ସୂଚନା ଅଧିକାର କର୍ମୀଙ୍କ ନାମରେ ମିଥ୍ୟା, ମନଗଢ଼ା ଓ କପୋଳକଳ୍ପିତ ଅଭିଯୋଗ କରି ସେମାନଙ୍କୁ ବଦନାମ କରିବା, ହଇରାଣ କରିବା ଓ ମାନସିକ ନିର୍ଯ୍ୟାତନା ଦେବା ପାଇଁ ଭି. କେ. ପାଣ୍ଡିଆନଙ୍କ ପ୍ରରୋଚନାରେ ପୋଲିସର ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ “ଓସା”ର ନିନ୍ଦା

0
111
5T - Nabin Odisha Chairman V.K. Pandian -file

By Our Correspondent

BHUBANESWAR:  ଗତ ୧୯.୧.୨୪ରେ ଓସାର ସଦସ୍ୟ ତଥା ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ଗୃହ ବିଭାଗକୁ ଶ୍ରୀ ଭି. କେ. ପାଣ୍ଡିଆନଙ୍କ ସୁରକ୍ଷା ସଂପର୍କୀତ ତଥ୍ୟ ମାଗିଥିଲେ। ଗୃହ ବିଭାଗର ପି.ଆଇ.ଓ ଉକ୍ତ ଦରଖାସ୍ତକୁ ପୋଲିସ କମିସନରଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ ଓ ପରବର୍ତ୍ତୀ ସମୟରେ ଡେପୁଟି ପୋଲିସ କମିସନରଙ୍କ କାର୍ଯ୍ୟାଳୟକୁ ତଥ୍ୟ ଦେବା ପାଇଁ ପ୍ରେରଣ ହୋଇଥିଲା। ଏହା ପରେ ଡେପୁଟି ପୋଲିସ କମିସନରଙ୍କ କାର୍ଯ୍ଯାଳୟ ରିଜର୍ଭ ପୋଲିସ ଇନସପେକ୍ଟରଙ୍କୁ ତଥ୍ୟ ପାଇଁ ୯.୨.୨୪ ତାରିଖରେ ପ୍ରେରଣ କରିଥିଲେ। ସୂଚନା ଅଧିକାର ଆଇନର ଧାରା ୭(୧) ଅନୁଯାୟୀ ୩୦ ଦିନ ମଧ୍ୟରେ ତଥ୍ୟ ନମିଳିବା ଯୋଗୁଁ ଶ୍ରୀ ପ୍ରକାଶ ଦାସ ରିଜର୍ଭ ପୋଲିସ କାର୍ଯ୍ୟାଳୟକୁ ଗତ ୧୧.୦୩.୨୦୨୪ରେ ବ୍ୟକ୍ତିଗତ ଭାବେ ଯାଇ ସେଠାରେ ଉପସ୍ଥିତ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରି ତଥ୍ୟର ସ୍ଥିତି ସଂପର୍କରେ ଜାଣିବାକୁ ଚାହିଁଥିଲେ। ଏହା ପରେ ଉପସ୍ଥିତ ଅଧିକାରୀଙ୍କ ଠାରୁ ଉକ୍ତ ତଥ୍ୟ ସଂଗ୍ରହ କରିଥିଲେ।

ଉକ୍ତ ତଥ୍ୟ ହାସଲ ୧୮ ଦିନ ପରେ ଅର୍ଥାତ ୨୯.୩.୨୪ରେ ଓସା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଶ୍ରୀ ଭି. କେ. ପାଣ୍ଡିଆନଙ୍କ ସୁରକ୍ଷା ବାବଦରେ ନିଯୁକ୍ତ ୭୪ ପୋଲିସ ଅଧିକାରୀଙ୍କ ସଂପର୍କୀତ ସରକାରୀ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଉକ୍ତ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତା ୨.୪.୨୪ ପୋଲିସ କମିସନର ଉକ୍ତ ତଥ୍ୟ ତାଙ୍କ କାର୍ଯ୍ୟାଳୟ ତରଫରୁ ଦିଆଯାଇନାହିଁ, ଏବଂ ଏହା ମିଛ ତଥ୍ୟ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଥିଲେ। ଏହାର ଠିକ୍ ପୂର୍ବ ଦିନ  ତା ୧.୪.୨୪ ରିଖ ରାତି ୧୧.୨୮ ରେ ସହିଦ ନଗର ଥାନାରେ ରିଜର୍ଭ ପୋଲିସ ଅଧିକାରୀ ଶ୍ରୀ ଭଗବାନ ପାଣିଗ୍ରାହୀ ଓସା ତରଫରୁ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ତଥ୍ୟ ମିଥ୍ୟା  ଓ ଚଞ୍ଚକତା କରାଯାଇ ଉପସ୍ଥାପନା କରାଯାଇଛି। ଏପରି କୌଣସି ତଥ୍ୟ ସେ ପ୍ରଦାନ କରିନାହାଁନ୍ତି ବୋଲି ସହିଦ ନଗର ଥାନାରେ ଏତଲା ଦେଇଥିଲେ। ଉକ୍ତ ଅଭିଯୋଗ ସହିଦ ନଗର ଥାନାରେ ପଞ୍ଜିକୃତ ହୋଇସାରିଛି, ଏବଂ ଯେକୌଣସି ସମୟରେ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ, ପ୍ରକାଶ ଦାସଙ୍କୁ ପୋଲିସ ଆରେଷ୍ଟ କରିପାରେ ବୋଲି ଆଲୋଚନା ହେଉଛି।

