ସାଂସଦ କିମ୍ବା ବିଧାୟକ ହେବା ପାଇଁ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଅକଥନୀୟ ପରିଶ୍ରମ କରିବା, ଧର୍ମେନ୍ଦ୍ର ପ୍ରଧାନ

0
511
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ‘ସଂଯୁକ୍ତ ମୋର୍ଚ୍ଚା’ ବୈଠକରେ ଯୋଗଦେଇ ସମସ୍ତ ମୋର୍ଚ୍ଚାର ଶକ୍ତିକୁ ଏକଜୁଟ୍ କରି ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଛନ୍ତି

By Our Correspondent
DHENKANAL/BHUBANESWAR: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ‘ସଂଯୁକ୍ତ ମୋର୍ଚ୍ଚା’ ବୈଠକରେ ଯୋଗଦେଇ ସମସ୍ତ ମୋର୍ଚ୍ଚାର ଶକ୍ତିକୁ ଏକଜୁଟ୍ କରି ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳର ୯ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରୀୟ ମହାଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି ବୈଠକରେ ମହିଳା ମୋର୍ଚ୍ଚା , ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ମୋର୍ଚ୍ଚାର ମଣ୍ଡଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବୋଦୟ ମିଶନରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ନେଇଥିବା ଦାୟିତ୍ୱକୁ ପ୍ରଭାବଶାଳୀ ଢଙ୍ଗରେ ଘରେ ଘରେ ପହଞ୍ଚାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ସମେତ ଦେଶରେ ମୋଦିବାଦକୁ ପ୍ରତିଷ୍ଠା କରିବା ପାଇଁ ପଡିବ । ମୋଦିବାଦର ଅର୍ଥ ଗରିବ, ମାଆ ଭଉଣୀ, ନୂଆପିଢିଙ୍କ ପାଖରେ ଆତ୍ମବିଶ୍ୱାସ ଜାଗ୍ରତ କରିବା । ସାଂସଦ କିମ୍ବା ବିଧାୟକ ହେବା ପାଇଁ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବା ପାଇଁ ଅକଥନୀୟ ପରିଶ୍ରମ କରିବା । ସବୁ ମୋର୍ଚ୍ଚା ମଧ୍ୟରେ ଥିବା ଉନ୍ମାଦନାକୁ ଏକ ବଡ଼ ଆନ୍ଦୋଳନରେ ପରିବର୍ତ୍ତନ କରିବା ।

ଗରିବ ଘରରୁ ଆସିଥିବା ମୋଦି ଆଜି ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ଦେଶର ସ୍ୱାଭିମାନ ଓ ଗର୍ବ ଗୌରବ । ତାଙ୍କ ନେତୃତ୍ୱରେ ଦେଶ ଶକ୍ତିଶାଳୀ ହୋଇଛି । ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱ ନେତା ଭାବେ ସ୍ୱୀକାର କରିଛି । ତାଙ୍କ ନେତୃତ୍ୱରେ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଇଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟାନ୍ନ, କୋଭିଡର ପ୍ରତିକୂଳ ପରିସ୍ଥିତିରେ ସ୍ୱଦେଶୀ ଟିକାଦାନ କାର୍ଯ୍ୟକ୍ରମ, ଖଣି ରାଜସ୍ୱକୁ ବୃଦ୍ଧି କରିବା ପାଇଁ ଖଣି ନୀତିରେ ଅଣାଯାଇଥିବା ନୂଆ ସଂସ୍କାର କାରଣରୁ ଓଡ଼ିଶା ଲାଭାନ୍ୱିତ ହୋଇଛି । ଅନୁଗୋଳ-ସୁକିନ୍ଦା ରୋଡ ମଧ୍ୟରେ ନୂଆ ଲାଇନର ଲୋକାର୍ପଣ କରାଯାଇଛି । ଏହାକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ ପରିଶ୍ରମ କରିବା ।

‘ସବ୍କା ସାଥ-ସବ୍କା ବିକାଶ-ସବ୍କା ବିଶ୍ୱାସ-ସବ୍କା ପ୍ରୟାସ’ର ମନ୍ତ୍ର ଦେଶର ବିକାଶକୁ ଗତିଶୀଳ କରୁଛି । ବ୍ୟାଙ୍କରେ ଗରିବଙ୍କୁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା ହୋଇଛି । ପୂର୍ବରୁ କେନ୍ଦ୍ରରୁ ୧ ଟଙ୍କା ଆସୁଥିବା ବେଳେ ହିତାଧିକାରୀଙ୍କ ପାଖକୁ ୧୫ ପଇସା ଆସୁଥିଲା । ମୋଦି ସରକାରରେ ସିଧା ସିଧା ସମ୍ପୂର୍ଣ୍ଣ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଆସୁଛି । ଏହା ହିଁ ସେବା, ସୁଶାସନ ଓ ଜନକଲ୍ୟାଣ ।

ଅପରପକ୍ଷରେ ମୋଦି ସରକାର ପାନୀୟ ଜଳର ସୁବିଧା କରିବା ପାଇଁ ଅର୍ଥ ଦେଉଛନ୍ତି । ଏହା ସତ୍ତ୍ୱେ ଏଠାରେ ବଡ ବଡ ଠିକାଦାରଙ୍କ ପାଖରେ ବ୍ୟବସ୍ଥାରେ ଥିବା ଲୋକ ମାନେ ମୁଣ୍ଡ ବିକି ଥିବାରୁ ଢେଙ୍କାନାଳର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ପହଞ୍ଚି ପାରିନାହିଁ, ଯାହା କ୍ଷୋଭର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଓଡ଼ିଶାର ବିକାଶ ପାଇଁ ବିଜେପିକୁ ଜିତାଇବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here