By Our Correspondent
SAMBALPUR/BHUBANESWAR: ଶିକ୍ଷା ଏବଂ ଦକ୍ଷତା କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଆମ ସମାଜର ଉନ୍ନତି ପାଇଁ ମଧ୍ୟ ଆବଶ୍ୟକ ବୋଲି ଶନିବାର ଆଇଆଇଏମ ସମ୍ବଲପୁରର ନବମ ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଯୋଗେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଇଆଇଏମ ସମ୍ବଲପୁରକୁ ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ଆଗକୁ ବଢ଼ୁଥିବା ବେଳେ ସମାଜ ପ୍ରତି ଆମର ଗୁରୁ ଦାୟିତ୍ୱକୁ ସ୍ୱୀକାର କରିବା ନିହାତି ଜରୁରୀ । ସମାଜ ପ୍ରତି “କର୍ତ୍ତବ୍ୟବୋଧ” ମନୋଭାବ ରଖିବା ଜରୁରୀ । ଏହି ଧାରଣାକୁ ଛାତ୍ରଛାତ୍ରୀମାନେ ନିଜ ମନରୁ ଗ୍ରହଣ କରିବା ଆବଶ୍ୟକ । ଛାତ୍ରଛାତ୍ରୀଙ୍କ ପାଖରେ ସମାଜରେ ଓ୍ୱେଲଥ କ୍ରିଏଟର୍ ଓ ରୋଜଗାର ତିଆରି କରିବାର ଶକ୍ତି ଅଛି । କେବଳ ସୁଯୋଗ ଅନ୍ୱେଷଣ କରିବା ନାହିଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଚାକିରି ସୃଷ୍ଟି କରିବା ଦରକାର । ଏହା ଦ୍ୱାରା ଆମେ ଏକ ରାଷ୍ଟ୍ରର ବିକଶିତ କରିପାରିବା ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ଦେଶର ସାମ୍ପ୍ରତିକ ଇତିହାସର କିଛି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବିଷୟରେ ଚିନ୍ତା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଆମ ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ – ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଛି । ଆମ ଗଣତାନ୍ତ୍ରିକ ରାଷ୍ଟ୍ର ଗୁଡ଼ିକରେ ଲିଙ୍ଗଗତ ସମାନତା ହାସଲ ଦିଗରେ ଏହି ଐତିହାସିକ ଅଧିନିୟମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଦ୍ୱାରା ଆମ ସଂସଦ ଏବଂ ରାଜ୍ୟ ବିଧାନସଭାର ଗୃହରେ ଦେଶର ମହିଳାଙ୍କ ସ୍ୱର ଅଧିକ ଶାଣିତ ହେବା ସହ ସ୍ପଷ୍ଟ ହେବ । ଦେଶର ନୀତି ଓ ନିର୍ଦ୍ଦାରଣ କରିବା ପ୍ରକ୍ରିୟାରେ ମହିଳାମାନଙ୍କର ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଆଗକୁ ବଢୁଛି ଏବଂ ବିଶେଷ ଭାବରେ ବିଶ୍ୱ ପାଇଁ ଉଭା ହେଉଥିବା ଅର୍ଥବ୍ୟବସ୍ଥା ଦିଗରେ ଏକ ଆଦର୍ଶ ପାଲଟିଛି । ଜି-୨୦ ଶିଖର ସମ୍ମିଳନୀ ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ । ଏହା ବିଶ୍ୱସ୍ତରୀୟ ସହଯୋଗ ଏବଂ ଅନ୍ତର୍ଭୁକ୍ତୀକରଣ ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ । ଏହାବ୍ୟତିତ ଶିକ୍ଷା କ୍ଷେତ୍ରରେ ଆମ ଦେଶର ଲିଡରମାନେ ଜାତୀୟ ଶିକ୍ଷା ନୀତିର ପରିବର୍ତ୍ତନଶୀଳ ସମ୍ଭାବନାକୁ ସ୍ୱୀକାର କରିଛନ୍ତି । ଏହି ଶିକ୍ଷା ନୀତି ଆମର ଯୁବବର୍ଗଙ୍କ ମଧ୍ୟରେ ସାମଗ୍ରିକ ବିକାଶ, ନବସୃଜନ ଏବଂ ବୈଶ୍ୱିକ ନାଗରିକ ହେବା ଉପରେ ଗୁରୁତ୍ୱାରୋପ କରେ । ଏହା ଆମର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉଜ୍ଜ୍ୱଳ ଓ ଅଧିକ ସମାବେଶୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିବ ।
ଆଜି ସମ୍ମିଳନୀର ବିଷୟବସ୍ତୁ ହେଉଛି “ଆକ୍ସେଲେରେଟିଂ ଷ୍ଟାର୍ଟଅପ ଇକୋସିଷ୍ଟମ”। ଜାତୀୟ ଶିକ୍ଷା ନୀତି ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ଉଦ୍ଭାବନ ଏବଂ ଷ୍ଟାର୍ଟଅପ୍ ଉପରେ ଅଧିକ ଗୁରୁତ୍ୱ ଦେଇଛି । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବା ସହ ନୂଆ ଚିନ୍ତାଧାରାକୁ ପାଠ୍ୟକ୍ରମରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥାଏ । ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ସମର୍ଥନ କରିବା ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରିସର୍ଚ୍ଚ ପାର୍କ, ଇନୋଭେସନ ହବ୍ ଏବଂ ଇନକ୍ୟୁବେସନ୍ ସେଣ୍ଟର ପ୍ରତିଷ୍ଠା କରିବା ଉପରେ ଧ୍ୟାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଇଆଇଏମ୍ ସମ୍ବଲପୁର ଇଣ୍ଡିଆ ଆକ୍ସେଲେରେଟର, ସିଡବି, ଓଏନଡିସି ଏବଂ ଫ୍ଲିପକାର୍ଟ ଭଳି ସଂସ୍ଥା ସହ ଭାଗିଦାରୀ ଏବଂ ସହଯୋଗୀ ହେବା ଆନନ୍ଦର ବିଷୟ । ଏହି ଭାଗିଦାରୀ ଷ୍ଟାର୍ଟଅପ ସ୍ଥାନୀୟ ଅଞ୍ଚଳର ବୁଣାକାର ଏବଂ କାରିଗରଙ୍କ ବ୍ୟବସାୟକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଆଇଆଇଏମ୍ ସମ୍ବଲପୁରର ମୂଳ ମୂଲ୍ୟବୋଧ- ଇନୋଭେସନ୍, ଇନକ୍ଲୁସିଭନେସ୍ ଏବଂ ଇଣ୍ଟିଗ୍ରିଟି, ଏହା ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶକ ସାଜିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉ । ଶ୍ରେଷ୍ଠତା ପାଇଁ ପ୍ରୟାସ କରିବା ସହ ସମାଜରେ ଯୋଗଦାନ କରିବା ଏବଂ ସେହି ମୂଲ୍ୟବୋଧକୁ ବଜାୟ ରଖିବା ଛାତ୍ରଛାତ୍ରୀଙ୍କ ମୂଳ ଉଦ୍ଦେଶ୍ୟ ହେଉ । ଏହା ଆମ ସମସ୍ତଙ୍କୁ ୨୦୪୭ ସୁଦ୍ଧା “ବିକଶିତ ଭାରତ”ରେ ପରିଣତ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୪୭ ସୁଦ୍ଧା ବିକଶିତ ଭାରତର କଥାରେ ସହଯୋଗୀ ହେବା । ଭାରତକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଆଇଆଇଏମ୍ ସମ୍ବଲପୁରର ଭୂମିକା ରହିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।



![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-218x150.jpg)





















