ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସ୍ଥାନୀୟ ବଜାର ଚାହିଦାକୁ ଦେଖି ସାମଗ୍ରୀ ପ୍ରସ୍ତୁତ କରିବା ଜରୁରୀ

0
91

By Our Correspondent

BHUBANESWAR: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଚାଳନା ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଓରମାସର ନିର୍ଦ୍ଦେଶିକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଉଦଘାଟନ କରିଥିଲେ ।

 ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର 25ଟି ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା 56ଟି ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନର ପରିଚାଳନା ଆଦି ଦାୟିତ୍ୱରେ ଥିବା କୃଷକ ଉତ୍ପାଦକ ସଂଗଠନ, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନି ଏବଂ ଉତ୍ପାଦକ ଉଦ୍ୟୋଗର ସଦସ୍ୟାମାନେ ଯୋଗଦେଇଥିଲେ । ଏଥିରେ ସେମାନଙ୍କୁ ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ ସହ ଏହାର ସଠିକ ପରିଚାଳନା ଏବଂ ସାମଗ୍ରୀ ପ୍ରସ୍ତୁତି ଆଦିରେ ସେମାନଙ୍କ ଦକ୍ଷତା ବିକାଶ ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଥିଲା ।

ଏହି କ୍ରମରେ ପୂର୍ବରୁ ଓରମାସ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଭାରତର ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥା ଯଥା, ଭାରତୀୟ ମକା ଗବେଷଣା ପ୍ରତିଷ୍ଠାନ, ଉଷା କମ୍ପାନି, ସିମାପ ଆଦି ସହ ସିପେଟ, ଓ.ୟୁ.ଏ.ଟି, ସିଡାକ୍ ର ବିଶେଷଜ୍ଞ ଏବଂ ଜିଲ୍ଲାସ୍ତରୀୟ ଉଦ୍ୟାନ ବିଭାଗ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ସଦସ୍ୟାମାନଙ୍କୁ ତାଲିମ ପ୍ରଦାନ ସହ ବିଭିନ୍ନ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମୁଖ ଶାସନ ସଚିବ, ସୁଶୀଲ କୁମାର ଲୋହାନି ଯୋଗଦେଇ, କହିଥିଲେ ଯେ, ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଚାଳନା ଦାୟିତ୍ୱରେ ଥିବା ମାଆମାନେ, ବଜାର ଚାହିଦା ମୁଖ୍ୟତଃ ସ୍ଥାନୀୟ ଗ୍ରାହକଙ୍କ ଚାହିଦାକୁ ଦେଖି ସାମଗ୍ରୀ ପ୍ରସ୍ତୁତ କରିବା ଜରୁରୀ । ଯାହା କି ଆଗାମୀ ଦିନରେ ସେମାନଙ୍କ ଉତ୍ପାଦର ଭଲ ମୂଲ୍ୟ ଦେଇପାରିବ ।

 ଏଥିସହ କେବଳ ଉତ୍ପାଦ ମାର୍କେଟିଂ ନୁହେଁ, ସାମଗ୍ରୀ ପ୍ରସ୍ତୁତ କରିବା ଦିଗରେ ମଧ୍ୟ ମାଆମାନେ ସେମାନଙ୍କ ଦକ୍ଷତା ବିକାଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଓରମାସ ଅଧିକାରୀ ଯୋଗଦେଇଥିଲେ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ୫୬ଟି ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନରେ ଖାଦ୍ୟ ପ୍ରକ୍ରିୟାକରଣ, ନିର୍ମାଣ, ସେବା, ଦକ୍ଷତା ବିକାଶ ଏବଂ ସମନ୍ୱିତ ଚାଷ ଆଦି ୫ଟି ସେକ୍ଟରରେ ୧୫୦ରୁ ଅଧିକ ବଜାର ନେତୃତ୍ୱ ଆଜୀବିକା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

LEAVE A REPLY

Please enter your comment!
Please enter your name here