By Our Correspondent
BHUBANESWAR: ଓଡିଶାବାସିଙ୍କ ସୁଖ ଦୁଃଖର ସାଥୀ ହେବା ପାଇଁ ଦୀର୍ଘ ୨୫ ବର୍ଷ ଧରି ଶାସକ ବିଜେଡିକୁ ଭୋଟ ଦେଇ ନିର୍ବାଚିତ କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହଁ ବରଂ ରାଉଣ୍ଡ ନେତା ସାଜିଛନ୍ତି । ବିଜୁ ବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଦାବୀ କରୁଥିବା ବିଜେଡିର ପୋଷ୍ଟର ଆଉ ବ୍ୟାନରରେ ଗୁମାସ୍ତାଙ୍କ ଫଟୋ ଲାଗିଛି । ବିଜେଡିର ନେତାମାନେ ଶପଥ ପାଠ କରିଥିଲେ ଓଡିଶାବାସୀଙ୍କ ସେବା କରିବେ ବୋଲି, କିନ୍ତୁ ଏବେ ସେମାନେ ମଂଚରେ ଦେଖାଯାଉନାହାନ୍ତି ।
ବିଜେଡିର ନିର୍ବାଚିତ ଜନପ୍ରତିନିଧିମାନଙ୍କ ସ୍ୱାଭୀମାନକୁ ଜଳାଞ୍ଜଳୀ ଦିଆଯାଇ ପ୍ରଶାସକରୁ ନେତା ସାଜିଥିବା ପାଣ୍ଡିଆନଙ୍କ ପାଇଁ ଟେଂଟ ବାନ୍ଧୁଛନ୍ତି ଏବଂ ମଂଚ ତଳେ ରହୁ ଚେୟାର ପକାଇବା କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏହି କାରଣରୁ ପ୍ରତିଦିନ ଶହ ଶହ ବିଜେଡିର ସ୍ୱାଭିମାନୀ ନେତା ଓ କର୍ମୀ ବିଜେପିରେ ସାମିଲ ହେଉଛନ୍ତି । ବାହାରୁ ଆମଦାନୀ ନେତା, କ୍ରୀତଦାସ ଓ ଗୁମାସ୍ତାଙ୍କ ଉପରେ ନିର୍ଭରଶୀଳ ବିଜେଡି । ତେଣୁ ବିଜେଡିକୁ ଭାଙ୍ଗିବାର ଆବଶ୍ୟକ ନାହିଁ । ବିଜେଡି ଆପେ ଆପେ ଭାଙ୍ଗି ଚୁରମାର ହୋଇଯିବ।
ବିଜେଡିକୁ ଭାଙ୍ଗିବାର ବିଜେପି ପ୍ରୟାସ କରୁଛି ବୋଲି ନେତାହୀନ ବିଜେଡିର ଦୁଇ ନମ୍ବର ନେତା ଗଣମାଧ୍ୟମରେ କହିବା ତାଙ୍କ ଅସହାୟତାକୁ ପ୍ରକାଶ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ସଖୀ କଣ୍ଡେଇ ପାଲଟିଛନ୍ତି ଏବଂ କିଛି ନିର୍ଦ୍ଧିଷ୍ଟ ଅଣଓଡିଆ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନାମରେ ଭୋଗବିଳାସ କରିବାର ଷଡଯନ୍ତ୍ର ରଚାଯାଉଛି । ବିଜେଡି ନେତା, ମନ୍ତ୍ରୀ ଓ କର୍ମୀମାନଙ୍କ ଦୟନୀୟ ପରିସ୍ଥିତିକୁ ଓଡିଶାବାସୀ ଦେଖୁଛନ୍ତି । ଓଡିଆ ଅସ୍ମିତା କଥା ଦାବି କରୁଥିବା ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଭାଷଣ ଦେବାବେଳେ ପାରଳା ମହାରାଜାଙ୍କ ନାମ ଜଣାନାହିଁ ।
ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ସୁଆଣ୍ଡୋକୁ ଯାଇ ତାଙ୍କ ନାମକୁ ମଧ୍ୟ ଭୁଲି ଗଲେ । ଶ୍ରୀ ଜଗନ୍ନାଥ ମନ୍ଦିର ସ୍ଥାପନା କରିଥିବା ରାଜା ଇନ୍ଦ୍ରଦ୍ୟୁମ୍ନ ଗର୍ବ ଓ ଅହଂକାରରୁ ବଂଚି ରହିବା ପାଇଁ ବଂଶହୀନ ରହିବାକୁ ବ୍ରହ୍ମାଙ୍କଠାରୁ ବର ମାଗିଥିଲେ । ଅନ୍ୟ ପଟେ ରାଜ୍ୟ ରାଜସ୍ୱରୁ ୪୨୦୦ କୋଟି ଟଙ୍କା ଖର୍ଚ୍ଚ କରି ୪ଟି ପାଇଖାନା ନିର୍ମାଣ କରି, ପୁରାତନ ମଠ ମନ୍ଦିର, ଐତିହ୍ୟକୁ ଧ୍ୱଂସ କରି ମୁଁ କରିଛି ବୋଲି ମୁଖ୍ୟମନ୍ତ୍ରୀ ଏବଂ ବିଜେଡି କହିବୁଲିବା ଅତ୍ୟନ୍ତ ପରିତାପର ବିଷୟ । “ଜଗନ୍ନାଥ ପ୍ରକଳ୍ପ ମହାଦୁର୍ନୀତି ଓ ଘୋଟାଲା”ର ତଦନ୍ତ କରାଯିବ।
