BJP to Hit Streets over CM’s Studied Silence on Ex-Minister Naba Das Murder Case, says Dharmendra Pradhan

0
329

By Our Correspondent

BHUBANESWAR:  ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱକୁ ସୂଚାରୁରୂପେ ପାଳନ କରନ୍ତୁ । ଲୋକତନ୍ତ୍ରରେ ଜନମତକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ଦାୟିତ୍ୱ ମିଳିଛି, ଜାଗିର୍ ନୁହେଁ । ଆମେ ଯାହା ଚାହିଁବୁ, ତାହା କରିବୁ । ଯାହାକୁ ଚାହିଁବୁ ସେମିତି ବ୍ୟବହାର କରିବୁ, ଏପରି ହେବା ଅନୁଚିତ୍ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ପ୍ରଭାବଶାଳୀ କ୍ୟାବିନେଟ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ହୋଇଛି । ରାଜନୀତିରେ ହିଂସାର ସ୍ଥାନ ନାହିଁ । ମାତ୍ର ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ଅତି ନିକଟରୁ ହତ୍ୟା କରିବା ଏବଂ ଘଟଣାର ସପ୍ତାହେ ପରେ ବି ପୋଲିସ ଡିଜି ତଦନ୍ତ ପ୍ରକ୍ରିୟାର ପ୍ରଶ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଭରସା କରିବା କହିବା ରାଜ୍ୟବାସୀଙ୍କୁ ଚକିତ କରିଛି । ଗୃହ ବିଭାଗ ଦାୟତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନୀରବତା ଅବଲମ୍ବନ କରିବା ଏବଂ ପୋଲିସ ଡିଜି ମହାପ୍ରଭୁଙ୍କ ନାଁ ନେଇ ହତ୍ୟା ଘଟଣାରୁ ଖସିଯିବା ଭଳି ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ତଦନ୍ତରେ କମିଶନ ଆକ୍ଟରେ ସମ୍ମାନନୀୟ ନ୍ୟାୟଧୀଶଙ୍କୁ ନିଯୁକ୍ତି କରାଯାଇନାହିଁ । ତେବେ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ନେଇଥିବା ଅବସରପ୍ରାପ୍ତ ନ୍ୟାୟଧୀଶଙ୍କ ଅଧିକାର ନେଇ କୌଣସି ସ୍ପଷ୍ଟତା ନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତ ବିଶ୍ୱସନୀୟ ନଥିବା ଭଳି ରାଜ୍ୟବାସୀ ଅନୁଭବ କରୁଛନ୍ତି।

ସେହିପରି ବାଲେଶ୍ୱର ଜିଲ୍ଲାରେ ବାଲି ମାଫିଆଙ୍କୁ ଆକଟ କରିବା ବେଳେ ଉପଜିଲ୍ଲାପାଳ ଏବଂ ତାଙ୍କ ଗାଡି ଚାଳକଙ୍କ ଉପରେ ଆକ୍ରମଣ ହେବା କେଉଁ ପ୍ରକାର ଶାସନ ବ୍ୟବସ୍ଥାର ସୂଚନା ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । କହିଛନ୍ତି, ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା ଲ’ ଏନଫୋର୍ସମେଣ୍ଟ ଏଜେନ୍ସି ତା ମୂଳ କାମରେ ନଥିବା ଭଲି ମନେ ହେଉଛି । କ୍ୟାବିନେଟ୍ ମନ୍ତ୍ରୀ ଓ ଉପଜିଲ୍ଲାପାଳ ପୋଲିସ ଓ ଦୁବୃତ୍ତଙ୍କ ଶୀକାର ହେଉଛନ୍ତି, ସାଧାରଣ ଲୋକଙ୍କ କଥା ନ କହିଲେ ଭଲ । ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାର ଗତି କୁଆଡେ ? ଶାସକ ଦଳରେ ବସିଥିବା ପ୍ରଭାବଶାଳୀ ଲୋକମାନେ କ’ଣ କରୁଛନ୍ତି ? ଏଠି କୁହାଯାଉଛି ଶାସନ କିଏ ଚଲାଉଛି ? ପ୍ରତିଦିନ ରାଜ୍ୟରେ ଜାରୀ ହେଉଥିବା ନୂଆ ନୂଆ ଭିଡିଓ ରାଜ୍ୟର ଶାସନକର୍ତ୍ତା କିଏ ତାହାର ପ୍ରମାଣ ଦେଉଛି ବୋଲି ସେ କହିଛନ୍ତି ।

ରାଜ୍ୟରେ ଆଇନଶୃଙ୍ଖଳା ଓ ପୋଲିସର ନିଷ୍କ୍ରିୟତା ଉପରେ ଉଦାହରଣ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ ନେଇ ପ୍ରତିବାଦ କରିବା କାରଣରୁ ମାହାଙ୍ଗାର ଦଳୀୟ କାର୍ଯ୍ୟକର୍ତ୍ତା କୁଳମଣି ବରାଳଙ୍କ ହତ୍ୟା କରାଗଲା । ସ୍ୱର୍ଗତ ବରାଳଙ୍କ ପରିବାର ତରଫରୁ ସ୍ଥାନୀୟ ଲୋକପ୍ରତିନିଧି ତଥା ସେତେବେଳର ମନ୍ତ୍ରୀଙ୍କ ଉପରେ ସନ୍ଦେହ ପ୍ରକାଶ କରି ସ୍ଥାନୀୟ ପୋଲିସରେ ତାଙ୍କ ନାଁ ଏଫଆଇଆର ଦିଆଗଲା । ମାତ୍ର ସେହି ଏଫଆଇଆରକୁ ପୋଲିସ ରଖିଲା ନାହିଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୧ ଅଗଷ୍ଟ ୨୫ ତାରିଖରେ ସାଲେପୁରର ମାନ୍ୟବର ଜେଏମଏଫସି କୋର୍ଟଙ୍କୁ ପରିବାରର ଅଭିଯୋଗ ଅନୁସାରେ ଘଟଣାର ପୁନଃତଦନ୍ତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ ପଡିଥିଲା ।

