ମୁଖ୍ୟମନ୍ତ୍ରୀଙ୍କ ଶାସନରେ ହେଉଥିବା ଏକପାଖିଆ କାମ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟ କରିଥିଲା, ଧର୍ମେନ୍ଦ୍ର ପ୍ରଧାନ

0
279

By Our Correspondent
BHUBANESWAR: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଶାସନରେ ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନକାରୀ ଏବଂ ରାଷ୍ଟ୍ରୀୟ ବିଚାରଧାରା ବିରୋଧୀ ମନ୍ତବ୍ୟକୁ ପ୍ରତିବାଦ କରୁଥିବା ଛାତ୍ରନେତାଙ୍କୁ ଏକପାଖିଆ ଭାବେ ଜେଲରେ ପୂରାଇଲେ ରାଜ୍ୟରେ ଜେଲର ଅଭାବ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଶିଶୁ ମାତୃ ମୃତ୍ୟୁହାର କ’ଣ ୨୩ ବର୍ଷ ଶାସନର ଉପଲବ୍ଧି ବୋଲି ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ୱର ଠାରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ଶାସନ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ୨୩ ବର୍ଷ ପୂର୍ତ୍ତି ହୋଇଛି । ମାତ୍ର ଏତେ ଲମ୍ବା ସମୟ ଶାସନ ବ୍ୟବସ୍ଥାରେ ରହିବା ପରେ ମଧ୍ୟ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ରାଜନୀତିରେ ହିଂସାର ସ୍ଥାନ ନାହିଁ । ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଆନ୍ଦୋଳନ କରୁଥିବା ବେଳେ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଚିତ୍ର ପ୍ରକାଶ ପାଇଛି, ଯାହା ସାଧା ପୋଷାକଧାରୀ କର୍ମୀ ଓ ପୋଲିସ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । ଲୋକସମସ୍ୟା ଓ ଲୋକ ଆକାଂକ୍ଷାକୁ ସଂଘର୍ଷ କରି ବୁଥ ସ୍ତରରୁ ବିଜେପି ଆଗକୁ ବଢିଛି । ମାତ୍ର ଆନ୍ଦୋଳନ କଲେ ସେମାନଙ୍କୁ ଏକପାଖିଆ ଭାବେ ୩୦୭ ଧାରା ଲଗାଯାଇ ଜେଲକୁ ପଠାଯାଉଛି । କିଛି ଦିନ ପୂର୍ବେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦେଶର ସମ୍ବିଧାନ ଓ ସମ୍ପ୍ରଭୂତାକୁ ପ୍ରଶ୍ନ ଉଠାଉଥିବା ଲୋକମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା କାରଣରୁ ଏବିଭିପି କାର୍ଯ୍ୟକର୍ତ୍ତାଙ୍କୁ ଜେଲରେ ରଖାଯାଇଛି, ଯାହା ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀଙ୍କ ଶାସନରେ ରାଷ୍ଟ୍ରବାଦୀ ବିଚାରଧାରାକୁ ଅଣଦେଖା ସହ ଧାରା ୩୦୭ ମାଧ୍ୟମରେ ନାଲି ଆଖି ଦେଖାଯାଉଛି, ଏହି ଆଭିମୁଖ୍ୟ ରହିଲେ ରାଜ୍ୟରେ ଜେଲ ଅଭାବ ପଡିବ । ଏଭଳି ରାଜନୈତିକ ଆନ୍ଦୋଳନକୁ ଘର ଘରକୁ ନିଆଯିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ହେଉଥିବା ଏକପାଖିଆ କାମ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟ କରିଥିଲା । ସମାଜର ବ୍ୟକ୍ତିବିଶେଷଙ୍କୁ ନେଇ ସମାଜର ଆକାଂକ୍ଷାକୁ ଇଂରେଜମାନେ ଦଳିବା ପାଇଁ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଶାସନରେ ନିୟମକାନୁନକୁ ଧୂଳିସାତ୍ କରିବା ଭଳି ଅପଚେଷ୍ଟା ହେଉଛି । ମାତ୍ର ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ଲୋକଙ୍କ ମନ ଭିତରେ ଉଠିଥିବା ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ । କୋର୍ଟ, କଚେରି, କେସ୍, ଅପପ୍ରଚାର ମାଧ୍ୟମରେ ଯଦି ଗଣତନ୍ତ୍ରର କଣ୍ଠରୋଧ କରିବାର ପ୍ରୟାସ କରିବାର ଯୋଜନା ଅଛି ତେବେ ରାବଣ ଓ ଦୁର୍ଯ୍ୟୋଧନର ଭଳି ସେହି ଅହଙ୍କାର ଲୋକତନ୍ତ୍ରରେ ଚାଲିବ ନାହିଁ।

୨୩ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ଏହାର ବୀପରିତ ପରିଲକ୍ଷିତ ହୋଇଛି । ରାଜ୍ୟରେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ଆନ୍ଦୋଳନ କରୁଛନ୍ତି । ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଏହି ସମୟରେ ଆଜି ଜନ୍ମ ନେଉଥିବା ପିଲାମାନେ ସେହି ସମୟରେ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବେ । ମାତ୍ର ଓଡ଼ିଶାର ୧୯% ନବଜାତ ଶିଶୁଙ୍କ ଓଜନ କମ ରହୁଥିବା ବେଳେ ୩୧% ଶିଶୁଙ୍କ ବୟସନୁସାରେ ଉଚ୍ଚତା ଓ ୧୮% ଶିଶୁଙ୍କ ଉଚ୍ଚତାନୁସାରେ ଓଜନ କମ୍ ରହିଛି । ରାଜ୍ୟର ୬୪ % ଶିଶୁ ଓ ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡ଼ିତ ଅଛନ୍ତି । ଖଜୁରି ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ । ଏ ସବୁ ରାଜନୈତିକ ନୁହେଁ ସାମାଜିକ ବିଷୟ । ଏହା କ’ଣ ୨୩ ବର୍ଷ ଶାସନର ଉପଲବ୍ଧି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ସବକା ସାଥ-ସବକା ବିକାଶ ମନ୍ତ୍ରରେ କାମ କରୁଥିବା ମୋଦି ସରକାରଙ୍କ ପ୍ରତି ପୂର୍ବତ୍ତୋର ଭାରତ ସମେତ ସମଗ୍ର ଭାରତବର୍ଷରେ ଜନଆସ୍ଥା ବଢୁଥିବା ବେଳେ ଦେଶ ବାହାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ ଚୀନକୁ ଶାନ୍ତିପ୍ରିୟ ଦେଶ ବୋଲି ଅଭିହିତ କରିବା ନିନ୍ଦନୀୟ ଓ ସାମନ୍ତବାଦୀ ମାନସିକତାର ପରିଚୟ ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଯେ, ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ ଢେଙ୍କାନାଳ ନିର୍ବାଚନମଣ୍ଡଳୀ ଗୋନ୍ଦିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଳୟ କୁମାର ସିଂହ, କୁନିଲତା ଦେହୁରୀ ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ଦଳରେ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବିକାଶଧାରା ଓ କଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ । ସମସ୍ତଙ୍କ ଯୋଗଦାନ ଆମ ଦଳକୁ ଆଗକୁ ନେବ । ରାଜ୍ୟରେ ମୋଦିଜୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆମେ ସମସ୍ତେ ଆହୁରି ପରିଶ୍ରମ କରିବା ବୋଲି ସେ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here