
By Our Correspondent
BHUBANESWAR: ଦିବ୍ୟାଙ୍ଗ ପିଲା ମାନଙ୍କ ପ୍ରତିଭା କାହା ଠାରୁ କୌଣସି ଗୁଣରେ କମ୍ ନୁହେଁ । ସେମାନେ ଯାଦୁଗର ଭଳି ଅସମ୍ଭବ କଥାକୁ ସମ୍ଭବ କରି ଦେଖାଇଥାନ୍ତି ବୋଲି ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ‘ଦିବ୍ୟାଙ୍ଗଜନ ସ୍ୱାଭିମାନ ସମ୍ମାନ ସମାରୋହ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଲୋକସେବକ ମଣ୍ଡଳ ଏବଂ ଅନାମ ସ୍ନେହ ପରିବାର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା, ସେମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ରାଷ୍ଟ୍ରୀୟ ଶିକ୍ଷା ନୀତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପ୍ରତିବନ୍ଧକ ମୁକ୍ତ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଛି ।
ଦିବ୍ୟାଙ୍ଗ ପିଲାମାନେ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇଥାନ୍ତି । ସେମାନେ ଯାଦୁଗର ଭଳି ଅସମ୍ଭବ କଥାକୁ ସମ୍ଭବ କରି ଦେଖାଇଥାନ୍ତି । ସେମାନେ ନବସୃଜନର ଅଧିକାରୀ । ସନ୍ଥ କବି ଭୀମ ଭୋଇଙ୍କ ପଙକ୍ତି “ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ”କୁ ଉଦୃତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏହି ଦୃଷ୍ଟିବାଧିତ କବି ନିଜ ବାର୍ତ୍ତା ମାଧ୍ୟମରେ ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଥିଲେ । ଦୁନିଆକୁ ମୋର ପରିବାର ବୋଲି ଅଭିହିତ କରିଥିଲେ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମୃତ କାଳରେ ଆମକୁ ଏପରି ଏକ ବ୍ୟବସ୍ଥା ନିର୍ମାଣ କରିବାକୁ ହେବ, ଯେଉଁଥିରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସମାନ ସୁଯୋଗ ଏବଂ ସ୍ୱାଭିମାନ ସହିତ ବଞ୍ଚିବାର ପଥ ପ୍ରଶସ୍ତ ହେବ । ଗାନ୍ଧିଜୀ, ଶାସ୍ତ୍ରୀଜୀ, ଲାଲାଜୀ, ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଜନନାୟକଙ୍କ ସ୍ୱପ୍ନର ଏକ ବିକଶିତ ଭାରତ ସେତେବେଳେ ହିଁ ଗଢ଼ି ଉଠିବ ଯେତେବେଳେ ଆମେ ଆମ ଦିବ୍ୟାଙ୍ଗ ଭାଇ ଭଉଣୀମାନଙ୍କୁ ସମାନ ଅଧିକାର ସହିତ ବଞ୍ଚିବାର ପରିବେଶ ସୃଷ୍ଟି କରିବା ବୋଲି ସେ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଦିବ୍ୟାଙ୍ଗ ଭାଇ ଓ ଭଉଣୀଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ସକ୍ରିୟ ଭାବରେ କାମ କରୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନକୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ଶ୍ରୀ ପ୍ରଧାନ ସମ୍ବିଧାନ ସଦନରେ ମହାତ୍ମା ଗାନ୍ଧି ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।






![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)
















