By Our Correspondent
NEW DELHI/BHUBANESWAR: ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତର ସାକ୍ଷରତା ହାରରେ ଉଲ୍ଲେଖନୀୟ ଅଗ୍ରଗତି ତଥା ମହିଳା ସାକ୍ଷରତା ବୃଦ୍ଧି ହେତୁ ୨୦୨୩-୨୪ ବର୍ଷରେ ଭାରତର ଗ୍ରାମୀଣ ସାକ୍ଷରତା ହାର ଯଥେଷ୍ଟ ବୃଦ୍ଧି ପାଇ ୭୭.୫ ପ୍ରତିଶତରେ ପହଞ୍ଚିଛି । ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସ୍କାରମୂଳକ ପଦକ୍ଷେପ ଓ ଉଦ୍ୟମକୁ ଶ୍ରେୟ ଦେଇଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଶାସନରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଛାତ୍ରଛାତ୍ରୀମାନଙ୍କୁ ସବୁବେଳେ ଗୁଣାତ୍ମକ ଶିକ୍ଷାର ସନ୍ଧାନରେ ରହିବାକୁ ପଡୁଥିଲା । ଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି ହେଉଥିଲା । ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକ କିଛି ପ୍ରମୁଖ ଲୋକଙ୍କ ନିୟନ୍ତ୍ରଣରେ ରହୁଥିଲା। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏହି କ୍ଷେତ୍ରରେ ଅନେକ ସୁଧାର ଆସିଛି । ଗ୍ରାମୀଣ ସାକ୍ଷରତା ୨୦୧୧ରେ ୬୭.୭୭% ଥିବାବେଳେ ୨୦୨୩-୨୪ରେ ଏହା ୭୭.୫% କୁ ବୃଦ୍ଧି ପାଇଛି । ସେହିପରି ମହିଳା ସାକ୍ଷରତା ୫୭.୯୩% ରୁ ୭୪.୬%କୁ ବୃଦ୍ଧି ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସ୍କାର କାରଣରୁ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରୟାସ କେବଳ ସହରାଞ୍ଚଳରେ ନୁହେଁ ବରଂ ଦେଶର କୋଣ ଅନୁକୋଣରେ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିଛି । ଏକବିଂଶ ଶତାବ୍ଦୀରେ ଶିକ୍ଷା ବିନା ଭାରତର ଉନ୍ନତି ଅସମ୍ପୂର୍ଣ୍ଣ । କେହି ଯେପରି ପଛରେ ନ ରହିଯିବେ, ସେଥିପ୍ରତି ପ୍ରଧାନମନ୍ତ୍ରୀ ବିଶେଷ ଦୃଷ୍ଟି ଦେଉଛନ୍ତି। ତାଙ୍କର ସଂସ୍କାର ଭାରତକୁ ଏପରି ଏକ ଭବିଷ୍ୟତ ଆଡ଼କୁ ନେଉଛି, ଯେଉଁଠାରେ ଶିକ୍ଷାର କୌଣସି ସୀମା ନାହିଁ।
୭୦ ବର୍ଷ ମଧ୍ୟରେ କଂଗ୍ରେସ ଦ୍ୱାରା କେବଳ ୭ଟି ଏମ୍ସ ପ୍ରତିଷ୍ଠା ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତରେ ୨୩ଟି ଏମ୍ସ ସ୍ଥାପିତ ହୋଇଛି । ୭୦୦ରୁ ଅଧିକ ମେଡିକାଲ କଲେଜ, ୫୦ ହଜାରରୁ ଅଧିକ କଲେଜ ରହିଛି । ଏମବିବିଏସ ଓ ଆଇଆଇଟି ସିଟ୍ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଏହି ସଂଖ୍ୟାଗୁଡ଼ିକ ଭାରତର ଶିକ୍ଷା କ୍ଷେତ୍ରକୁ ନୂଆ ରୂପ ଦେଇଥିବା ପରିବର୍ତନମୂଳକ ସଂସ୍କାରକୁ ପ୍ରତିଫଳିତ କରୁଛି । ଶିକ୍ଷା ସଂସ୍କାରରେ ବୈଷୟିକ ଜ୍ଞାନକୌଶଳ ଓ ଉଦ୍ଭାବନର ଭୂମିକାକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଦୁର୍ଗମ ଅଂଚଳରେ ଶିକ୍ଷା ସ୍ଥିତି ବହୁତ ଗମ୍ଭୀର ଥିଲା ।