ଭ୍ରଷ୍ଟାଚାରୀ, ଅପାରଗ ବିଜେଡି ସରକାର ସ୍ପଷ୍ଟ ଦିବାଲୋକରେ ଓଡିଶାକୁ ଦୀର୍ଘ ୨୫ବର୍ଷ ଧରି ଲୁଣ୍ଠନ କରୁଛି । ମୁଖ୍ୟମନ୍ତ୍ରୀ ନିରବ ଜଡ ସାଜିଛନ୍ତି । ଅଣଓଡିଆମାନେ ଓଡ଼ିଶାର ଜନଜୀବନକୁ ଗ୍ରାସି ଗଲେଣି । ଭୋଟରଙ୍କୁ ୫୦୦ – ୧୦୦୦ ଟଙ୍କାର ପ୍ରଲୋଭନ ଦେଖାଇ ପୁଣି ୫ବର୍ଷ ଧରି ଓଡିଶାକୁ ଲୁଣ୍ଠନ ପାଇଁ ଷଡଯନ୍ତ୍ର କରୁଛନ୍ତି ବିଜେଡି । ଏହାକୁ ଓଡ଼ିଶାବାସୀ ବୁଝିଛନ୍ତି ଓ ଏହାର ଉଚିତ ଜବାବ ଦେବେ । ବିଜେଡିର ମୂଳଦୁଆ ଭୂଷୁଡି ପଡିଲାଣି । ନିଜେ ନିଜକୁ ବୁଡାଇ ଦେଲେଣି । ବିଜେଡିର ନେତାଙ୍କ ମରୁଡି ପଡିଲାଣି ।
କେନ୍ଦ୍ରୀୟ ସହାୟତା ଓ ଅନୁଦାନ ଉପରେ ସଂପୂର୍ଣ୍ଣ ନିର୍ଭରିଶୀଳ ଓଡିଶାର ଆର୍ଥୀକ ମେରୁଦଣ୍ଡ । ମୋଦି ରାଜ୍ୟବାସୀଙ୍କୁ ମାଗଣା ଚାଉଳ ଦେଉଛନ୍ତି । ରାଜ୍ୟ ସରକାର ଚାଉଳ ବାଂଟିବା ନାମରେ ୨୭୮କୋଟି ଟଙ୍କାର ଅଖା ବ୍ୟାଗ କିଣି ମୋଦି ଚାଉଳକୁ ଲୋକଙ୍କୁ ଦେଇ ବାଃ ବାଃ ନେବାକୁ ବସିଲେ । ଏହି ଟଙ୍କାରେ ପାଖାପାଖି ୯୨ ଲକ୍ଷ କ୍ୱିଂଟାଲ ଚାଉଳ ବଂଟନ ସମ୍ଭବ ହୋଇଥାନ୍ତା । ଭୋଟ ରାଜନୀତି କରୁଥିବା ଶାସକ ବିଜେଡି ଅଖା ବସ୍ତା କିଣି ଦେଇ ୨୭୮କୋଟି ଟଙ୍କା ଖାଇଦେଲେ । ଏବେ ସେହି ଅଖା ବସ୍ତା ମୁମ୍ବାଇ ଓ ଅନ୍ୟାନ୍ୟ ଅଂଚଳରେ ୫୦ ଟଙ୍କାରେ ବିକ୍ରୀ ହେଉଥିବାର ଦୃଶ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେପି ସରକାର ଆସିଲେ ଅଖା ଘୋଟାଲର ବି ତଦନ୍ତ ହେବ ।
ବିଜେଡି ଜାଣିସାରିଲେଣି ଓଡ଼ିଶାର ଲୋକ ତାଙ୍କୁ ପ୍ରତ୍ୟାଖାନ କରୁଛନ୍ତି, ଏଥିଲାଗି ମୁଖ୍ୟମନ୍ତ୍ରୀ ବିଳିବିଳାଉଛନ୍ତି । ପ୍ରଶାସନିକ ଅଧିକାରୀମାନେ ନିଜ ଦାୟିତ୍ୱରୁ ଓହରି ଯାଇ ନେତା ହେବାକୁ ମନ ବଳେଇଛନ୍ତି । ପ୍ରଶାସକରୁ ନେତା ସାଜିଥିବା ବିଜେଡିର ଏହି ଗୁମାସ୍ତା ଜଣକ ସଂଘବଦ ଭାବରେ ଓଡ଼ିଶାକୁ ଖଣି, ପାଣି , ଠିକା ଚାକିରି, କଂଟ୍ରାକ୍ଟରୁ ଲୁଟିବାର ଷଡଯନ୍ତ୍ର କରୁଛନ୍ତି । ଓଡିଶାର ସବୁ ଥାଇ ବି ଓଡ଼ିଆ ଲୋକର ଦାଦନ ଖଟିବେ ବାହାର ରାଜ୍ୟକୁ ଯାଉଛନ୍ତି । ମହାମାରୀ କରୋନା ସଂକଟରେ ବାହାର ରାଜ୍ୟର ଚଷମା ଦୋକାନରୁ ଶହ ଶହ କୋଟି ଟଙ୍କାର ମାସ୍କ କିଣି ମିଛ ବିଲ୍ କରି ଓଡିଶାବାସୀଙ୍କୁ ଠକିଥିବା ବିଜେଡିକୁ କେବେହେଲେ କ୍ଷମା ମିଳିବ ନାହିଁ ଏବଂ ଏହାର ଉଚିତ୍ ଜବାବ୍ ଏଥର ଓଡିଶାବାସୀ ଦେବେ । -ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି Pitamber Acharya said.