ଓଡ଼ିଶାରେ ରାଷ୍ଟ୍ରୀୟ ରୋଜଗାର ମେଳାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ, ୨୩୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର

0
333
ଓଡ଼ିଶାରେ ରାଷ୍ଟ୍ରୀୟ ରୋଜଗାର ମେଳାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ, ୨୩୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର,

By Our Correspondent

BHUBANESWAR:  କେବଳ ରୋଜଗାରରେ ଅଟକିବା ନାହିଁ । ଦୁନିଆର ନୂଆ ନୂଆ ବିଷୟ ଜାଣିବା ସହ ଜ୍ଞାନ ଆହୋରଣ କରିବା । ସେହି ଜ୍ଞାନରୁ ସମାଜ ଏବଂ ଓଡ଼ିଶାର କଣ ଉନ୍ନତି ହେବ, ସେ ଦିଗରେ ଉଦ୍ୟମ କରିବା ପାଇଁ ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗୁରୁବାର ଭୁବନେଶ୍ୱର ଠାରେ ଓଡ଼ିଶାରେ ରାଷ୍ଟ୍ରୀୟ ରୋଜଗାର ମେଳାର ଚତୁର୍ଥ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୨୩୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ବିତରଣ କରିଥିଲେ । ସେ କହିଛନ୍ତି ଘରେ ରହି ଅଧିକ ନିଯୁକ୍ତି ସୃଷ୍ଟି କରିବା ହେଉଛି ମୋଦି ସରକାରଙ୍କ ବଡ ଯୋଜନା । ଏହି ନିଯୁକ୍ତି ପତ୍ର ଏକ ସ୍ୱାଭିମାନର ପତ୍ର-ଆତ୍ମନିର୍ଭର ହେବାର ପତ୍ର । ଏହା ଦ୍ୱାରା ଅନେକଙ୍କ ଜୀବନ ପରିବର୍ତ୍ତନ ହେବ । ଦେଶରେ କେବଳ ସରକାରୀ ଚାକିରି ନୁହେଁ ବରଂ ରୋଜଗାରର ସୁଯୋଗ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଚଳିତବର୍ଷ ବଜେଟରେ ୧୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଇଛନ୍ତି । ମୋଦି ସରକାରଙ୍କ ନୀତି କାରଣରୁ ଓଡ଼ିଶା ଖଣି ରାଜସ୍ୱ ଆକାରରେ ୫୦ ହଜାର କୋଟି ଟଙ୍କା ପାଉଛି, ଯାହାର ପ୍ରତ୍ୟକ୍ଷ ଲାଭ ଓଡ଼ିଆ ଯୁବକ ଯୁବତୀଙ୍କୁ ମିଳୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନର ମୁହୂର୍ତ୍ତ ଭାରତର ମୁହୂର୍ତ୍ତ । ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରାଇବା ପାଇଁ ପଡିବ । ଓଡ଼ିଶାର ବିକାଶରେ ହିଁ ଦେଶର ବିକାଶ ହେବ । ୨୦୩୬ରେ ଓଡ଼ିଶା ୧ ନମ୍ବର ରାଜ୍ୟ ହେବ, ଯଦି ଯୁବଶକ୍ତି ଏହାର ପ୍ରବର୍ତ୍ତକ ହେବେ । ଏହା ଦ୍ୱାରା ଉଭୟ ସମାଜ ଓ ସ୍ୱଂୟର ସ୍ୱାର୍ଥ ପୂରଣ ହେବ । ସମାଜର ବିକାଶ ପାଇଁ ବଡ଼ ଭାବିବା ସହ ବଡ଼ ସ୍ୱପ୍ନ ଦେଖିବା ପାଇଁ ପଡିବ । ଓଡ଼ିଆ ଜାତୀୟତାର ପ୍ରତୀକ ମଧୁସୂଦନ ଦାସ ଓଡ଼ିଶାରେ ଶିଳ୍ପ ବିପ୍ଲବ ନେଇ କଳ୍ପନା କରିଥିଲେ । ଉତ୍କଳ ଟାନେରୀ ନିର୍ମାଣ ସହ ପ୍ରଦେଶର ତାରକସି କାମକୁ ବିଶ୍ୱ ଦରବାରରେ ପହଞ୍ଚାଇଥିଲେ । ଏଥିପାଇଁ ତାଙ୍କୁ କୁହାଯାଇଥିଲା ଶତାବ୍ଦୀର ସୂର୍ଯ୍ୟ । ଆଜିର ସମୟରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ମହିମା ଗୋସାଇଁ ଓ ସନ୍ଥ କବି ଭୀମ ଭୋଇ, ମଧୁବାବୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଚାରକୁ ଯୋଜନା ମାଧ୍ୟମରେ ସଫଳ କ୍ରିୟାନ୍ୱୟନ କରୁଛନ୍ତି ମୋଦି ସରକାର । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଶିକ୍ଷାର ନୂଆ ପରିଭାଷା ତିଆରି ହୋଇଛି । 

ଭାରତ ଜି-୨୦ର ପ୍ରେସିଡେନ୍ସି କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବିଶ୍ୱର ଗ୍ଲୋବାଲ ସାଉଥ ନାମରେ ନାମିତ ୧୩୬ଟି ଗରିବ ରାଷ୍ଟ୍ରର ନେତୃତ୍ୱଙ୍କୁ ଏକାଠି କରିବା ସହ ଜି-୨୦ ନେଇ ସେମାନଙ୍କର ମତ ଓ ପରାମର୍ଶ ନେଲେ । ଏହାର ନାଁ ହେଲା ବସୁଧୈବ କୁଟୁମ୍ବକମ୍ । ଓଡ଼ିଶାରେ ଚଳିତ ମାସରେ ଜି ୨୦ ଶିକ୍ଷା ବିଭାଗର ଓ୍ୱାର୍କିଂ ଗ୍ରୁପ ବୈଠକ ହେବ । ଶିକ୍ଷା ସହ ବିଶ୍ୱରେ ଆଗାମୀ ୧୦୦ ବର୍ଷରେ ରୋଜଗାରର କଳ୍ପନା କଣ ହେବ ଏବଂ ଭବିଷ୍ୟତର ରୂପରେଖ କଣ ରହିବ, ତାହା ଉପରେ ଚର୍ଚ୍ଚା ଆଲୋଚନା କରାଯିବ । ବର୍ତ୍ତମାନ ସମୟରେ ଏହି ରୋଜଗାର ମେଳା ଏକ ନୂଆ ଉତପ୍ରେରକ ହେବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଆଜି ରେଳ, ଡାକ, ଅର୍ଥ ବିଭାଗ ସହ ଆଇଆଇଟି ଭୁବନେଶ୍ୱର, ଇଏସଆଇସି, ନାଲକୋ, ଟେଲିକମ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ୍, ଏନଟିପିସି, ଏମ୍ସ ଭୁବନେଶ୍ୱରରେ ଏବଂ ଜିଏସଆଇରେ ୨୩୧ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା । ନୂତନ ଜନ ସେବକ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଯୁବବର୍ଗଙ୍କୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

LEAVE A REPLY

Please enter your comment!
Please enter your name here