ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଏଥର ନିଶ୍ଚିତ ଡବଲ ଇଞ୍ଜିନ ସରକାର: ଏସସି, ଏସଟି, ଓବିସି ଓ ମହିଳା ସମାଜର ୪ ଜଣ ପ୍ରସ୍ତାବକଙ୍କ ସହ ନାମାଙ୍କନ ଭରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
59

By Our Correspondent

SAMBALPUR/BHUBANESWAR:   ସମ୍ପୂର୍ଣ୍ଣ ଓଡ଼ିଶା ମୋ ପରିବାର ଓ ସମ୍ବଲପୁର ମୋର ଘର । ଏଠାରୁ ମୁଁ ପ୍ରାର୍ଥୀ ହୋଇଛି । ଏହାର ସବୁ ସୁଃଖ ଦୁଃଖରେ ସାମିଲ ହେବି । ସମ୍ବଲପୁର ସମେତ ଓଡ଼ିଶା ମାଟିର ସେବା କରିବା ପାଇଁ ମୁଁ ସବୁବେଳେ ଆଗଭର ରହିବି ବୋଲି ଗୁରୁବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁର ସଂସଦୀୟ କ୍ଷେତ୍ରର ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଧାନ ଆଜି ଏକ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ଶ୍ରୀ ପ୍ରଧାନ ଗ୍ରୀନପାର୍କ ସ୍ଥିତ ହନୁମାନ ମନ୍ଦିର ଏବଂ ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଦର୍ଶନ କରିଥିଲେ । ସ୍ଥାନୀୟ କଳାକାରଙ୍କ ବାଦ୍ୟବାଜଣାର ତାଳେ ତାଳେ ସମର୍ଥକଙ୍କ ଗହଣରେ ମା’ ସମଲେଶ୍ୱରୀଙ୍କ ପୀଠରୁ ଶୋଭାଯାତ୍ରା ବାହାରି ରାମଜୀଗୁଡ଼ି, ବାଲିବନ୍ଧା, କୁଞ୍ଜେଲପଡ଼ା, ଝାଡ଼ୁଆପଡ଼ା, ନନ୍ଦପଡ଼ା, ଦଲେଇପଡ଼ା, ମ୍ୟୁନିସିପାଲଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା ।

ନାମାଙ୍କନ ପତ୍ର ଦାଖଲ ପାଇଁ ଆୟୋଜିତ ରୋଡ୍ ସୋ’ରେ ସମ୍ବଲପୁରର ବିଜେପି ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ରଙ୍କ ସହ ଅନ୍ୟାନ୍ୟ ବିଧାୟକ ପ୍ରାର୍ଥୀ ଏବଂ ହଜାର ହଜାର ସଂଖ୍ୟାରେ ସାଧାରଣ ନାଗରିକ, ନେତୃମଣ୍ଡଳୀ, କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ଏଥିରେ ସମ୍ବଲପୁରର କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ‘ଅବକୀ ବାର, ୪୦୦ ପାର’, ‘ଏଥର ଦରକାର ବିଜେପି ସରକାର’, ‘ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର’ ନାରା ଦେଉଥିଲେ ସମର୍ଥକ । ସମ୍ବଲପୁର ସହର ରାସ୍ତାର ଅନେକ ସ୍ଥାନରେ ଝୋଟିଚିତା ସହ ପଦ୍ମପୁଲ ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଥିଲା ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏସସି, ଏସଟି, ଓବିସି ଓ ମହିଳା ସମାଜର ୪ ଜଣ ପ୍ରସ୍ତାବକଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ ।  ନାମାଙ୍କନ ପତ୍ର ଦାଖଲ ପାଇଁ ଆୟୋଜିତ ରୋଡ୍ ସୋ’ରେ ଓଡ଼ିଆ ସମାଜ ପ୍ରତି ପ୍ରତିବଦ୍ଧତା ରଖୁଥିବା ହଜାର ହଜାର ସଂଖ୍ୟାରେ ସାଧାରଣ ନାଗରିକ, ନେତୃମଣ୍ଡଳୀ, କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ଯୋଗଦେବା ମୋର ଆତ୍ମବିଶ୍ୱାସ ବଢ଼ାଇଛି । ଚଳିତ ନିର୍ବାଚନ ନିର୍ବାଚନ ନୀତି ଓ ପ୍ରସଙ୍ଗ ଉପରେ ହେଉଛି । ଓଡ଼ିଶାର ଓ ଭାରତର ଭବିଷ୍ୟତ ପାଇଁ ନିର୍ବାଚନ ହେଉଛି । ମୁଁ  ଏହାର ନିମିତ୍ତ ମାତ୍ର । ଲୋକଙ୍କର ଆକାଂକ୍ଷା ଓ ଅପେକ୍ଷାକୁ ପୂରଣ କରିବା ସହ ସମ୍ବଲପୁରର ମାନ ମର୍ଯ୍ୟାଦାକୁ ବୈଶ୍ୱିକ ସ୍ତରକୁ ନେବା ପାଇଁ ଦାୟିତ୍ୱ ନେବି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଯେଉଁଭଳି ଭାବରେ ରାଜନୈତିକ ବାତାବରଣ ଦେଖାଯାଇଛି ଆଜିର ଶୋଭାଯାତ୍ରା ପରିବର୍ତ୍ତନର ଲକ୍ଷଣକୁ ଦର୍ଶାଉଛି । ଦୀର୍ଘ ୨୪ ବର୍ଷ  ଶାସନ ପରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସମସ୍ୟା ନେଇ ସ୍ଥାନୀୟ ସରକାର ବିରୋଧରେ ଜନ ଆକ୍ରୋଶ ଦେଖାଯାଇଛି । ଅପରପକ୍ଷରେ ମୋଦୀଙ୍କ ପ୍ରତି ଯେଉଁ ଆସ୍ଥା ହୋଇଛି, ତାହାର  ସମ୍ମିଶ୍ରଣରେ ଏକ ଭାବନାତ୍ମକ ପ୍ରତିଫଳନ ଦେଖିବାକୁ ମିଳିଛି । ନରେନ୍ଦ୍ର ମୋଦୀ ଦେଶର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ । ଓଡ଼ିଶାରେ ବିକଳ୍ପ ସରକାର ହେବ ।

ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚୟ ହେବ ।  ଓଡ଼ିଆ ଅସ୍ମିତାର ସୁରକ୍ଷା ତଥା ସ୍ୱାଭିମାନ ପାଇଁ ବିଜେପି ହାତରେ କ୍ଷମତା ଦେବାକୁ ଓଡ଼ିଆ ଲୋକେ ମନସ୍ଥ କରି ସାରିଛନ୍ତି । ମା’ ସମଲେଇଙ୍କ ଆଶୀର୍ବାଦରେ ଏଥର ବିଜେପି ସରକାର ଦେଶରେ ୪୦୦ ସିଟରୁ ଅଧିକ ଆସନ ହାସଲ କରିବା ସହ ଓଡ଼ିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଯାଉଛି । ବିକଶିତ ସମ୍ବଲପୁର, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ତଥା ଓଡ଼ିଆ ଅସ୍ମିତାର ଲଢେଇରେ ସାମିଲ ହେବା ପାଇଁ ସୁଯୋଗ ଦେଇଥିବାରୁ ସମ୍ବଲପୁରର ପ୍ରତ୍ୟେକ ଜନସାଧାରଣଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ପଦ୍ମଫୁଲରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here