ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୀପ ଜାଳି ଦିନଟିକୁ ସ୍ମରଣୀୟ ଓ ଐତିହାସିକ କରିବା – ଧର୍ମେନ୍ଦ୍ର ପ୍ରଧାନ

0
142

By Our Correspondent

BHUBANESWAR:   ଯେତେବେଳେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରିଥିଲେ, ସେତେବେଳେ ଅଯୋଧ୍ୟାବାସୀ ଆନନ୍ଦରେ ସମଗ୍ର ନଗରୀକୁ ଦୀପ ଦ୍ୱାରା ସଜାଇ ଥିଲେ ।  ଆମେମାନେ ମଧ୍ୟ ଜାନୁଆରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ସବୁଠି ଦୀପ ଜାଳି ଦିନଟିକୁ ‘ଦୀପାବଳି ଉତ୍ସବ’ ଭାବରେ ପାଳନ କରିବା । ଶ୍ରୀରାମଙ୍କ ପାଇଁ ଦିନଟିକୁ ସ୍ମରଣୀୟ ଓ ଐତିହାସିକ କରିବା ପାଇଁ ଓଡ଼ିଶାବାସୀଙ୍କୁ ଭିଡ଼ିଓ ବାର୍ତ୍ତା ଜରିଆରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଉ ମାତ୍ର ୩ ଦିନ ପରେ ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବ । ଜାନୁଆରୀ ୨୨ ତାରିଖରେ ରାମ ନଗରୀ ଅଯୋଧ୍ୟାରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ଦିନ ସମଗ୍ର ଭାରତବର୍ଷ, କୋଟି କୋଟି ହିନ୍ଦୁ, ସନାତନୀ ଓ ରାମଭକ୍ତଙ୍କ ପାଇଁ ଏକ ମହାନ ଓ ପବିତ୍ର ଅବସର ଆଣିଦେବ । ଆଜିର ଦିନରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିବା ସମସ୍ତ ମହାପୁରୁଷ ଓ ବ୍ୟକ୍ତିବିଶେଷ ମାନଙ୍କୁ ମୋର ପ୍ରଣାମ ଜଣାଉଛି ।

ପ୍ରଭୁ ଶ୍ରୀରାମ ହେଉଛନ୍ତି ସୁଶାସନର ପ୍ରତୀକ । ପ୍ରଭୁ ଶୀରାମଙ୍କ ଜୀବନ ଆମ ପାଇଁ ପ୍ରେରଣାର ଅନନ୍ତ ଉତ୍ସ । ତାଙ୍କ ଜୀବନ କାହାଣୀ ଆମକୁ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାର ଶିକ୍ଷା ଦେଇଥାଏ ।  ମହାପ୍ରଭୁ ଶ୍ରୀ ଜଗନ୍ନାଥ ହୁଅନ୍ତି ଦୁର୍ଲ୍ଲଭ ରଘୁନାଥ ବେଶ । ଯେ ମହାପ୍ରଭୁ ଶ୍ରୀ ରାମ, ସେ ମହାପ୍ରଭୁ ଶ୍ରୀଜଗନ୍ନାଥ । ତ୍ରେତୟା ଯୁଗରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷର ବନବାସରୁ ଅଯୋଧ୍ୟାକୁ ଫେରିଥିଲେ । ଆଉ ଏ ଯୁଗରେ, ଶତାବ୍ଦୀ ଶତାବ୍ଦୀ ପରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଉଛି । ରାମନଗରୀରେ ପ୍ରଭୁ ଶ୍ରୀରାମଙ୍କ ସ୍ୱାଗତ ପାଇଁ ଦେଶ ରାମମୟ ହୋଇଛି । ଅଯୋଧ୍ୟାରେ ନୂଆ ଇତିହାସର ରଚନା ହେବା ପାଇଁ ଯାଉଛି । 

ଓଡ଼ିଶା ସମେତ ସମଗ୍ର ଭାରତ ବର୍ଷର ନାଗରିକ ଓ ରାମଭକ୍ତମାନେ ‘ଅଯୋଧ୍ୟା ‘ଅକ୍ଷତ ବଣ୍ଟନ ଯାତ୍ରା’ରେ ସାମିଲ ହେଉଛନ୍ତି । ଦେଶ ବିଦେଶରେ ନାହିଁ ନଥିବା ଉତ୍ସାହ ଦେଖାଯାଇଛି । ‘ରାମନାମ’ର ଉଚ୍ଚାରଣ ଓ ହନୁମାନ ଚାଳିଶା ପାଠରେ ସବୁଠି ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ତିଆରି କରିଛି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ଯେତେବେଳେ ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଭବ୍ୟ କରିବା ପାଇଁ ଏକାଠି ହୋଇଛେ, ସେହି ସମୟରେ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସବୁ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ତାଙ୍କ ଆହ୍ୱାନ କ୍ରମେ ଆମେ ଆମର ଆଖପାଖ ଦେବାଳୟ ଓ ତୀର୍ଥସ୍ଥାନକୁ ସ୍ୱଚ୍ଛ ଓ ପବିତ୍ର ରଖିବା । ସେ ସବୁର ଫଟୋ ଓ ଭିଡ଼ିଓକୁ ନିଜ ସାମାଜିକ ଗଣମାଧ୍ୟମରେ #SwachhTeerthCampaign ହ୍ୟାସ ଟ୍ୟାଗ ବ୍ୟବହାର କରି ଅପଲୋଡ୍ କରିବା । ଅନ୍ୟମାନଙ୍କୁ ଏହି ସେବାକାର୍ଯ୍ୟ କରିବା ପାଇଁ ପ୍ରେରିତ କରିବା । ସ୍ୱଚ୍ଛତା ଶ୍ରମଦାନ ଜରିଆରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ସମର୍ପଣ ହେବା । ଜାନୁଆରୀ ୨୨ ତାରିଖରେ ସବୁଠି ଦୀପ ଜାଳି ଦିନଟିକୁ ‘ଦୀପାବଳି ଉତ୍ସବ’ ଭାବରେ ପାଳନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here