ଅନୁଗୋଳ ନାଲକୋନଗରରେ ଭାରତରତ୍ନ ଡା.ଆମ୍ବେଦକରଙ୍କ ନବିକୃତ ଧାତୁ ପ୍ରତିମୂର୍ତ୍ତି ଅନାବରଣ

0
323
ଅନୁଗୋଳ ନାଲକୋନଗରରେ ଉନ୍ମୋଚିତ ଭାରତରତ୍ନ ଡକ୍ଟର ବି.ଆର ଆମ୍ବେଦକରଙ୍କ ନବିକୃତ ଧାତୁ ପ୍ରତିମୂର୍ତ୍ତି ସମସ୍ତଙ୍କୁ ଆମ୍ବେଦକରଙ୍କ ଆଦର୍ଶରେ ଲମ୍ବା ସମୟ ଧରି ପଥ ପ୍ରଦର୍ଶିତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

ANGUL/BHUBANESWAR:  ଅନୁଗୋଳ ନାଲକୋନଗରରେ ଉନ୍ମୋଚିତ ଭାରତରତ୍ନ ଡକ୍ଟର ବି.ଆର ଆମ୍ବେଦକରଙ୍କ ନବିକୃତ ଧାତୁ ପ୍ରତିମୂର୍ତ୍ତି ସମସ୍ତଙ୍କୁ ଆମ୍ବେଦକରଙ୍କ ଆଦର୍ଶରେ ଲମ୍ବା ସମୟ ଧରି ପଥ ପ୍ରଦର୍ଶିତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଭବ୍ୟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଦିନରେ ଏକ ବିଶେଷ ମହତ୍ୱ ଅଛି । ଡକ୍ଟର ଆମ୍ବେଦକର ୧୯୫୦ ମସିହାରେ ଯେଉଁ ସମ୍ବିଧାନ ପ୍ରଣୟନ କରିଥିଲେ ତାହାକୁ ୧୯୭୫ ମସିହାରେ ଆଜିର ଦିନରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ ସରକାର ଭାରତୀୟ ସମ୍ବିଧାନ ଉପରେ ଅଂଙ୍କୁଶ ଲଗାଇ ନାଗରିକଙ୍କ ମୌଳିକ ଅଧିକାରକୁ ହନନ୍ କରିବାର ଅପଚେଷ୍ଟା କରିଥିଲେ । ଇମରଜେନସୀ,  ଭାରତୀୟ ଗଣତନ୍ତ୍ରରେ କଳାଫର୍ଦ୍ଦ ।

