10th edition of Odisha Literary Festival inaugurated in City

0
365

By Our Correspondent

BHUBANESWAR:  ଗୋଟିଏ ପିଲା ଜନ୍ମ ହେବା ପରେ ମାତୃଭାଷାରେ ପଢ଼ିଲେ ଓ ଲେଖିଲେ ହିଁ ସେ ତା’ର ସୃଜନଶୀଳତାର ପରାକାଷ୍ଠା ଦେଖାଇବ ବୋଲି ଶନିବାର ଦୈନିକ ଇଂରାଜୀ ଖବରକାଗଜ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଦ୍ୱାରା ଆୟୋଜିତ ୧୦ମ ‘ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍’ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

“’Reading is Becoming: The 21st Century Leader’” ଶୀର୍ଷକ ବିଷୟବସ୍ତୁ ଉପରେ ଶ୍ରୀ ପ୍ରଧାନ ମତପ୍ରକାଶ କରିବା ସହ କହିଛନ୍ତି ଯେ ଜ୍ଞାନ, ସାହିତ୍ୟ ଓ ଭାଷା ହେଉଛି ଆମର ପୁଞ୍ଜି । ସବୁ ଭାରତୀୟ ଭାଷା, ରାଷ୍ଟ୍ର ଭାଷା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟ ସ୍ପଷ୍ଟ ମତ ରହିଛି । ଜନ୍ମ ହେବା ପିଲା ନିଜ ପ୍ରାରମ୍ଭିକ ଜୀବନରେ ମାତୃଭାଷାରେ ପଢ଼ିଲେ ହିଁ ତାର ବୌଦ୍ଧିକ କ୍ଷମତାର ପରିପ୍ରକାଶ ଘଟେ । ପୁରୀ ଜିଲ୍ଲା ରଘୁରାଜପୁରର ପଟ୍ଟଚିତ୍ର ଆଙ୍କୁଥିବା କାରିଗର ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଚିତ୍ରରେ ଆଙ୍କିଲା ବେଳେ ନିଜ ମାତୃଭାଷା ଉପରେ ନିର୍ଭର କରନ୍ତି । ଜାତୀୟ ଶିକ୍ଷା ନୀତି -୨୦୨୦ରେ ସବୁ ଭାଷାକୁ ଗୁରୁତ୍ୱ ଦିଆଯାଇଛି । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ବୈଶ୍ୱିକ ନାଗରିକ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି ।

ଏହି ସମାରୋହରେ ୫ଟି ଉଦାହରଣ ଦେଇ ପ୍ରାଚୀନ ଓଡ଼ିଶାର ସମ୍ପନ୍ନତା, ଓଡ଼ିଶାର ବୌଦ୍ଧିକ କ୍ଷମତା ଏବଂ ଓଡ଼ିଶାର ସାମାଜିକ ଜୀବନର ମୂଳ ଚରିତ୍ର ଉପରେ କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଅତୀତରେ ଓଡ଼ିଶା ସମ୍ପନ୍ନ ଥିଲା । ହଜାର ହଜାର ବର୍ଷ ପୂର୍ବରୁ ଏହି ଅଞ୍ଚଳର ଉଦ୍ୟମୀ ଓଡ଼ିଆ ସାଧବ ପୁଅ ଭାବରେ ବେପାର-ବଣିଜ ପାଇଁ ଦକ୍ଷିଣ-ପୂର୍ବ ଏସିଆ ଅଭିମୁଖେ ଯାତ୍ରା କରୁଥିଲେ । ଏହି ଯାତ୍ରା ଐତିହାସିକ ବାଲିଯାତ୍ରା ପରି ପରମ୍ପରାକୁ ଜନ୍ମଦେଇଛି । ସେହିପରି କଳା, ସାହିତ୍ୟ, ସଂସ୍କୃତି ରାଜ୍ୟ ଓଡ଼ିଶାରେ  ୮୦୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ପ୍ରଭୁ ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିର ବୈଜ୍ଞାନିକ ପୃଷ୍ଠଭୂମିର ପ୍ରମାଣ ଦେଉଛି ।

