଭଳି ବିଶ୍ୱବିଦିତ ଥିଲା, ଆଜି ମଧ୍ୟ ଏ ସବୁକୁ ଶିଖର ଦେଶରେ ପହଁଚାଇବା ଆମ୍ଭ ମାନଙ୍କର ଦାୟିତ୍ୱ । ଆଜି ଓଡ଼ିଆ ନବ ବର୍ଷ ଅବସରରେ ଆମେ ଆମର ସଂସ୍କୃତି, ପରମ୍ପରା ଓ ଅତୀତ ଗୌରବକୁ ପୁର୍ନଜୀବିତ କରିବା ପାଇଁ ଶପଥ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here