ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଦୀର୍ଘ ବର୍ଷ ଧରି ଅନେକ ସ୍ୱପ୍ନ ଦେଖାଇ ଆସୁଛନ୍ତି, ଲିଭି ଆସୁଥିବା ଦୀପ ଜୋରରେ ଜଳେ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
53

By Our Correspondent

JHARSUGUDA/BHUBANESWAR:  ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ବର୍ଷ ହେବ ଓଡ଼ିଶାବାସୀଙ୍କୁ ଅନେକ ସ୍ୱପ୍ନ ଦେଖାଇ ଆସୁଛନ୍ତି । ସାଧାରଣ ଜନତାଙ୍କୁ ପିଇବା ପାଇଁ ପାଣି ଦେଇ ପାରୁନାହାନ୍ତି । ଜଳସେଚନର ସୁବିଧା ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ । ଯୁବକଙ୍କୁ ଚାକିରି ନାହିଁ । ଲିଭି ଆସୁଥିବା ଦୀପ ଜୋରରେ ଜଳେ ବୋଲି ସୋମବାର ଝାରସୁଗୁଡାରେ ଆୟୋଜିତ ମିଶ୍ରଣ ପର୍ବରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏକ ରିମୋଟ ସାଙ୍ଗରେ ଠିଆ ହେଉଛି । ସେ ଗୋଟିଏ ଶବ୍ଦ କହିଲେ ତାକୁ ମୁଖ୍ୟମନ୍ତ୍ରୀ କହୁଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ଶାସକ ଦଳ ପ୍ରଶ୍ନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ତାହାର ଉତ୍ତର ଦେଇସାରିଛନ୍ତି ।  ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ହେବ ଏବଂ ଓଡ଼ିଆ ସଂସ୍କୃତିକୁ ବୁଝୁଥିବା ଲୋକ ହେବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି । ହେଲେ ରାଜ୍ୟରେ ସରକାର କିଏ ଚଲାଉଛି, ତାହା  ଶାସକ ଦଳର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ  କରିବେ କି ?

ଝାରସୁଗୁଡା ଭଳି ଶିଳ୍ପାଞ୍ଚଳରେ ଅନେକ କାରଖାନା ସମୂହ ଗଢ଼ି ଉଠିଛି । ଶିଳ୍ପ ଅନୁଷ୍ଠାନ ଥିଲେ ମଧ୍ୟ ନିରବଦ୍ରଷ୍ଟା ରାଜ୍ୟ ସରକାରଙ୍କ କାରଣରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନାହିଁ ଏବଂ ଯୁବପିଢି ବେରୋଜଗାର ଅଛନ୍ତି । ଶିଳ୍ପାନୁଷ୍ଠାନ ଏବଂ କଳକାରଖାନାର ପ୍ରଦୂଷଣ, ବର୍ଜ୍ୟବସ୍ତୁ ଓ ନିର୍ଗତ ପାଉଁଶ ଯୋଗୁଁ ଅଂଚଳରେ ଗଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଛି । ବିଜେପି ସରକାର ଆସିଲେ ଏହି ସବୁ ସମସ୍ୟାର ସମାଧାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ କିରିମିରା ବ୍ଲକର ପୂର୍ବତନ ଚେୟାରମ୍ୟାନ ତେଜରାଜ ସାହୁ, ତାଙ୍କ ଧର୍ମପତ୍ନୀ ତଥା କିରିମିରା ବ୍ଲକର ଚେୟାରମ୍ୟାନ କୃଷ୍ଣପ୍ରିୟା ସାହୁ ଏବଂ ଅନେକ ସମର୍ଥକମାନେ ଦଳରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସଂଗ୍ରାମରେ ସହଯୋଗୀ ଭୂମିକାର ଦାୟିତ୍ୱ ନିର୍ବାହ କରିବା ପାଇଁ ଦଳରେ ମିଶିଥିବାରୁ ଶ୍ରୀ ପ୍ରଧାନ ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏହି ମିଶ୍ରଣ ପର୍ବରେ ବରଗଡ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here