କଂଗ୍ରେସ ସରକାର ସେହି ଅଞ୍ଚଳରେ ଶିକ୍ଷାର ସ୍ଥିତିକୁ ସୁଧାରିବା ପାଇଁ କୌଣସି ପ୍ରକାର ବିହିତ ପଦକ୍ଷେପ ନେଇନଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଡିଜିଟାଲ ଇଣ୍ଡିଆ ମିଶନ, ନୂତନ ଶିକ୍ଷା ନୀତି, ବେଟି ବଚାଓ ବେଟି ପଢ଼ାଓ ଯୋଜନା, ପିଏମ ଶ୍ରୀ ଯୋଜନା, ବିଦ୍ୟାଲକ୍ଷ୍ମୀ ଯୋଜନା ଏବଂ ଉଲ୍ଲାସ ଯୋଜନା ଭଳି ପଦକ୍ଷେପ ଶିକ୍ଷା ଓ ଦକ୍ଷତା ବିକାଶକୁ ଏକ ନୂଆ ଉଚ୍ଚତାକୁ ନେଇଛି ।
୨୦୧୫ରେ ଆରମ୍ଭ ହୋଇଥିବା ‘ଡିଜିଟାଲ ଇଣ୍ଡିଆ ମିଶନ’ ସ୍କୁଲଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରିଛି । ସାରା ଦେଶରେ ଡିଜିଟାଲ ଭିତ୍ତିଭୂମି, ଇଣ୍ଟରନେଟ୍ ସଂଯୋଗ ଏବଂ ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ବୃଦ୍ଧି ପାଇଁ ଅନେକ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି । ଇତିମଧ୍ୟରେ ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା କେବଳ ଶିକ୍ଷାରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରୁନାହିଁ ବରଂ ଜନ୍ମ ସମୟରେ ଜାତୀୟ ଲିଙ୍ଗ ଅନୁପାତରେ ମଧ୍ୟ ଯଥେଷ୍ଟ ଉନ୍ନତି ଆଣିଛି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ‘ନୂତନ ଶିକ୍ଷାନୀତି’ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଉଲ୍ଲାସ କାର୍ଯ୍ୟକ୍ରମ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହା ଏକ ନିଆରା ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ୧୫ ବର୍ଷ ରୁ ଅଧିକ ଯୁବକ ଯୁବତୀଙ୍କୁ ସେମାନଙ୍କ ପାଠପଢା ଶେଷ କରିବା ପାଇଁ ଏକ ଭଲ ସୁଯୋଗ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମ ପାଇଁ ୧୦୩୭ କୋଟି ଟଙ୍କାରୁ ଅଧିକ ଆର୍ଥିକ ଆବଣ୍ଟନ ହୋଇଥିବା ବେଳେ ୨ କୋଟିରୁ ଅଧିକ ଶିକ୍ଷାର୍ଥୀ ଏଥିରେ ସାମିଲ ହୋଇସାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପଦକ୍ଷେପ କିଶୋର କିଶୋରୀଙ୍କ ଶିକ୍ଷାର ପରିଭାଷାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ।
“ଚଳିତବର୍ଷ ବଜେଟରେ ଶିଶୁମାନଙ୍କ ପାଇଁ ପିଏମ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମର ମଧ୍ୟ ଘୋଷଣା କରାଯାଇଛି । ତେଣୁ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଶିକ୍ଷା କିମ୍ବା ଦକ୍ଷତା ବିଷୟରେ ଚିନ୍ତା କରୁନାହାଁନ୍ତି ବରଂ ରୋଜଗାର ଉପରେ ମଧ୍ୟ ଚିନ୍ତା କରୁଛନ୍ତି । ଶିକ୍ଷା କ୍ଷେତ୍ରରେ ତାଙ୍କର ଅନେକ ସଂସ୍କାରମୂଳକ ପ୍ରୟାସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସମୃଦ୍ଧ ଏବଂ ଜ୍ଞାନଭିତ୍ତିକ ଭବିଷ୍ୟତ ପାଇଁ ଏକ ମଜଭୂତ୍ ଭିତ୍ତିଭୂମି ତିଆରି କରିଛନ୍ତି । ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସଂକଳ୍ପ ନେଇ ଆମେ ଆଗକୁ ବଢ଼ୁଥିବା ବେଳେ ଏହି ଶିକ୍ଷା ସଂସ୍କାର ଆମକୁ ନୂଆ ଉର୍ଜା ପ୍ରଦାନ କରୁଛି । ଗର୍ବର ସହ ଏହି ଢାଞ୍ଚାରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।