ଏହି ଜରୁରୀକାଳୀନ ପରିସ୍ଥିତିକୁ ନେଇ ପରେ ବ୍ୟାପକ ଜନଜାଗରଣ ହେବା ପରେ ୧୯୭୭ରେ ଇମରଜେନ୍ସ ହଟାଗଲା ଓ ଦେଶରେ ଲୋକଶାସନ ପ୍ରତିଷ୍ଠା ହେଲା । ଲୋକତନ୍ତ୍ରରେ ଲୋକମାନଙ୍କ ନିଷ୍ପତି ଓ ସମ୍ବିଧାନର ବ୍ୟବସ୍ଥା ଠାରୁ କେହି ଉର୍ଦ୍ଧ୍ୱରେ ନୁହଁନ୍ତି । ଆଜି ଭଳି ଦିନରେ ନାଲକୋ ନଗରରେ ସେହି ଡକ୍ଟର ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସୌଭାଗ୍ୟର ବିଷୟ । ଏହି ପ୍ରତିମୂର୍ତ୍ତି ଆମ୍ବେଦକରଙ୍କ ବିଚାର ଓ ମୂଲ୍ୟବୋଧରେ ବ୍ରତୀ ହେବା ପାଇଁ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ପ୍ରେରିତ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଡକ୍ଟର ଆମ୍ବେଦକର ଥିଲେ ଜଣେ ଜନନାୟକ । ଆମ ପବିତ୍ର ସମ୍ବିଧାନର ପ୍ରଣେତା । ଆଜି ସେହି ଜନନାୟକଙ୍କୁ ଆମ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥୋଚିତ ସମ୍ମାନ ଦେଇଛନ୍ତି । ଆମ୍ବେଦକରଙ୍କ ଜନସ୍ଥାନ ଇନ୍ଦୋରର ମହୁ ବା ବର୍ତ୍ତମାନର ଡା. ଆମ୍ବେଦକର ନଗର ଠାରୁ ଆରମ୍ଭ କରି ଦିଲ୍ଲୀରେ ଆମ୍ବେଦକର ଭବନ ଓ  ଲଣ୍ଡନରେ ତାଙ୍କର ଛାତ୍ର ତଥା କର୍ମଜୀବନର ସ୍ମୃତିକୁ ପୁନରୁଦ୍ଧାର ଓ ପୁନର୍ଜୀବିତ କରିଛନ୍ତି।  ଭାରତ ସରକାର ୨୬ ନଭେମ୍ବରକୁ ‘ସମ୍ବିଧାନ ଦିବସ’ ଭାବେ ଘୋଷଣା କରିଛନ୍ତି । ବାବାସାହେବଙ୍କ ଜନ୍ମଦିନ, ଏପ୍ରିଲ ୧୪ ତାରିଖକୁ ମୋଦି ସରକାର ସାରା ଦେଶରେ ଭାରତରେ ସରକାରୀ ଛୁଟି ଦିନ ଭାବରେ ଘୋଷଣା କରିଛନ୍ତି, ଯାହା ଏହି ମହାନ ନେତାଙ୍କ ପ୍ରତି ଆମ ଦେଶର ଶ୍ରଦ୍ଧା ଓ ସମ୍ମାନର ଏକ ସ୍ପଷ୍ଟ ପ୍ରତିଫଳନ ।

ଆମ୍ବେଦକର ବହୁତ ପୂର୍ବରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା ଓ ଗରିବଙ୍କ ସଶକ୍ତିକରଣ ପାଇଁ କଳ୍ପନା କରିଥିଲେ । ଆଜି ସେହି ପ୍ରଧାନମନ୍ତ୍ରୀ ଶାସନ ଭାର ନେବା ପରେ ସଂସଦର ମୁଖଶାଳାରେ ପ୍ରଣାମ କରି ଭିତରକୁ ପ୍ରବେଶ କରିଥିଲେ ଏବଂ କହିଥିଲେ ମୋ ସରକାରର ଏକମାତ୍ର ଭଗବାନ ସମ୍ବିଧାନ । ସମ୍ବିଧାନ ଆଧାରିତ ଶାସନ ପ୍ରଣାଳି ଚଲାଇବା ପାଇଁ ସେ ଘୋଷଣା କରିଥିଲେ । ମୋଦିଙ୍କର ଶାସନ ପ୍ରଣାଳୀରେ ‘ସବକା ସାଥ, ସାବକା ବିକାଶ’ ମୂଳ ମନ୍ତ୍ର ହୋଇଛି । ସମସ୍ତଙ୍କୁ ସାଥୀରେ ନେଇ ଯିବାର ସମ୍ବିଧାନରେ ଯେଉଁ ବିଷୟ ଉଲ୍ଲେଖ ଅଛି ତାକୁ ବାସ୍ତବର ରୂପ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଗଣମାଧ୍ୟମର ଏକ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ କିଛି ସ୍ଥାନରେ ପ୍ରଶାସନ ତରଫରୁ ପଛୁଆ ବର୍ଗଙ୍କ ସଶକ୍ତିକରଣର ମୂଳ ମନ୍ତ୍ର ପଢାଇଥିବା  ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଜଣାଇବା ନିନ୍ଦନୀୟ । ଏପରି ହେବା ଅନୁଚିତ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here