ଆମେ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଯଦି ସରକାର ଏହା ମିଛ ବୋଲି କହୁଛନ୍ତି ତେବେ ଏହାର ଫରେନସିକ୍ ଟେଷ୍ଟ କରାଯାଉ। ଏବଂ ଏହି ତଥ୍ୟ ସଂପର୍କୀତ ସମସ୍ତ ତଦନ୍ତ ଓଡ଼ିଶା ପୋଲିସ ଦ୍ବାରା ହେଲେ ଆମେ ନ୍ୟାୟ ପାଇ ପାରିବୁ ନାହିଁ। ତେଣୁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଯେକୌଣସି ଏଜେନ୍ସି ଦ୍ବାରା ଏହାର ନିରପକ୍ଷ ତଦନ୍ତ କରାଯାଉ। ଏ ସଂପର୍କରେ ସୂଚନା ଅଧିକାର କର୍ମୀମାନଙ୍କ ତରଫରୁ ସହିଦ ନଗର ଥାନାରେ ରିଜର୍ଭ ପୋଲିସ ଅଧିକାରୀ ଭଗବାନ ପାଣିଗ୍ରାହୀଙ୍କ ବିରୋଧରେ ଏକ ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ଆଧାରରେ କେନ୍ଦ୍ରିୟ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରାଯାଇଛି। ଏହା ମଧ୍ୟ କହିଛନ୍ତି ଯେ, ପୋଲିସ କମିସନର (ସି.ପି) ଜଣେ ଦକ୍ଷ ପୋଲିସ ଅଧିକାରୀ, ତାଙ୍କ ପ୍ରତି ଆମର ସମ୍ମାନ ରହିଛି କିନ୍ତୁ, ସେ କିପରି ମିଛ ଅଭିଯୋଗ ଗଣମାଧ୍ୟମ ସମୁଖରେ କରିଛନ୍ତି ତାହା ଆଶ୍ଚର୍ଯ୍ୟଜନକ। ଭି. କେ. ପାଣ୍ଡିଆନଙ୍କ ଚାପର ବଶବର୍ତ୍ତୀ ହୋଇ ପୋଲିସ କମିଶନର ଏପରି ମିଥ୍ୟା ଆରୋପ କରିଛନ୍ତି। ସୂଚନା ଅଧିକାର କର୍ମୀମାନେ ପୁଣି କହିଛନ୍ତି ଯେ, ଦୀର୍ଘ ୧୮ ବର୍ଷ ମଧ୍ୟରେ ସେମାନେ ଯାହା ସବୁ ତଥ୍ୟ ସର୍ବ ସାଧାରଣରେ ପ୍ରଦାନ କରିଛନ୍ତି,  ତାହା ସୂଚନା ଅଧିକାର ଆଇନରେ ହାସଲ ହୋଇଥିବା ତଥ୍ୟ।

ସାମ୍ବାଦିକ ସମ୍ମିଳନୀ କରିବାର ୩ ଦିନ ପରେ ୧.୪.୨୦୨୪ ରେ ଶ୍ରୀ ପ୍ରକାଶ ଦାସଙ୍କୁ ଏକ ଚିଠି ପ୍ରେରଣ କରି ଭି. କେ. ପାଣ୍ଡିଆନଙ୍କ ସୁରକ୍ଷା ସଂପର୍କୀତ ତଥ୍ୟ ସୂଚନା ଅଧିକାର ଆଇନ ଧାରା ୮(୧)(ଜି) ଅଧିନରେ ଦିଆଯାଇପାରିବ ନାହିଁ ବୋଲି ରିଜର୍ଭ ପୋଲିସ ସୂଚାଇଛନ୍ତି। ବାସ୍ତବରେ ପ୍ରକାଶ ଦାସଙ୍କ ଦ୍ବାରା ହାସଲ ହୋଇଥିବା ଏବଂ ଉକ୍ତ ତଥ୍ୟ ସର୍ବସାଧାରଣରେ ପ୍ରଘଟ ହେବା, ଏବଂ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବିରୋଧି ବିଜେପି ଦଳ ଉକ୍ତ ତଥ୍ୟ ଆଧାରରେ ଶ୍ରୀ ଭି. କେ ପାଣ୍ଡିଆନଙ୍କ ସୁରକ୍ଷା ପ୍ରତ୍ୟାହାର ସଂପର୍କରେ ନିର୍ବାଚନ କମିସନକୁ ଅଭିଯୋଗ କରିବା ଯୋଗୁ ପୋଲିସ ତରଫରୁ ଏହି ତଥ୍ୟ ସରକାରୀ ଭାବେ ପ୍ରଦାନ କରାଯାଇ ନାହିଁ ବୋଲି କହିଥିଲେ।

