ଜଣେ ଭଡ଼ାଟିଆ ନେତା ନିଜ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟବହାର କରୁଛନ୍ତି, ଧର୍ମେନ୍ଦ୍ର ପ୍ରଧାନ

0
72

By Our Correspondent

SAMBALPUR/BHUBANESWAR:   ଆମର ଏଠାରେ ବିଧାୟକ ଓ ସାଂସଦ ହେବାର ସ୍ୱପ୍ନ  ନାହିଁ । ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ନାହିଁ । ସାଢେ ୪ କୋଟି ଲୋକଙ୍କ ଜୀବନ ଧାରଣର ମାନ କିପରି ଉନ୍ନତ ହେବ, ତାହା ଆମର ମୁଖ୍ୟ ସ୍ୱପ୍ନ ବୋଲି ସୋମବାର ସମ୍ବଲପୁରରେ ଆୟୋଜିତ ମିଶ୍ରଣ ପର୍ବରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଚଳଚଞ୍ଚଳ ଅବସ୍ଥାରେ ନାହାନ୍ତି । ଜଣେ ଭଡ଼ାଟିଆ ନିଜ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ବ୍ୟବହାର କରୁଛନ୍ତି । ଆଜିର ମୂଳ ପ୍ରଶ୍ନ ହେଉଛି ଓଡ଼ିଶାର ନେତୃତ୍ୱ କିଏ ନେବ ? ଓଡ଼ିଆ ଲୋକ ନେବ ନା ବାହାରର ନେତା । ମୂଳ ପ୍ରସଙ୍ଗ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଓଡ଼ିଆଙ୍କ ଭବିଷ୍ୟତ । ପ୍ରଧାନମନ୍ତ୍ରୀ ଏହିକଥା କହିବା କାରଣରୁ ଗୁମାସ୍ତା ତାଙ୍କୁ ଗାଳି ଓ ଅପମାନିତ କରୁଛି ।

ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ । ଜୁନ୍ ୧୦ରେ ରାଜ୍ୟରେ ବିଜେପି ସରକାର ହେବ । ମୋଦୀ ଯାହା କହନ୍ତି ତାହା କରନ୍ତି । ଏହା ସମସ୍ତଙ୍କୁ ଜଣା । ଖାଲି ଭଡ଼ାଟିଆ ଜାଣିପାରୁନି । ପ୍ଲେନରେ ଭିଡିଓ କରି ଦିବାସ୍ୱପ୍ନ ବୋଲି କହୁଛନ୍ତି । ଅପରପକ୍ଷରେ ଓଡ଼ିଶାବାସୀଙ୍କୁ ସୁବିଧା ଦେବା ପାଇଁ ବିଜେପି ପାଖରେ ସ୍ୱପ୍ନ ଅଛି । ଓଡ଼ିଶାରେ ପାନୀୟ, ଜଳସେଚନ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ରୋଜଗାର ଦେବା ପାଇଁ ବିଜେପି ଆଖିରେ ସ୍ୱପ୍ନ ଅଛି ।

ଯେଉଁମାନେ ସରକାର ଦାୟିତ୍ୱରେ ଅଛନ୍ତି ସେମାନେ ବ୍ୟାପକ ଓଡ଼ିଶା ବିରୋଧୀ କାମରେ ଲିପ୍ତ ଥିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି । ଆଜି ପଞ୍ଚାୟତିରାଜ ବ୍ୟବସ୍ଥା ଧ୍ୱସ୍ତ । ନାମକୁ ମାତ୍ର କ୍ଷମତା ଦିଆଯାଇଛି । ଶିକ୍ଷକମାନଙ୍କର ତଣ୍ଟି ଚିପା ଯାଉଛି । ନାଚ, ଗୀତ ପାଇଁ ପଇସା ଅଛି । କିନ୍ତୁ ଶିକ୍ଷା ବ୍ୟବସ୍ଥାକୁ ଦୃଢ କରିବା ପାଇଁ ଟଙ୍କା ନାହିଁ । ଡାକ୍ତର ନାହାନ୍ତି । ରୋଜଗାର ନାହିଁ । ୨୪ ବର୍ଷ ଯେଉଁମାନଙ୍କ ହାତରେ ଶାସନ ରହିଲା, ସେମାନଙ୍କ ଶାସନରେ  ୬୦ ପ୍ରତିଶତ ଶିଶୁ ଓ ୬୬ ପ୍ରତିଶତ ମହିଳାଙ୍କ ଦେହରେ ରକ୍ତହୀନତା ଦେଖାଯାଇଛି । ଗୁମାସ୍ତା କହୁଛନ୍ତି ଆମେ କଥା କହୁନାହିଁ, କାମ କରୁଛୁ ।

ଏହା କଣ କରିବାର ନମୁନା ?  ଓଡ଼ିଶା ଏବେ ପରିବର୍ତ୍ତନ ମୁହାଁ । ବିଜେଡି ପାଖରେ କିଛି ପ୍ରସଙ୍ଗ ନାହିଁ । ମୂଳ ପ୍ରଶ୍ନର ଉତ୍ତର ଦେଉନାହାନ୍ତି । କିଛି ଅଣଓଡ଼ିଆ ଅଧିକାରୀ ଓଡ଼ିଶାର ଗଣତନ୍ତ୍ରକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଲୋକଙ୍କ ତଣ୍ଟି  ଚିପି, ଲୁଟ୍ କରି ଅମାପ ଧନ ରଖିଥିବା ଶାସକ ଦଳର ନେତାମାନେ ଖର୍ଚ୍ଚ କରି ଲୋକଙ୍କ ମତ ବଦଳାଇଦେବେ ବୋଲି ଭାବୁଛନ୍ତି । ବିଜେପି ଏହି କାମକୁ କେବେ ହେଲେ କରାଇ ଦେବ ନାହିଁ ବୋଲି ସେ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ଅନେକ ଯୁବବର୍ଗ ବିଜେପିରେ ସାମିଲ ହୋଇଥିଲେ । ସବୁବେଳେ ଏକ ହୋଇ କାମ କରିବା ସହ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here