ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଭାଷା ପ୍ରତି ମୋହ, ମାୟା ଓ ମମତା ନଥିବା କାରଣରୁ ଆଜି ଓଡିଆ ଅସ୍ମିତା ଓ ସ୍ୱାଭୀମାନ ସଂକଟରେ ପଡିଛି- ସାଂସଦ ତଥା ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ଶ୍ରୀ ସିଦ୍ଧାନ୍ତ ମହାପାତ୍ର

0
103

By Our Correspondent

BHUBANESWAR:  ମା, ମାଟି ଓ ମାତୃଭାଷା ନେଇ ପ୍ରତ୍ୟେକ ବ୍ୟକ୍ତି ଗର୍ବ କରେ । ‘ମା’ ଯିଏ ମୋତେ ଜନ୍ମ ଦେଇଛି, ‘ମାଟି’ ଯାହା ଉପରେ ପାଦ ଦେଇ ମୁଁ ବଡ ହୋଇଛି ଓ ‘ମାତୃଭାଷା’ ଯିଏ ମୋତେ ପ୍ରଥମ ପରିଚୟ ଦେଇଛି । ମୁଁ ମୋ ଭାଷାରେ କଥା ନହେଲେ ମୋର ପରିଚୟ କେହି ଜାଣିପାରିବେ ନାହିଁ । ତେଣୁ ମା’, ମାଟିକୁ କେହି ଆଜି ଯାଏ ଅସ୍ୱୀକାର କରିନାହାନ୍ତି । କିନ୍ତୁ “ମାତୃଭାଷା ଆମ ପରିଚୟ ହୋଇ ରହିଛି କି” ତାହା ଆଜିର ଦିନରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମାତୃଭାଷା ଆମର ଅସ୍ମିତା ଓ ସ୍ୱାଭିମାନ । ଯଦି ମୁଁ ନିଜ ମାତୃଭାଷା କହିପାରୁନି ବା ତା’ପ୍ରତି ମୋର ସ୍ନେହ, ମମତା ଓ ଦରଦ ନାହିଁ ତାହାଲେ ଅସ୍ମିତା କିମ୍ବା ସ୍ୱାଭିମାନ କେଉଁଠି ରହିଲା? ଯାହାକୁ ଓଡ଼ିଶାବାସୀ ଭଲ ପାଇ ନିରଙ୍କୁଶ ଭାବେ ନିର୍ବାଚିତ କରି ଦୀର୍ଘ ୨୪ ବର୍ଷ ଧରି ରାଜସିଂହାସନରେ ବସାଇଲେ. ତାଙ୍କର ମାତୃଭାଷା ପ୍ରତି ଦରଦ ନଥିବା କାରଣରୁ ଆଜି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ମନରେ ବ୍ୟଥା ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ୨୩ ବର୍ଷ ଶାସନରେ ରହିବି ଓଡିଆ ନକହି ପାରିବା ଓଡ଼ିଶାବାସୀଙ୍କ ମନକୁ କଷ୍ଟ ଦେବା ସହ ଆଘାତ ଦେଉଛି । ଆଜିବି ମୁଖ୍ୟମନ୍ତ୍ରୀ ଦୁଇପଦ ଓଡ଼ିଆରେ କଥା କହିବା ପାଇଁ ରୋମାନ ଇଂରାଜୀ ଲିପିର ସାହାଯ୍ୟ ଓ ସହଯୋଗ ନେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି କହୁଛନ୍ତି । ତାଠାରୁ ବଡ ଦୁଃଖ ଓ ପରିତାପର ବିଷୟ କ’ଣ ହୋଇପାରେ ?