ବାସ୍ତବରେ ଗତ ବର୍ଷ ଅର୍ଥାତ୍ ୧୫.୪.୨୦୨୩ରେ ଡେପୁଟି ପୋଲିସ କମିସନରଙ୍କ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସଂପର୍କୀତ ତଥ୍ୟ ଦେଇ ସମୁଦାୟ ୨୬୮ ପୋଲିସ ଅଧିକାରୀ ନିଯୁକ୍ତି ହୋଇଛନ୍ତି ବୋଲି ଦର୍ଶାଇଥିଲେ। ଯଦି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିଯୁକ୍ତ ପୋଲିସ ଅଧିକାରୀଙ୍କ ତଥ୍ୟ ଦିଆଯାଇପାରୁଛି ତେବେ ଭି.କେ. ପାଣ୍ଡିଆନଙ୍କ ସୁରକ୍ଷା ସଂପର୍କୀତ ତଥ୍ୟ କାହିଁକି ଦିଆଯାଇ ପାରିବ ନାହିଁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

ଓଡ଼ିଶାର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏବଂ ପ୍ରଶାସନରେ ସ୍ବଚ୍ଛତା ରଖିବା ପାଇଁ ସେମାନେ ସୂଚନା ଅଧିକାର ଆଇନକୁ ବ୍ୟାପକ ବ୍ୟବହାର କରୁଛନ୍ତି। ଏବଂ ଏହାର ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି। ସରକାରୀ ଦସ୍ତାବିଜରେ ଲୁଚି ରହିଥିବା ବର୍ଷ ବର୍ଷ ତଳର ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ପ୍ରାଶାସନରେ ସଂସ୍କାର ଆଣିବା, ପ୍ରଶାସନକୁ ଲୋକାଭିମୁଖି କରିବା, ଦୁର୍ନିତୀକୁ ହଟାଇବା ଦିଗରେ କାର୍ଯ୍ୟକରିଛନ୍ତି।

କିନ୍ତୁ ଅପରପକ୍ଷେରେ  ରାଜ୍ୟରେ ସୂଚନା ଅଧିକାର ଆଇନକୁ ଖତମ କରିବା ପାଇଁ ସମସ୍ତ ଚକ୍ରାନ୍ତ ରାଜ୍ୟ ସରକାର ଜାରି ରଖିଛନ୍ତି। ସୂଚନା ପାଇଁ ଆବେଦନ କରୁଥିବା ବ୍ୟକ୍ତି ବା ସାମାଜିକ କର୍ମୀମାନଙ୍କୁ ପୋଲିସ ଲଗାଇ ହତ୍ୟା, ମରଣାତ୍ମକ ଆକ୍ରମଣ କରିଛନ୍ତି। ମିଥ୍ୟା କେଶ୍ କରାଯାଇ ସେମାନଙ୍କ ସ୍ବରକୁ ଚପେଇ ଦେବା ପାଇଁ ଅପଚେଷ୍ଟା ହୋଇଛି। ତଥାପି ଓଡ଼ିଶାରେ ସୂଚନା ଅଧିକାର ଆନ୍ଦୋଳନ ଦବି ଯାଇନାହିଁ।

ସୂଚନା ଅଧିକାର ଆଇନକୁ ଖତମ କରିବା ପାଇଁ ତଥା କଥିତ 5Tର ପ୍ରଚାର କରିବା ପାଇଁ ଲୋକଙ୍କୁ ଭୁଆଁ ବୁଲାଯାଇଛି। ସମସ୍ତ ତଥ୍ୟକୁ Suppress କରାଯାଉଛି। ସ୍ବଚ୍ଛତାକୁ ଚାପି ଦିଆଯାଉଛି। ତେଣୁ ଓଡ଼ିଶାରେ ସ୍ବଚ୍ଛ ଶାସନ ପାଇଁ ସୂଚନା ଅଧିକାର କର୍ମୀମାନଙ୍କ ଲଢ଼େଇ ଅବ୍ୟହତ ରହିବ। ଏଣୁ, ସେମାନଙ୍କ ଲଢେଇକୁ ସାହାଯ୍ୟ, ସହଯୋଗ ଓ ସମର୍ଥନ ଦେବା ପାଇଁ ସେମାନେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି।ନିବେଦକ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ, ପ୍ରକାଶ ଦାସ,  ସଂଯୁକ୍ତା ପାଣିଗ୍ରାହୀ , ପ୍ରତାପ ମହାନ୍ତି.

LEAVE A REPLY

Please enter your comment!
Please enter your name here