କ୍ରୀତଦାସ ନୁହେଁ, ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱାଧୀନତାରେ ଅଛି ମୋର ଅଗାଢ ବିଶ୍ୱାସ – ଧର୍ମେନ୍ଦ୍ର ପ୍ରଧାନ

0
62

By Our Correspondent

ANGUL/BHUBANESWAR:  ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି । ମୋର କିନ୍ତୁ କ୍ରୀତଦାସ ହେବାର ପସନ୍ଦ ନାହିଁ । ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱାଧୀନତାରେ ମୋର ଅଗାଢ ବିଶ୍ୱାସ ଅଛି ବୋଲି ଶୁକ୍ରବାର ଅନୁଗୋଳ ଓ ଛେଣ୍ଡିପଦାରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ଶୋଭାଯାତ୍ରା କରିବା ସହ ଦଳ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ତାଙ୍କ ଉପସ୍ଥିତିରେ  ବିଜେଡି ନେତା ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଅଶୋକ ପ୍ରଧାନଙ୍କ ସହ ୨ ହଜାରରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ଓ ସମର୍ଥକମାନେ ଦଳରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ ନେତୃତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତି ଉପରେ ଭରସା କରି ଦଳରେ ଯୋଗ ଦେଇଥିବାରୁ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇବା ସହ ଏହି ମିଶ୍ରଣ ପର୍ବ ଅନୁଗୋଳ ସମେତ ଓଡ଼ିଶାରେ ‘ବିଜେପିର ବିଜୟ ସଂକଳ୍ପ’ ଯାତ୍ରାକୁ ସୁଦୃଢ଼ କରିବ ବୋଲି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗତ ୨୫ ବର୍ଷର ଶାସନରେ ଶାସନରେ ଓଡ଼ିଶାର ବିକାଶ ଅପରିବର୍ତ୍ତିତ ରହିଛି । ଓଡ଼ିଶା ଯେଉଁ ମାତ୍ରାରେ ବିକାଶ ହେବା କଥା ସେହି ମାତ୍ରାରେ ହୋଇନାହିଁ । ଏଥିପାଇଁ ଏଠାକାର ଅପାରଗ ସରକାର ଦାୟୀ । ଓଡ଼ିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥରେ ଦରମା ପାଉଥିବା କିଛି ଅସାଧୁ ଅଣଓଡ଼ିଆ କର୍ମଚାରୀ ଆଜି ଓଡ଼ିଶାକୁ ଲୁଟ୍ କରିବା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି । ଏଥର ନିର୍ବାଚନ ଓଡ଼ିଶାକୁ ଲୁଟ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହେବ । କ୍ରୀତଦାସ ବନାମ ସ୍ୱାଭିମାନର ନିର୍ବାଚନ ହେବ । ଓଡ଼ିଆ ଅସ୍ମିତା ପାଇଁ ନିର୍ବାଚନ ହେବ ।

ବିଜେଡି ସରକାରରେ ରାଜନୈତିକ ଲୋକମାନେ ଅଣଦେଖା ହୋଇଛନ୍ତି । ଏହାର ଉତ୍ତର ଶାସକ ଦଳ ପାଖରେ ନାହିଁ । ଓଲଟା ଆମେ ବିକାଶ କରିଛୁ ବୋଲି ଗାଲୁ ମାରୁଛନ୍ତି । ଗାଁ ଗଣ୍ଡାରେ ପିଇବା ପାଣି ନାହିଁ । ଜଳସେଚନ ବ୍ୟବସ୍ଥା ନାହିଁ । ସ୍କୁଲରେ ଶିକ୍ଷକ ନାହାନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । କାମ ପାଇଁ ଲୋକମାନେ ବାହାରକୁ ଯାଉଛନ୍ତି । ମଦ ନିଶା କାରବାର ବଢୁଛି । ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି ।  ଏହା କ’ଣ ବିକାଶ କି ?  କେଉଁଥିରେ ଏମାନେ ୧ ନମ୍ବର ହେବାର ମିଛ ଡିଣ୍ଡିମ ପିଟୁଛନ୍ତି । ଓଡ଼ିଆଙ୍କୁ ଲୁଟ୍ କରିବାରେ ଏମାନେ ୧ ନମ୍ବର । ଓଡ଼ିଶାର ପଇସାକୁ ପକେଟମାର କରିବାରେ ୧ ନମ୍ବର ହୋଇଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ବିଜେପିର ସରକାର କରିବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଅତୁଟ ସମର୍ଥନ ବଢିବାର ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତବର୍ଷରେ ବିକାଶର ଗଙ୍ଗା ପ୍ରବାହିତ ହୋଇଛି । ଓଡ଼ିଶାରେ ମଧ୍ୟ ମୋଦୀ ଲହର ଦେଖାଯାଇଛି । ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିଜେପି ସରକାର କରିବ । ଓଡ଼ିଶାର ଭାଷା, ସଂସ୍କୃତି ଓ ସାହିତ୍ୟର ଗୌରବ ବଢାଇବା ପାଇଁ ଭୋଟ୍ ଦେବା ପାଇଁ ସମବେତ ଜନସାଧାରଣଙ୍କୁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଥିଲେ ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦାରେ ଆୟୋଜିତ ମିଶ୍ରଣ ପର୍ବ ପରେ ସେଠାରେ ମାଆ ଭଉଣୀ ମାନଙ୍କୁ ଖାଦ୍ୟ ପରଷିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏପରି ବ୍ୟବହାର ତାଙ୍କର ସରଳ ଓ ଅମାୟିକ ସ୍ୱଭାବକୁ ଦର୍ଶାଇଛି । ଏହା ଦ୍ୱାରା ସେ ଲୋକମାନଙ୍କର ବିଶେଷ ଭାବେ ମାଆ ଭଉଣୀ ମାନଙ୍କର ହୃଦୟ ଜିତିପାରିଛନ୍ତି । ଏହାବ୍ୟତିତ ପ୍ରଚାର ସମୟରେ ଶ୍ରୀ ପ୍ରଧାନ ରାଣୀଗୋଡା ନୀଳକଣ୍ଠେଶ୍ୱର, କୁରୁଦଳ ମା’ ବଇଞ୍ଜାରୀ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଦର୍ଶନ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here