ଭାଷାଭିତିକ ରାଜ୍ୟ ଭାବେ ଓଡିଶା ହେଉଛି ପ୍ରଥମ ରାଜ୍ୟ ଏବଂ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି । ଗତ ୧ ତାରିଖ ଦିନ ପାଳିତ ହୋଇଥିବା ପବିତ୍ର ‘ଉତ୍କଳ ଦିବସ’ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସୁଆଣ୍ଡୋକୁ ଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ସମୟ ହେଲାନି । ଯାହାଙ୍କର ଗାଥା ଶୁଣିକି ବଡ ହୋଇଛେ ସେ ଜାଗାକୁ ଯିବା ପାଇଁ ଗୋଟିଏ ମିନିଟ୍‌ର ସମୟ ହେଲାନି ମୁଖ୍ୟମନ୍ତ୍ରୀଙ୍କୁ ।

ସେ ଏଥିପାଇଁ ନିଜ ପ୍ରତିନିଧି ଭାବେ ଜଣେ ନୀଳ ବର୍ଣ୍ଣ ଶୃଗାଳଙ୍କୁ ପଠାଇଲେ । କାହିଁକି ତାଙ୍କ ସରକାରରେ କ’ଣ ଯୋଗ୍ୟ ଲୋକ ନଥିଲେ ନା ମୁଖ୍ୟମନ୍ତ୍ରୀଙ୍କ ସମୟ ନଥିଲା? ସେହିପରି ବଡ ବଡ ଘୋଷଣା ଓ ହୋର୍ଡିଂ ଲଗାଇ ଭାଷା ସମ୍ମିଳନୀ ଆୟୋଜନ କରାଗଲା, କିନ୍ତୁ ଓଡିଆ ବରପୁତ୍ରଙ୍କ ନାମ ଠିକ୍‌ଭାବେ ଉଚ୍ଚାରଣ କରିପାରିଲେ ନାହିଁ । କାନ୍ତକବିଙ୍କୁ ‘କଣ୍ଠକବି’ ବୋଲି କହିବା ଆଜିର ଓଡ଼ିଆ ଭାଷାର ସ୍ଥିତି । ଏପରି କରି ରାଜ୍ୟ ସରକାର କେବଳ ମହାନ କବିଙ୍କୁ ଉପହାସ କରିନାହାନ୍ତି ବରଂ ଓଡିଆ ଭାବାବେଗକୁ କୁଠାରଘାତ କରିଛନ୍ତି । “ଭାଷା ଅତୀତର ଅସ୍ତିତ୍ୱ ଓ ଭାଷା ଭବିଷ୍ୟତ”, ଓଡିଆ ଭାଷା ଆଜି ସଂକଟରେ ! ଏହାଠୁ ବଡ ଦୁର୍ଭାଗ୍ୟ କଣ ।

ଓଡ଼ିଆ ଭାଷାର ସଠିକ ଉଚ୍ଚାରଣ ଏବଂ ସୁପ୍ରଚାର ଓ ପ୍ରସାର ପାଇଁ ଖୋଲାଯାଇଥିବା ଭାଷା ପ୍ରତିଷ୍ଠାନରେ ଦୀର୍ଘ ୧୦ ବର୍ଷ ଧରି ସଂଯୋଜକ ଏବଂ ସହସଂଯୋଜକ ପଦବୀ ଖାଲି ପଡିଛି । ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିବା ସତ୍ୱେ ଏହାକୁ ଏକ କେବଳ ସାଙ୍କେତିକ ଭାଷା ଭଳି ପ୍ରୟୋଗ କରାଯାଉଛି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରି ଜନମାନସରେ ଆଦୃତ କରାଇବାର ଦାୟୀତ୍ୱ ଏବଂ କର୍ତବ୍ୟ ହେଉଛି ରାଜ୍ୟ ସରକାରଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଭାଷା ପ୍ରତି ମୋହ, ମାୟା ଓ ମମତା ନଥିବା କାରଣରୁ ଆଜି ଓଡିଆ ଅସ୍ମିତା ଓ ସ୍ୱାଭୀମାନ ସଂକଟରେ ପଡିଛି । ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭୀମାନ ଆଜି ସଂକଟରେ । ଏଭଳି ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଦାୟୀ । ଭାରତୀୟ ଜନତା ପାଟି ଶାଣିତ ସ୍ୱର ଉଠାଇବା ସହ କୁଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଲଢେଇ ଜାରୀ ରଖିବ । -ପୂର୍ବତନ ସାଂସଦ ତଥା ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ଶ୍ରୀ ସିଦ୍ଧାନ୍ତ ମହାପାତ୍ର

 

LEAVE A REPLY

Please enter your comment!
Please enter your name here