ଭୁବନେଶ୍ୱରରେ ‘ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ’ ରାଜ୍ୟପାଳଙ୍କ ଦ୍ୱାରା ଉଦଘାଟିତ

0
279

By Our Correspondent

BHUBANESWAR:  ବିଭାଜନ ବିଭୀଷିକାକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ନୁହେଁ ବରଂ ସେହି ସମୟରେ ତ୍ୟାଗ ଓ ବଳିଦାନ ଦେଇଥିବା ଏବଂ କ୍ଷତି ଓ ପୀଡା ସହିଥିବା ସେହି ପୂର୍ବଜ ମାନଙ୍କୁ ମନେ ପକାଇବାର ଅବସର । ଆଜିର ଦିନରେ ସେହି ବିଭୀଷିକାରୁ ପ୍ରେରଣା ନେଇ ଭାରତକୁ ଅଧିକ ଶକ୍ତିଶାଳୀ, ସମୃଦ୍ଧ, ଶୌର୍ଯ୍ୟବାନ ଓ ସୁରକ୍ଷିତ କରିବା ପାଇଁ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ରବିବାର ଭୁବନେଶ୍ୱର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆଇସିଏଚଆର ଦ୍ୱାରା ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉଦଘାଟିତ ‘ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୪୭ ଅଗଷ୍ଟ ୧୪ରେ  ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଏବଂ ଭଉଣୀମାନେ ବିସ୍ଥାପିତ ହେବା ସହ ତ୍ୟାଗ ଏବଂ ବଳିଦାନ ଦେଇଥିଲେ ।

ଏହାର ଦୃଶ୍ୟ, ପୀଡ଼ା ଓ କ୍ଷତ ଏବେ ବି ଅନେକଙ୍କୁ ମର୍ମାହତ କରୁଛି । ମୁଁ ମଧ୍ୟ ଦେଶର ଅନେକ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିବା ବେଳେ ସେହି ଆବେଗର ସ୍ପନ୍ଦନକୁ ଶୁଣିଛି ଓ ବୁଝିବା ପାଇଁ ଚେଷ୍ଟା କରିଛି । ରାଜନୀତି ବନ୍ଧନରୁ ମୁକ୍ତ କରିବାର ପ୍ରୟାସ ଦେଶକୁ ବିଭାଜନ ଓ ଖଣ୍ଡ ବିଖଣ୍ଡିତ କରିଥିଲା । ଇତିହାସର ଦୃଷ୍ଟିକୋଣ ଅନୁଯାୟୀ ସମ୍ଭତଃ ସେହି ସମୟକୁ ଏଡାଯାଇପାରିଥାନ୍ତା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଇତିହାସ ଦର୍ପଣ ସଦୃଶ । ଇତିହାସ ଭବିଷ୍ୟତର ପଥ ପ୍ରଦର୍ଶିକା । ଇତିହାସକୁ ଯେଉଁ ସମାଜ ବୁଝେ ନାହିଁ, ପଢେ ନାହିଁ କିମ୍ବା ଜାଣିବାର ଚେଷ୍ଟା କରେ ନାହିଁ ତେବେ ଭବିଷ୍ୟତରେ ସେ ଝୁଣ୍ଟି ପଡିବାର ବହୁତ ସମ୍ଭାବନା ଅଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଇତିହାସକୁ ବ୍ୟାପକ କରୁଛନ୍ତି । ଜାତୀୟ ଶିକ୍ଷା ନୀତି ଏହାର ଏକ ମାଧ୍ୟମ ହୋଇଛି । ଇତିହାସକୁ ବ୍ୟାପକ କରିବାର ଅର୍ଥ ହେଉଛି ଓଡ଼ିଶା ସମେତ ଭାରତର ଅନେକ ସଂଗ୍ରାମୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଘଟଣାରେ ଲିପ୍ତ ଥାଇ ମଧ୍ୟ ଇତିହାସ ପୃଷ୍ଠାରେ ତାଙ୍କର ନାଁ ନାହିଁ ।

ମହାତ୍ମା ଗାନ୍ଧୀଙ୍କ ସ୍ୱଦେଶୀ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ଓଡ଼ିଶାର ବରପୁତ୍ର ବ୍ୟାସକବି ଫକୀରମୋହନ ସେନାପତି ଲେଖନୀ ଚାଳନା ମାଧ୍ୟମରେ ଏହି କଥା କହିଥିଲେ । ଆଜି ସେହି ଲୁକ୍କାୟିତ ହୋଇଯାଇଥିବା ବୀର ସଂଗ୍ରାମୀ ମାନଙ୍କୁ ଲୋକଲୋଚନକୁ ଆଣି ଇତିହାସକୁ ବ୍ୟାପକ କରିବାର ପ୍ରୟାସ କରୁଛନ୍ତି । ମୋଦି ସରକାରରେ ଏହି ସବୁ ଘଟଣା ପୁନଃଅବଲୋକନ କରିବାର ସୁଯୋଗ ଆସିଛି  ।

 ଓଡ଼ିଶା ଏଭଳି ରାଜ୍ୟ, ସ୍ୱାଧୀନତା ସଂଗ୍ରାମର ଅନେକ ଗାଥା ଅଛି । ଓଡ଼ିଶା ଜାତିର ଇତିହାସ ଶତାବ୍ଦୀ ଶତାବ୍ଦୀର । ବୀର ଓଡ଼ିଆ ଜାତି ନୌବାଣିଜ୍ୟରେ ଅଧା ପୃଥିବୀକୁ ପରିକ୍ରମା କରିଥିଲେ ।  ତେଣୁ ଓଡିଆ ଜାତିର ବୀରତ୍ୱ, ସମ୍ପନ୍ନତା, ଇତିହାସ ଓ ବୈଭବର ପୁନଃଲିଖନର ଆବଶ୍ୟକତା ଅଛି । ଏହି ସବୁ ଘଟଣା ତଥ୍ୟ, ଆଧାର, ଐତିହାସିକ ପ୍ରମାଣ ସହ ସ୍ଥାପନା କରିବାକୁ ପଡିବ । ଏ ପ୍ରକାର ସଂକଳ୍ପନା ନୂଆ ପିଢିକୁ ଦେଖିବା ପାଇଁ ଏହି ପ୍ରଦର୍ଶନୀର ଆୟୋଜନ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଆଇସିଏଚଆର୍ ପକ୍ଷରୁ ଅଗଷ୍ଟ ୧୪ରୁ ୧୮ ପର୍ଯ୍ୟନ୍ତ ‘ଭାରତର ବିଭାଜନର କାହାଣୀ ଉପରେ ଆୟୋଜିତ ଏହି ପାଞ୍ଚଦିନିଆ ପ୍ରଦର୍ଶନୀକୁ ଦେଖିବା ପାଇଁ ଶ୍ରୀ ପ୍ରଧାନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଯୁବ ସମାଜ ଏବଂ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here