ପୁରୀ-ଜଳେଶ୍ୱର ଟ୍ରେନ ଦ୍ୱାରା ପୁରୀ, ଭଦ୍ରକ, ବାଲେଶ୍ୱର, ରୁପସା ସମେତ ଅନେକ ଯାତ୍ରୀମାନେ ବିଶେଷ ଲାଭ ପାଇବେ

0
795

By Our Correspondent

BHUBANESWAR: ସମ୍ବଲପୁର-ଶାଲିମାର (କଲିକତା) ମଧ୍ୟରେ ଶୁଭାରମ୍ଭ ହୋଇଥିବା ନୂତନ ଏକ୍ସପ୍ରେସକୁ ମହିମା ଗୋସାଇଁଙ୍କ ନାମରେ ନାମିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗୁରୁବାର  ଭୁବନେଶ୍ୱର ଷ୍ଟେସନର ପୁନଃ ବିକାଶ ପାଇଁ ଭୂମିପୂଜନ ଏବଂ ମେମୁ ରେକ୍ ବିଶିଷ୍ଟ ପୁରୀ-ଜଳେଶ୍ୱର ପାସେଞ୍ଜର ଟ୍ରେନର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ରେଳ ମନ୍ତ୍ରୀଙ୍କୁ ସମ୍ବଲପୁର ଶାଲିମାର ଏକ୍ସପ୍ରେସକୁ ମହିମା ଗୋସାଇଁଙ୍କ ନାଁରେ କରିବା ପାଇଁ ଅନୁରୋଧ କରିଥିଲେ । ସେ କହିଥିଲେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ପ୍ରସିଦ୍ଧ ପଂକ୍ତି “ମୋ ଜୀବନ ପଛେ ନର୍କେ ପଡିଥାଉ” ଜାତି ସଂଘର କାନ୍ଥରେ ଉଲ୍ଲେଖ ରହିଛି । ତେଣୁ ଏହି ଜାତି ଉଦ୍ଦେଶ୍ୟରେ ଉକ୍ତ ଟ୍ରେନର ନାମକରଣ ମହିମା ଗୋସାଇଁଙ୍କ ନାଁରେ କରାଯାଉ । ଅନୁଗୋଳ ଠାରେ ଉକ୍ତ ଟ୍ରେନର ଶୁଭାରମ୍ଭ କରିବା ଅବସରରେ ରେଳ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧକୁ ରଖି ଟ୍ରେନର ନାମକରଣ ‘ସମ୍ବଲପୁର ଶାଲିମାର୍ ମହିମା ଗୋସାଇଁ ଏକ୍ସପ୍ରେସ’ ନାମରେ ଘୋଷଣା କରିଥିଲେ । ଏହି ଘୋଷଣା ମହିମା ଗୋସାଇଁ, ସନ୍ଥ କବି ଭୀମ ଭୋଇ, ମହିମା ସମାଜ ଓ ମହିମା ଧର୍ମାବଲମ୍ବୀଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଏହି ସମାରୋହରେ ଶ୍ରୀ ପ୍ରଧାନ କହିଥିଲେ ଯେ ମୋଦି ସରକାରରେ କେନ୍ଦ୍ରୀୟ ଅବହେଳା କହିବା ଆଉ ଯୁକ୍ତିଯୁକ୍ତ ନୁହେଁ । ଆଜି ମୋଦି ସରକାରରେ ରେଳ ଚଳାଚଳ ଦାବୀ ଅତି କମ୍ ସମୟ ମଧ୍ୟରେ ପୂରଣ ହେଉଛି । ପ୍ରଧାନମନ୍ତ୍ରୀ ମୋଦି ଓଡିଆଙ୍କ ସହ ଅଛନ୍ତି । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ । ତେଣୁ ରାଜନୈତିକ ବିଦ୍ୱେଷ ରଖି ଜାତୀୟ ଦଳ ଓଡ଼ିଶାକୁ ଧ୍ୟାନ ଦେଉନଥିବା କହିବା ପରିବର୍ତ୍ତେ ଲୋକଙ୍କ ବିକାଶଧାରାରେ ସାମିଲ ହେବାର ଆଭିମୁଖ୍ୟ ରଖିଲେ ଭଲ ହେବ । ବୈଶ୍ୱିକ ଅର୍ଥନୀତିର ପେଣ୍ଠସ୍ଥଳୀ ହେବା ପାଇଁ ଓଡ଼ିଶା ପାଖରେ ସବୁ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀଙ୍କ ବିଶେଷ ନୀତି କାରଣରୁ ଖଣି ନିଲାମରେ ରାଜ୍ୟକୁ ପ୍ରଚୁର ରାଜସ୍ୱ ଆସୁଛି । ଜନଜାତି ଓ ଗରିବଙ୍କ ବିକାଶ ପାଇଁ ଗଠିତ ଡିଏମଏଫରେ ବାର୍ଷିକ ୧୫,୦୦୦ କୋଟି ଟଙ୍କା ଆସୁଛି ।

ରେଳ ମନ୍ତ୍ରୀଙ୍କ ଦ୍ୱାରା ଖୁବ ଶୀଘ୍ର ଭଦ୍ରକକୁ ଆଉ ଏକ ମେମୁ ଟ୍ରେନ୍ ଚାଲିବାର ଘୋଷଣା ସ୍ୱାଗତଯୋଗ୍ୟ । ଓଡ଼ିଶାରେ ୩୬ଟି ଷ୍ଟେସନର ନବକଳେବର ହେବା ଖୁସିର ବିଷୟ । ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ରେଳ ଯାତ୍ରୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ପଦକ୍ଷେପ ନେଉଛନ୍ତି । ଆଜି ଆରମ୍ଭ ହୋଇଥିବା ନୂତନ ଟ୍ରେନ୍ ଚଳାଚଳ ଦ୍ୱାରା ପୁରୀ, ଭଦ୍ରକ, ବାଲେଶ୍ୱର, ରୁପସା ଅଞ୍ଚଳ ସମେତ ଅନେକ ଯାତ୍ରୀମାନେ ବିଶେଷ ଲାଭ ପାଇବେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here