ଆମ ରାଜ୍ୟ ଓଡ଼ିଶା ମହାନ । ଏହି ମାଟି ଶକ୍ତିଶାଳୀ ସମ୍ରାଟ ଅଶୋକଙ୍କର ହିଂସା ତ୍ୟାଗ କରିବାକୁ ବାଧ୍ୟ କରିଥିଲା । ଓଡ଼ିଆଙ୍କ ସାମୂହିକ ଶକ୍ତି କାରଣରୁ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ ହେବା ପାଇଁ ବାଧ୍ୟ ହୋଇଥିଲେ । ଏହା ହେଉଛି ଅତୀତ ଓଡ଼ିଶାର ପ୍ରକୃତ କାହାଣୀ । ସନ୍ଥ କବି ଭୀମ ଭୋଇଙ୍କ ଲିଖିତ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” କାଳଜୟୀ ଉକ୍ତି ଜାତିସଂଘର କାନ୍ଥରେ ଲେଖାଯାଇଛି । ଏହା ହେଉଛି ଓଡ଼ିଶାର ମହାନ ବିଚାର। 

ମହିଳା ସଶକ୍ତିକରଣରେ ମଧ୍ୟ ଆମ ରାଜ୍ୟ ବହୁତ ଅଗ୍ରଣୀ ଥିଲା । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୂରାଣ’ ମାଧ୍ୟମରେ ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଥିଲେ । ଏହିପରି ଆମ ଓଡ଼ିଶା ଧର୍ମପଦ ଓ ବୀର ସଂଗ୍ରାମୀ ମାନଙ୍କର ମାଟି । ଏହି ମାଟି ଶହୀଦ ବାଜି ରାଉତ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ ଭଳି ଅନେକ ବୀର ସଂଗ୍ରାମୀଙ୍କୁ ଜନ୍ମ ଦେଇଛି । ଏହି ବୀର ସଂଗ୍ରାମୀ ଆଜିର ଯୁବପିଢି ମାନଙ୍କୁ ପ୍ରେରିତ କରୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଆୟୁର୍ବେଦକୁ ବୈଜ୍ଞାନିକ ପ୍ରମାଣର ମାନ୍ୟତା ଦେବାର କାମ ଆରମ୍ଭ ହୋଇଛି । ବିଶେଷଜ୍ଞଙ୍କ ମତରେ ଆୟୁର୍ବେଦ ଶାସ୍ତ୍ରର ସର୍ବାଧିକ ପାଣ୍ଡୁଲିପି ଓଡ଼ିଆରେ ଗଚ୍ଛିତ । ଓଡ଼ିଆ ସମାଜ ପଢିବା, ଲେଖିବା, ବିଜ୍ଞାନ, କଳା, ନୃତ୍ୟ, ଭାଷା, ସମାଜ ଜୀବନ, ଆସ୍ଥା ତଥା ସାରା ବିଷୟରେ ପାରଙ୍ଗମ ଥିଲା । ଏହା ଥିଲା ଓଡ଼ିଆ ସମାଜିକ ଜୀବନର ମୂଳ ଚରିତ୍ର । ସେ କହିଛନ୍ତି ଯେ ଭାରତ ଏକବିଂଶ ଶତାବ୍ଦୀର ନେତୃତ୍ୱ ନେବ । ଏକବିଂଶ ଶତାବ୍ଦୀରେ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବ । ଏଥିପାଇଁ ଆମକୁ ବୈଶ୍ୱିକ ମଡେଲ ପ୍ରସ୍ତୁତ କରିବାକୁ ହେବ । ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବାକୁ ହେଲେ ଶିକ୍ଷିତ ହେବାକୁ ପଡ଼ିବ । ଭାରତ ଜ୍ଞାନ ଆଧାରିତ ଅର୍ଥନୀତି ତିଆରି କରିବ ।

ନିରନ୍ତର ୧୦ ବର୍ଷ ଧରି ରାଜ୍ୟରେ ‘ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍’ ଆୟୋଜନ ମାଧ୍ୟମରେ ଓଡ଼ିଶାକୁ ବୌଦ୍ଧିକ ଦିଗଦର୍ଶନ ଦେଇ ଆସୁଥିବାରୁ ଶ୍ରୀ ପ୍ରଧାନ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ’କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here