Dharmendra addresses ‘Garib Kalyan Sammelan’ at Mahanga in Cuttack

0
357

By Our Correspondent

CUTTACK/BHUBANESWAR: ଗରିବଙ୍କୁ ଶତପ୍ରତିଶତ ସୁବିଧା ହେଲେ ହିଁ ସମାଜର କଲ୍ୟାଣ ହେବ । ଏଥିପାଇଁ ଆମେ ବିଜେପି କାର୍ଯ୍ୟକର୍ତାମାନେ ୨୦୨୪ ସୁଦ୍ଧା ଓଡ଼ିଶାରେ ଶତପ୍ରତିଶତ ଗରିବଙ୍କ କଲ୍ୟାଣ ହେବା ପର୍ଯ୍ୟନ୍ତ ଆମେ ବିଶ୍ୱାମ ନେବା ନାହିଁ ବୋଲି କାର୍ଯ୍ୟକର୍ତା ମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରଙ୍କ ସୁଶାସନର ୮ ବର୍ଷ ପୂର୍ତି ଉପଲକ୍ଷେ କଟକ ମାହାଙ୍ଗା ପୋଡାମରାଇ ଠାରେ ଆୟୋଜିତ ‘ବିଶାଳ ଗରିବ କଲ୍ୟାଣ ସଭା’କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଆଜି ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଓ ବିଶ୍ୱର ଅଦ୍ୱିତୀୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି “ଯେ ପର୍ଯ୍ୟନ୍ତ ଭାରତବର୍ଷର ସବୁ ଗରିବ ଲୋକଙ୍କ ଜୀବନରେ ମୂଳଭୂତ ପରିବର୍ତନ ଅଣାନଯାଇଛି, ସେ ପର୍ଯ୍ୟନ୍ତ ଆମେ ବିଶ୍ରାମ କରିବା ନାହିଁ । ଜନତାଙ୍କ ଆଦେଶରେ ମୋଦି ଦେଶର ସେବା କରୁଛନ୍ତି ଏବଂ କାମରେ ଲାଗିବା ପାଇଁ ଆମକୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅହ୍ୱାନ କ୍ରମେ ଓଡ଼ିଶାରେ ସବୁ ଗରିବଙ୍କୁ ପକ୍କା ଘର, ଶୌଚାଳୟ, ପିଇବା ପାଣି, ବିଜୁଳି, ବ୍ୟାଙ୍କ ଖାତା, ରନ୍ଧନ ଗ୍ୟାସ, ୱାନ ନେସନ-ଓାନ୍ ରାସନ କାର୍ଡ ସହ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ପର୍ଯ୍ୟନ୍ତ ଆମ ଦଳର କାର୍ଯ୍ୟକର୍ତାମାନେ ଅକ୍ଳାନ୍ତ ପରିଶ୍ରମ କରିବାର ସଙ୍କଳ୍ପ ନେବା ଦରକାର ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତୋର ଭାରତରେ ଅନେକ ପ୍ରଧାନମନ୍ତ୍ରୀ ରହିଥିଲେ ବି ନରେନ୍ଦ୍ର ମୋଦି ହେଉଛନ୍ତି ଅନନ୍ୟ । ଅତୀତରେ ଓଡ଼ିଶାର ବିକାଶ ପାଇଁ ତାଙ୍କ ଭଳି କେହି ଦାୟିତ୍ୱ ନେଇନାହାନ୍ତି । ମୋଦି ସରକାରରେ ପୂର୍ବାପେକ୍ଷା ପକ୍କା ଘର ପାଇଁ ଅନୁଦାନ ବୃଦ୍ଧି ପାଇଛି । ୮ ବର୍ଷରେ ରାଜ୍ୟ ଓ ଦେଶର ଲୋକସେବାର ଜନସହଭାଗିତାର ଆନ୍ଦୋଳନ ନରେନ୍ଦ୍ର ମୋଦିଙ୍କ ନାଁରେ ପୂରଣ ହୋଇଛି । ‘ସବ୍‌କା ସାଥ,ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ର ମନ୍ତ୍ର ଦେଶର ବିକାଶକୁ ଗତିଶୀଳ କରୁଛି ।

ମନ୍ କି ବାତ୍ ଓ ପଦ୍ମ ପୁରସ୍କାର ଦ୍ୱାରା ଓଡ଼ିଶାର ସମ୍ମାନ ଜାତୀୟ ସ୍ତରରେ ବଢ଼ିଛି । ମୋଦି ସରକାରରେ ଗରିବ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଓଡ଼ିଶାର ମାନ ମର୍ଯ୍ୟାଦା,ମହିଳାଙ୍କ ପାଇଁ ଯୁବକ, ଜନଜାତି, ଦଳିତଙ୍କ ସମ୍ମାନ ପାଇଁ ନିରନ୍ତର ମୋଦି ସରକାର କାମ କରିଛନ୍ତି । ସେହିପରି ଜାତୀୟ ରାଜପଥ, ରେଳ, ବନ୍ଦର, ଶିଳ୍ପାୟନ, କରୋନା ଟିକା, ବ୍ୟାଙ୍କ୍ ଖାତାରେ ସିଧାସଳଖ ଟଙ୍କା, କରୋନା ସମୟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ଜନକଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକ ନିଆଯାଇଛି ।

