Aame Odia Volunteers collect Plastics on Grand Road in Puri

0
396

By Our Correspondent

PURI/BHUBANESWAR: ରଥଯାତ୍ରାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ‘ଆମେ ଓଡ଼ିଆ’ ସଂଗଠନ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରାଯାଇଛି । ଆଜି ଏହି ଜନସଚେତନ ଅଭିଯାନରେ ପଦ୍ମଶ୍ରୀ ତଥା ଆନ୍ତର୍ଜତୀୟ ଖ୍ୟାତସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାମିଲ ହୋଇ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ କାମକୁ ଭୂୟସୀ ପ୍ରଶଂସା କରିଥିଲେ ବୋଲି ସଂଗଠନର ସମ୍ପାଦକ ସଂଗ୍ରାମ ପାତ୍ର ସୂଚନା ଦେଇଛନ୍ତି ।

ସଂଗଠନର ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କ ପ୍ଲାଷ୍ଟିକ ସଫେଇ ଅଭିଯାନରେ ନିଜକୁ ସାମିଲ କରିବା ସହ ସେ କହିଥିଲେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ପରିବେଶ ପାଇଁ କ୍ଷତିକାରକ । ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ସାମଗ୍ରୀକୁ ହ୍ରାସ କରିବା ଦିଗରେ ଆୟୋଜିତ ଅଭିଯାନରେ ସାମିଲ ହୋଇ ଖୁସି ବ୍ୟକ୍ତ କରୁଛି । ରଥଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ “ଆମେ ଓଡ଼ିଆ” ପକ୍ଷରୁ ସଚେତନ ଅଭିଯାନ ପ୍ରଶଂସନୀୟ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଦିଆଯାଇଥିବା ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ(Reduce) କରିବା ସହ ଏହାର ପୁନଃବ୍ୟବହାର(Reuse) ଓ ରିସାଇକେଲ (Recycle) ବଜନସଚେତନତା ବାର୍ତ୍ତା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷରେ ସୁଦର୍ଶନ ପଟ୍ଟନାୟକଙ୍କ ଯୋଗଦାନ ଏବଂ ଆମେ ଓଡ଼ିଆର ଏହି ଅଭିଯାନକୁ ଆଗକୁ ନେବାକୁ ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ପାଇଁ ଟୁଇଟ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପ୍ରୟାସ ମାଧ୍ୟମରେ ଓଡ଼ିଶା ବିଶ୍ଵ ପାଇଁ ଉଦାହରଣ ହେଉ ବୋଲି ଆଶା ରଖିଛି ଆମେ ଓଡ଼ିଆ ପରିବାର ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ କ୍ରମେ ସାମାଜିକ ସଂଗଠନ ‘ଆମେ ଓଡ଼ିଆ’  ପୁରୀ ରଥଯାତ୍ରାରେ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ଏହାର ପୁନଃ ବ୍ୟବହାର ଏବଂ ରିସାଇକଲିଂ ସଚେତନତା” ଅଭିଯାନ’କୁ ହାତକୁ ନେଇ ଥିଲା । ରଥଯାତ୍ରା ଦିନ, ରଥଯାତ୍ରା ପର ଦିନ ,ବାହୁଡ଼ା ଯାତ୍ରା ଏବଂ ବାହୁଡ଼ା ଯାତ୍ରା ପର ଦିନ ଚାରୋଟି ପର୍ଯ୍ୟାୟରେ ୧୦୦୦ ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀମାନେ ଶ୍ରୀକ୍ଷେତ୍ରରେ ଏକଜୁଟ ହୋଇ ଏହି ଅଭିଯାନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ରଥଯାତ୍ରା ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତରେ ଥିବା ସମୟରେ ଆମେ ଓଡ଼ିଆ ସଂଗଠନରେ ନିୟୋଜିତ ସ୍ୱେଚ୍ଛାସେବୀଙ୍କ ସହ ନିଜକୁ ଯୋଡ଼ିବା ପୂର୍ବକ ଏହି ଅଭିଯାନ ର ଶୁଭାରମ୍ଭ କରିଥିଲେ । ରଥଯାତ୍ରାର ଦ୍ୱିତୀୟ ଦିନରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ହ୍ରାସ କରିବା ଦିଗରେ ‘ଆମେ ଓଡ଼ିଆ’ ସଂଗଠନ ତରଫରୁ ପୁରୀ ସମୁଦ୍ର ବେଳାଭୂମିରେ ଜନସଚେତନ ସହ ବ୍ୟାପକ ସଫେଇ କାର୍ଯ୍ୟ କରାଯାଇଥିଲା । ଏହି ଅଭିଯାନକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ସମେତ ଅନେକ ମନ୍ତ୍ରୀ ଓ ନାଗରିକ ଅଭୁତପୂର୍ବ ସମର୍ଥନ ଦେଇଛନ୍ତି । ସ୍ୱଚ୍ଛତା ପାଇଁ ସେବା ଆଧାରରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ‘ଆମେ ଓଡ଼ିଆ’ ପ୍ରତିଶ୍ରୁତିବଦ୍ଧ ।

LEAVE A REPLY

Please enter your comment!
Please enter your name here