ସୋଆ କୃଷି ମହାବିଦ୍ୟାଳୟର ଗ୍ରାମ ସଂଯୋଗୀକରଣ କର୍ମଶାଳା ଉଦ୍‌ଯାପିତ

0
272

By Our Correspondent

BHUBANESWAR: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠ ସ୍ଥିତ ୧୦ ଟି ଗ୍ରାମରେ ଗ୍ରାମ ସଂଯୋଗୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୭ ନଭେମ୍ବରରୁ ୧୩ ଡିସେମ୍ବର, ଗୋଟିଏ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଚତୁର୍ଥ ବର୍ଷର ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଜିମହଲ, ଶିମିଳିପାଟଣା, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, ଦାସପୁର, କାଟେଣି, କଂଟାବାଡ, ଭୋଳା ଓ ଅନ୍ଧାରୁଆ ପ୍ରଭୃତି ଗ୍ରାମକୁ ସାମିଲ କରାଯାଇଥିଲା ।

ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ରେଖାଚିତ୍ରମାନ ପ୍ରସ୍ତୁତ କରିଥିଲେ । ଏଥି ସହିତ କୃଷି ଓ କୃଷିଜାତ ଉତ୍ପାଦମାନଙ୍କର ବିକ୍ରୟ ଓ ବଜାରୀକରଣ ବିଷୟରେ ଅଗ୍ରଣୀ କୃଷକମାନଙ୍କ ସହ ଆଲୋଚନା କରି ସେମାନଙ୍କର କ୍ଷେତ୍ର ପରିଦର୍ଶନ କରିଥିଲେ । ଗ୍ରାମରେ ଏବେ ଅନୁଭୂତ ହେଉଥିବା କୃଷି ପ୍ରତି ବିମୁଖତାର କାରଣ, ଧାନ ଓ ପନିପରିବା ଫସଲର ବୈଜ୍ଞାନିକ ପଦ୍ଧତିରେ ଚାଷ ଓ ଏହାର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ପର୍ଯ୍ୟାଲେଚନା ମଧ୍ୟ କରାଯାଇଥିଲା ।

ଚଳିତ ମାସରେ ପାଳିତ ହୋଇଥିବା ବିଶ୍ୱ ମୃତିକା ଦିବସରେ ମଧ୍ୟ ସବୁ ଗ୍ରାମରେ କୃଷକ ଓ ଅନ୍ୟାନ୍ୟ ଗ୍ରାମବାସୀମାନଙ୍କୁ ନେଇ ମୃତିକାର ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

 ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ମାନସ ପଟେଲ, ଡକ୍ଟର ସିମନ୍ତିନି ଶାସନୀ, ଡକ୍ଟର ସୌମ୍ୟା ମିଶ୍ର, ଡକ୍ଟର ରାମ ପ୍ରସାଦ ନନ୍ଦି, ଡକ୍ଟର ସବ୍ୟସାଚୀ ପ୍ରଧାନ, ଅଧ୍ୟାପକ କୁମାର ସମ୍ଭବ ଗିରି, ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ସୂର୍ଯ୍ୟ ସିଦ୍ଧାନ୍ତ ରଥ, ସୁଶ୍ରୀ ସୁଦର୍ଶନା କର, ଦୀପ୍ତନୁ ଦତ, ଡକ୍ଟର ପ୍ରଣୟ ରାୟ ପ୍ରମୁଖଙ୍କ ତତ୍ୱାବଧାନରେ ଏହି ସବୁ ଗ୍ରାମମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉନ୍ନତ ଓ ବୈଜ୍ଞାନିକ ଉପାୟ ଅବଲମ୍ବନରେ ହେଉଥିôବା ଆଧୁନିକ କୃଷି ଯଥା ଜୈବିକ ଚାଷ, ଅନ୍ତଃ ଚାଷ, ଗୋବର ଗ୍ୟାସ ଉତ୍ପାଦନ, ବିହନ ବିଶୋଧନ, ଛତୁ ଚାଷ, ଜିଆ ଖତ, ମହମାଛି ପାଳନ, ପତ୍ର ରଙ୍ଗ ଚାର୍ଟର ବ୍ୟବହାର, କନ୍ଦ ଜାତୀୟ ଫସଲ ଚାଷ ତଥା ବିଭିନ୍ନ ଫସଲରେ ସମନ୍ୱିତ ସାର, ରୋଗ, କୀଟ ପରିଚାଳନା ବିଷୟରେ ୨୨ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି ଶିବିର ଗୁଡ଼ିକରେ ପ୍ରତି ଗ୍ରାମର ଅନେକ ଅଗ୍ରଣୀ କୃଷକ ଓ ଗ୍ରାମବାସୀମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ବାସ୍ତବିକ ସଫଳ  ହୋଇଛି ଓ ଏହାର ଉଦ୍ଦେଶ୍ୟ ସାଧିତ ହୋଇଛି ବୋଲି କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ସଂଗୃହୀତ ତଥ୍ୟ ସବୁକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ଏହାକୁ ସରକାରୀ ସ୍ତରକୁ ପଠାଗଲେ କୃଷକମାନେ ନିଶ୍ଚୟ ଉପକୃତ ହେବେ ବୋଲି ସହକାରୀ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଓ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଅଂଶୁମାନ ଜେନା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସବୁ ଗ୍ରାମର ସରପଂଚ, କୃଷକ ସାଥୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here