Know what Dharmendra Pradhan said at National Maha Adhibesan of Akhil Bharatiya Gondwana Gond Mahasabha in Jharsuguda

0
428

By Our Correspondent  

JHARSUGUDA/BHUBANESWAR:  ଅତୀତରେ ଦେଶକୁ ସ୍ୱାଧୀନତା ଦେବାରେ ଗୋଁଣ୍ଡ ସମାଜର ତ୍ୟାଗ ଓ ବଳିଦାନକୁ ଭୁଲା ଯାଇପାରିବ ନାହିଁ । ଏଥିପାଇଁ ଯୁବପିଢିଙ୍କୁ ଅନୁପ୍ରାଣିତ କରିବା ପାଇଁ ଗୋଁଣ୍ଡ ସମାଜର ବୀର ସଂଗ୍ରାମୀ ଏବଂ ବୀରଙ୍ଗନାଙ୍କ ବୀରଗାଥାକୁ ଏନସିଇଆରଟି ପାଠ୍ୟକ୍ରମରେ ସାମିଲ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଗୋଁଣ୍ଡ ସମାଜର ମୁଖ୍ୟ ଦାବିକୁ ପୂରଣ କରିବା ପାଇଁ ମୋଦି ସରକାର ଯଥାସମ୍ଭବ ଦାୟିତ୍ୱ ନେବେ ବୋଲି ଏହି ଅଧିବେଶନରେ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।

ଶନିବାର ଝାରସୁଗୁଡାର କଟାପାଲି ଷ୍ଟାଡିୟମ ଠାରେ ‘ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା’ର ପଞ୍ଚଦଶ ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଆହ୍ୱାନ ଅନୁସାରେ ଆମକୁ ଭବିଷ୍ୟତର ଯୋଜନା କରିବା ପାଇଁ ପଡିବ । ଭୁବନେଶ୍ୱରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଗୋଁଣ୍ଡ ସମାଜର ଆଦି, ଅନ୍ତ, ଇତିହାସ ଓ ଭବିଷ୍ୟତ ଯୋଜନାକୁ ନେଇ ବୌଦ୍ଧିକ ସମ୍ମିଳନୀ ଆୟୋଜନ କରିବା ପାଇଁ ଯୋଜନା କରାଯିବ । ଗୋଁଣ୍ଡ ସମାଜର ଥିବା ଅପେକ୍ଷାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚାଯିବ । ସମାଜର ଥିବା ମୁଖ୍ୟ ଦାବୀକୁ ପୂରଣ କରିବା ପାଇଁ ଭାରତ ସରକାର ଯଥାସମ୍ଭବ ଦାୟିତ୍ୱ ନେବେ । ଏହାସହ ଗୋଁଣ୍ଡୱାନା ଛକକୁ ବୀର କରୁଣାକର ସିଂହ ନାଏକ ଛକ ଭାବେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଦେଶର ଅମୃତ କାଳରେ ବୀର ସୁରେନ୍ଦ୍ର ସାଏ, ଶହୀଦ କରୁଣାକର ସିଂହ ନାଏକ, ମାଧୋ ସିଂହ, ବିର୍ସା ମୁଣ୍ଡା, ଗୋଁଣ୍ଡ ସମାଜର ରାଣୀ ଦୁର୍ଗାବତୀଙ୍କ ବଳିଦାନ ଚିର ସ୍ମରଣୀୟ । ଜନଜାତି ସମାଜର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଗାଥା ଓ ଅନାଲୋଚିତ କାହାଣୀକୁ ଲୋକଲୋଚନକୁ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳିତ ହେଉଛି । ଅପରପକ୍ଷରେ ଓଡ଼ିଶାର ପଶ୍ଚିମାଞ୍ଚଳର ବୀର ସଂଗ୍ରାମୀ ମାନଙ୍କର ଅବଦାନ, ତ୍ୟାଗ, ବଳିଦାନର ଇତିହାସର ପୁନଃଲିଖନ ପାଇଁ ଯୋଜନା କରିବାକୁ ସମ୍ବଲପୁର ଆଇଆଇଏମ ଓ ଆଇସିଏଚଆରକୁ ଦାୟିତ୍ୱ ଦିଆଯାଇଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ସରକାରରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ସବୁ ଭାରତୀୟ ଭାଷାକୁ ଗୁରୁତ୍ୱ ଦିଆଯାଉଛି । ମାତୃଭାଷାରେ ଶିକ୍ଷା ଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ବିଚାରଧାରା ଏବଂ ଦକ୍ଷତା ବିକଶିତ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଗୋଁଣ୍ଡି ଭାଷା, ସାନ୍ତାଳି, ଅଲଚିକି ଭାଷା ସମେତ ଅନ୍ୟାନ୍ୟ ଜନଜାତି ଭାଇ ଭଉଣୀଙ୍କ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ  କରାଯିବ । ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗ ଏବଂ ଜନଜାତି ବିଭାଗର ମିଳିତ ସହଯୋଗରେ ବିଭିନ୍ନ ଜନଜାତି ସମ୍ପ୍ରଦାୟର ଅତି କମରେ ଏକ ହଜାର ଯୁବବର୍ଗଙ୍କୁ ଉତ୍ତମ ତାଲିମ ଦେଇ ଉଦ୍ୟମୀ କରାଯିବ ।

ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିବା ଜନଜାତି ସମାଜକୁ ସଶକ୍ତିକରଣ କରିବାରେ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀରେ ଅଧିଷ୍ଠିତ କରିଛନ୍ତି, ଯାହା ଭାରତବର୍ଷର ପ୍ରତ୍ୟେକ ନାଗରିକ, ମହିଳା, ଓଡ଼ିଆ ସମାଜ, ଜନଜାତି, ଗରିବ ଓ ନିଷ୍ପେସିତ ଲୋକ ମାନଙ୍କ ପାଇଁ ଗୌରବର ବିଷୟ । ଅନୁରୂପ ଭାବେ ଚଳିତବର୍ଷ କେନ୍ଦ୍ର ବଜେଟରେ ଜନଜାତି ସମାଜକୁ ଗୁରୁତ୍ୱ ଦିଆଯାଇଛି । ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ବିକାଶ ଦେବା ଦିଗରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନା ହୋଇଛି । ଦେଶରେ ସବୁଠୁ ଅଧିକ ୧୦୪ଟି ଏକଲବ୍ୟ ବିଦ୍ୟାଳୟ ଓଡ଼ିଶାରେ ତିଆରି ହେଉଛି । ଏହାସହ ୨୦୨୩-୨୪ କେନ୍ଦ୍ର ବଜେଟରେ ଏକଲବ୍ୟ ମଡେଲ୍ ସ୍କୁଲ୍‌ରେ ୩୮,୮୦୦ ଶିକ୍ଷକ ଓ ସହାୟକ କର୍ମଚାରୀଙ୍କୁ ନିଯୁକ୍ତି ଘୋଷଣା ହୋଇଛି । ବିଗତ ୯ ବର୍ଷରେ ଜନଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ମୋଦି ସରକାରଙ୍କ ବଡ ଉପଲବ୍ଧି । ଦେଶରେ ଜାତୀୟ ଜନଜାତି ଗବେଷଣା କେନ୍ଦ୍ର ସ୍ଥାପନା ହୋଇଛି । ଏହା ମୋଦି ସରକାରଙ୍କ ଜନଜାତି ଭାଇ ଭଉଣୀଙ୍କ ପ୍ରତି ପ୍ରତିବଦ୍ଧତା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଗୋଁଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘା ବଡ଼ଦେଓଙ୍କ ଦର୍ଶନ କରି ତାଙ୍କ ଆଶୀର୍ବାଦ ନେବା ସହ ଜଗତର କଲ୍ୟାଣ ପାଇଁ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here