ସମ୍ବଲପୁରଠାରେ ଆୟୋଜିତ ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
84

By Our Correspondent

SAMBALPUR/BHUBANESWAR:   ଏହା ଜୀବନ ଚକ୍ରର ଏକ ପବିତ୍ର ପର୍ବ । ସେବା ମନୋବୃତ୍ତି ନେଇ ଆମେ ପ୍ରତିବର୍ଷ ରାଷ୍ଟ୍ରୀୟ ନବବର୍ଷ ପାଳନ କରିବା  ଆମ ସଂସ୍କୃତି, ଆମ ସଭ୍ୟତା, ଆମ ପରମ୍ପରା ଅନୁଯାୟୀ ଆମେ ନବବର୍ଷ ପାଳନ କରିବା । ସମ୍ବଲପୁରଠାରେ ଆୟୋଜିତ ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମରେ ଏପରି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଥିଲେ, ଦୀର୍ଘ ଦିନ ଧରି ଭାରତ ବିଦେଶୀ ଶକ୍ତିଙ୍କ କବଳରେ ରହିଥିଲା । ଇଂରେଜମାନେ ଆମକୁ ଶାସନ କରୁଥିଲେ । ସେମାନଙ୍କ ପ୍ରଥମ ଲକ୍ଷ୍ୟ ଥିଲା ଆମ ସଂସ୍କୃତି, ସଭ୍ୟତାକୁ ନଷ୍ଟ କରି ଶିକ୍ଷା ପଦ୍ଧତିକୁ ବଦଳାଇବା । ଇଂରେଜ ଶାସନରେ ରହି ଆମେ କିଛି ଦିନ ପାଇଁ ସନାତନ ସଭ୍ୟତାକୁ ଭୁଲି ଯାଇଥିଲୁ । କିନ୍ତୁ ସମୟ ଚକ୍ର ବଦଳିଛି । ୫୦୦ ବର୍ଷ ସଂଘର୍ଷ ପରେ ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ସ୍ଥାପନା ହୋଇଛି । ପୁଣି ଥରେ ଆମ ପରମ୍ପରା, ଆମ ସଭ୍ୟତାକୁ ଆମେ ଗର୍ବ କରିବାର ସମୟ ଆସିଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି,  ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅତୀତ, ସଂସ୍କୃତି ଓ ପରମ୍ପରା କୁ ନେଇ ଗର୍ବ  କରୁଛନ୍ତି । ଏହାକୁ ସାରା ବିଶ୍ୱ ଗ୍ରହଣ କରୁଛି ଏବଂ ସମର୍ଥନ ମଧ୍ୟ ଜଣାଉଛି । ଯେଉଁ ସମାଜ, ସଭ୍ୟତା ନିଜ ଅସ୍ମିତାକୁ ନେଇ ଗର୍ବ କରେ ନାହିଁ, ସେ ସଭ୍ୟତାକୁ ଲୋକେ ମନେ ରଖନ୍ତି ନାହିଁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ସମ୍ବଲପୁରର ପ୍ରତିଷ୍ଠିତ ଗାୟକ ବିଭୂତି ପଟ୍ଟନାୟକ, ଦିଲ୍ଲୀପ ବାଗ, ସଙ୍ଗୀତ ନିର୍ଦ୍ଦେଶକ ତ୍ରିଲୋଚନ ତ୍ରିପାଠୀ, ଗାୟିକା ଦେବୀ ରାଣୀ, ପ୍ରସିଦ୍ଧ ଗାୟକ ଉମାକାନ୍ତ ବାରିକ, ରାଜକୁମାର ଜାଲ ଓ ପ୍ରୀତିନନ୍ଦା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହାସହ ଶ୍ରୀ ପ୍ରଧାନ ପଞ୍ଚଗଛିଆ ଛକର ଜୟ ମା’ କାଳୀ ପୂଜା କମିଟି  ଦ୍ୱାରା ଆୟୋଜିତ ନବରାତ୍ରି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here