ଦ୍ୱିତୀୟତଃ ଓଡ଼ିଶାର ଜନଜାତି ସମ୍ପ୍ରଦାୟର ଆନନ୍ଦ ଟୋପୋଙ୍କ ମୃତ୍ୟୁ ନେଇ ମଧ୍ୟ ସମାନ ଭାବେ ଗତ ଡିସେମ୍ବର ୬ ତାରିଖରେ ଓଡ଼ିଶାର ମାନ୍ୟବର ହାଇକୋର୍ଟ ପୋଲିସ କେସ ରେଜିଷ୍ଟର ନକରିବା ନେଇ କଡା ଟିପ୍ପଣୀ ଦେଇଛନ୍ତି । ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କୁ କାମରୁ ଦୂରେଇବା ପାଇଁ ନିର୍ଦ୍ଦେଶ ଦେଲେ । ଅନୁରୂପ ଭାବରେ ଓଡ଼ିଶାର ଜଣେ ଝିଅ ଶାସକ ଦଳର ଯୌନ ବ୍ୟଭିଚାରରେ ସଂଶ୍ଲିଷ୍ଟ ବିଧାୟକଙ୍କ ଉପରେ ହେଉଥିବା ନେଇ ପୋଲିସ ଥାନାରେ ଅଭିଯୋଗ କଲେ । ମାତ୍ର ପୋଲିସ ତାଙ୍କର ଅଭିଯୋଗ ପତ୍ର ନରଖିବା କାରଣରୁ ସେ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ପୋଲିସର ମନମୁତାବକ କାର୍ଯ୍ୟଶୈଳି ପାଇଁ ମାନ୍ୟବର ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା । ମାନ୍ୟବର କୋର୍ଟ ଗତ ୩ ତାରିଖରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ନେଇ ସରକାର ଗମ୍ଭୀର ନୁହଁନ୍ତି । ତଦନ୍ତର ପ୍ରାଥମିକ ପ୍ରକ୍ରିୟା ଅସାମଞ୍ଜସ୍ୟ ଭଳି ମନେ ହେଉଛି । ନୈତିକତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ତୃତୀୟ ପକ୍ଷକୁ ଦିଆଯାଉ । ଲୋକକଥାରେ ଅଛି “ତୁ ଗୁହାରୀ କରିବୁ ଯାହାକୁ, ମୁଁ ଗେରସ୍ତ କରିଛି ତାହାକୁ” । ପୋଲିସ ପ୍ରତି ମାଫିଆଙ୍କ ଡ଼ର ଛାଡି ଗଲାଣି । ପୋଲିସକୁ ରାଜନୈତିକ ହାତ ବାରିଶି କରିବାକୁ ଚେଷ୍ଟା ହେଉଛି । ଓଡିଶା ବଡ଼ ଗମ୍ଭୀର ସ୍ଥିତିରେ ଅଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଓଡ଼ିଶାର ଶାସନ ବ୍ୟବସ୍ଥା କାହା ହାତରେ ଅଛି ଏବଂ ଓଡ଼ିଶାକୁ କିଏ ଚଲାଉଛି, ତାହା ଓଡ଼ିଶାବାସୀଙ୍କ ମଧ୍ୟରେ ଗଭୀର ଆଲୋଡନ ସୃଷ୍ଟି କରିଛି । ଏନସିଆରସିବି ରିପୋର୍ଟ ଓ ଓଡ଼ିଶାର ମହିଳାଙ୍କ ଉପରେ ଥିବା ନିର୍ଯ୍ୟାତନା ନକହିଲେ ଭଲ । ନବ ଦାସଙ୍କର ହତ୍ୟାକାଣ୍ଡ, ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଏବଂ ଉପରୋକ୍ତ ତିନୋଟି ମାମଲା ଉପରେ ପୋଲିସକୁ ମାମଲା ରୁଜୁ ସହ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ମାନ୍ୟବର କୋର୍ଟଙ୍କ ହସ୍ତକ୍ଷେପ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି । ଜନଜାତି ସମ୍ପ୍ରଦାୟର ଜଣେ ବାପା କଣ ପୁଅର ମୃତ୍ୟୁ ନେଇ ଅଭିଯୋଗ କରିପାରିବ ନାହିଁ ? ଦୁର୍ନୀତି ବିରୋଧରେ ଲଢେଇ କରୁଥିବା ଲୋକର ହତ୍ୟା ପରେ ତାଙ୍କ ପରିବାର ଅଭିଯୋଗ କଲେ କ’ଣ ଏଫଆଇଆରରେ ନାଁ ଆସିବ ନାହିଁ ?  ଯୌନ ବ୍ୟଭିଚାରରେ ସଂଶ୍ଲିଷ୍ଟ ଥିବା ଶାସକ ଦଳର ପ୍ରଭାବଶାଳୀ ବିଧାୟକଙ୍କ ନାଁରେ ପୋଲିସ ଅଭିଯୋଗ ନେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଗୃହ ବିଭାଗର ମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନୀରବତା, ଅପରାଧିକ ମାମଲାରେ ରାଜ୍ୟ ପୋଲିସ ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଆମ ଦଳ ରାଜ୍ୟରେ ଜନଜାଗରଣ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here