ଗୋଟିଏ ପଟେ ମୋଦି ସରକାରଙ୍କ ୮ ବର୍ଷର ସୁଶାସନ ଏବଂ ଅନ୍ୟପଟେ ୨୨ ବର୍ଷର ଅହଙ୍କାରୀ ଶାସନ । ଯେଉଁ ଶାସନରେ ଓଡ଼ିଆ ଲୋକ ପଛେ କଷ୍ଟରେ ରୁହନ୍ତୁ, କିନ୍ତୁ ଆମେ ମୋଦିଙ୍କ ନାଁ ଓଡ଼ିଶାରେ କରାଇଦେବୁ ନାହିଁ, ଏହି ଭାବନା ରହିଛି । ଓଡ଼ିଶାର ଭିତିଭୂମି ଓ ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା ପ୍ରଚୁର ଟଙ୍କା ବାଟମାରଣା ହେଉଛି । ମୋଦି ସରକାରଙ୍କ ପଇସାକୁ ଶାସନ ବସିଥିବା କିଛି ଲୋକ ଅହଙ୍କାରର ଲୁଟ କରି ଚାଲୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଥିବା ବେଳେ ଏହି ଯୋଜନା ଲାଗୁ ହୋଇନାହିଁ । ମାହାଙ୍ଗା ଭଳି ବିଭିନ୍ନ ଅଂଚଳରେ ଯୁବକଙ୍କ ରୋଜଗାର ମିଳୁନାହିଁ । ଓଡ଼ିଶା ସରକାର ନିଜ ଦଳୀୟ ଲୋକଙ୍କୁ କାମ ଦେବା ପାଇଁ ପିଡବ୍ଲ୍ୟୁଡି କୋଡକୁ ବଦଳାଇଛନ୍ତି । ଯେଉଁ ସରକାର ଓଡ଼ିଆ ଲୋକଙ୍କୁ ରୋଜଗାର ଦେଇପାରେନାହିଁ , ଓଡ଼ିଆ ଲୋକଙ୍କ ପଇସାରେ ମୌଜ କରେ ସେ ସରକାରକୁ ବଦଳାଇବାର ସମୟ ଆସିଛି ।

ଓଡ଼ିଶାରେ ଶାସନ ଗାଦିରେ ବସିଥିବା ଲୋକଙ୍କ ମୋଦିଙ୍କ ପ୍ରତି ଇର୍ଷା ପରାୟଣତା ବଢ଼ୁଥିବା ବେଳେ ବିପରୀତରେ ଓଡ଼ିଶାବାସୀଙ୍କର ମୋଦିଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମେ ଗରିବ କଲ୍ୟାଣ ପାଇଁ ଲୋକଙ୍କ ପାଖକୁ ଯିବା ଓ ମୋଦିଙ୍କ ଟଙ୍କାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଁଚାଇବା ପାଇଁ ସେତୁ ଭାବେ କାମ କରିବା । ଆମ ଦାୟିତ୍ୱ, ସମସ୍ତେ ସାମୂହିକ ଉଦ୍ୟମରେ ପ୍ରଧାନମନ୍ତ୍ରୀ ଦେଖିଥିବା ଓଡ଼ିଶାର ୧ କୋଟି ପରିବାରଙ୍କ ଘରେ ସମ୍ପନ୍ନତା, ସ୍ୱାଭିମାନକୁ ପହଁଚାଇବାର ଦାୟିତ୍ୱକୁ ପୂରଣ କରିବା ।

ମାହାଙ୍ଗା ଭଳି ସାରସ୍ୱତ ଭୂମିରେ ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରିବାରୁ ଆମ ଦଳର ନେତା କୁଳମଣି ବରାଳ,ଦିବ୍ୟସିଂହ ବରାଳଙ୍କୁ ଦୁଇ ବର୍ଷ ତଳେ ହତ୍ୟା କରାଗଲା, ଏହା ଆମେ ଭୁଲିବା ଅନୁଚିତ୍ । ଗରିବ ମାନଙ୍କ ପ୍ରତି ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତୋଳନ କରିଥିବା ଏହି ଦିବଙ୍ଗତ ବିଜେପି ନେତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମାହାଙ୍ଗା ଠାରେ ‘ସେବା ପ୍ରକୋଷ୍ଠ’ ଉଦଘାଟନ କରିବା ସହ ଏକ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here