Samrudha Odisha Observes 15th Foundation Day, Hopes to Rise to the Expectations of 4.5 Crore Odias

0
749
Samrudha Odisha President Dr Jatish Chandra Mohanty speaking to media in Bhubaneswar on Sunday on occasion of 15th Foundation Day.

By Our Correspondent

BHUBANESWAR: ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଦିବସ ଅବସରରେ ସମୃଦ୍ଧ ଓଡ଼ିଶା ଦଳ ତରଫରୁ ୧୫ ତମ ପ୍ରତିଷ୍ଠା ଦିବସ ଓ ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଯାଇଛି । ଜଷ୍ଟିସ ଉମା ଚରଣ ମିଶ୍ରଙ୍କ ସଭାପତିତ୍ୱରେ ସମୃଦ୍ଧ ଓଡ଼ିଶା ଦଳର ବାଏ-ଲ ଅନୁସାରେ ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଥିଲା । ଏହି ଅବସରରେ ସାଧାରଣ ପରିଷଦର ସମସ୍ତ ସଦସ୍ୟ ସଦସ୍ୟାମାନେ ଦଳର ପ୍ରତିଷ୍ଠାତା ଓ ପୂର୍ବ ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତିଙ୍କୁ ପୁନଃ ଦଳର ସଭାପତି ପଦ ନିମନ୍ତେ ନିର୍ବାଚିତ କରି ସମୃଦ୍ଧ ଓଡ଼ିଶା ଦଳର ନେତୃତ୍ୱ ନେବା ପାଇଁ ଘୋଷଣା କରିଥିଲେ ।

ନବନିର୍ବାଚିତ ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ସାଧାରଣ ପରିଷଦ ସଦସ୍ୟମାନଙ୍କୁ ସାଧୁବାଦ ଦେବା ସହ ରାଜ୍ୟ କାର୍ଯ୍ୟକାରିଣୀକୁ ଶିକ୍ଷାବିତ୍ ମନୋରଂଜନ ଦାସ, ନନ୍ଦ ହାଂସଦା, ସନ୍ଦୀପ ବାଗ, ନିରାକାର ବେଉରା, ଶରତ ଜେନା, ପରେଶ ଭଞ୍ଜ, ଆରିଫ ଖାନ୍‌, ସନ୍ତୋଷ ମଲ୍ଲିକ, ମୀନାକ୍ଷୀ ଦାସ, ମନୀଷା ପଣ୍ଡା, ଆଡଭୋକେଟ ସୁଶାନ୍ତ ମହାପାତ୍ର, ଅନାମ ବାବା, ପ୍ରକାଶ ବିଶ୍ୱାଳ, ମାନସ ଦାସ ପ୍ରମୁଖଙ୍କୁ ମନୋନୀତ କରିଥିଲେ ।

କ୍ରମାଗତ ଶାସନରେ ଥିବା ବିଜେଡି ସରକାର ରାଜ୍ୟର ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି କ୍ଷୋଭ ପ୍ରକାଶ କରିଥିଲେ । କୃଷକ ମାନଙ୍କ ଉତ୍ପାଦନ ବୃଦ୍ଧିରେ ସଂପୂର୍ଣ୍ଣ ବିଫଳ ହେବା, ମହିଳା ମାନଙ୍କୁ ସୁରକ୍ଷା ଓ ସମ୍ମାନ ଦେଇ ନପାରିବା, ଅନୁସୂଚୀତ ଜାତି ଓ ଜନଜାତିର ଭାଇ ଭଉଣୀମାନଙ୍କୁ ଗରୀବ କରି ରଖିବାର ଯେଉଁ ଚକ୍ରାନ୍ତ ରାଜ୍ୟ ସରକାର କରୁଛନ୍ତି, ତାହାକୁ ଘୋର ବିରୋଧ କରିବା ପାଇଁ କର୍ମୀମାନଙ୍କୁ ସଭାପତି ଉଦ୍‌ବୋଧନ ଦେଇଥିଲେ । ସମଗ୍ର ରାଜ୍ୟରେ ମଦ, ଦୁର୍ନୀତି, ବେକାରୀ ଓ ଗରୀବୀକୁ ପ୍ରସାର କରୁଥିବା ସରକାରଙ୍କୁ ବରଖାସ୍ତ କରିବା ପାଇଁ ଗାଁକୁ ଯାଇ ଲୋକମାନଙ୍କୁ ଭେଟି ସରକାରଙ୍କ ବିଫଳତା ସଂପର୍କରେ ଆଲୋଚନା କରିବାକୁ ଡଃ ମହାନ୍ତି କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।

ସମୃଦ୍ଧ ଓଡ଼ିଶା ଦଳ ହିଁ ରାଜ୍ୟର ଏକମାତ୍ର ଦଳ ଯେ କି ଓଡ଼ିଶାରେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ନହେବା ଦିଗରେ କାମ କରିପାରିବ ଓ ଭବିଷ୍ୟତ ପିଢିକୁ ସୁରକ୍ଷା ଦେବ । ସମୃଦ୍ଧ ଓଡ଼ିଶା ଦଳ ସରକାର ଗଢିଲେ ପାଂଚ ବର୍ଷରେ ପ୍ରତି ପରିବାରର ସର୍ବନିମ୍ନ ରୋଜଗାର ୨୦ ହଜାର ଟଙ୍କାରୁ ଅଧିକ କରିପାରିବ । ଏହି ପ୍ରକ୍ରିୟାରେ ଏକ କୋଟି ଯୁବପିଢିଙ୍କୁ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ଦେବା ସହ ଏକ କୋଟି ଜମିରେ ଜଳସେଚନ ବ୍ୟବସ୍ଥା କରାଯିବ । ଗରିବୀ ସୀମାରେଖା ତଳେ ଥିବା ଅନୁସୂଚୀତ ଜାତି, ଜନଜାତିର ପରିବାର ଓ ପ୍ରତ୍ୟେକ ଯୁବଗୋଷ୍ଠୀ, କାରିଗର ଓ ମହିଳାମାନଙ୍କ ଦକ୍ଷତାରେ ବିକାଶ ଆଣି ସେମାନଙ୍କର ଅଭୁତପୂର୍ବ ଉନ୍ନତି ସାଧନ କରିପାରିବ ।

ଜାତି, ଧର୍ମ, ଦଳ ନିର୍ବିଶେଷରେ ଓଡ଼ିଶାର ସମସ୍ତ ପରିବାରକୁ ସମୃଦ୍ଧ ପରିବାରରେ ରୂପାନ୍ତର କରିବା ପାଇଁ ସମୃଦ୍ଧ ଓଡ଼ିଶା ଦଳ ବଦ୍ଧ ପରିକର ବୋଲି ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଦୃଢ କଣ୍ଠରେ ଘୋଷଣା କରିଥିଲେ । ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାର ଲୋକମାନଙ୍କୁ ଗରିବ ରଖି ଦୁର୍ନୀତିରେ ମାତିଥିବା ରାଜ୍ୟ ସରକାରଙ୍କୁ ବିରୋଧ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଥିବା ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ଓ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇ ସମୃଦ୍ଧ ଓଡ଼ିଶା ଦଳର ବିଚାରକୁ ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରଚାର ପ୍ରସାର କରି ସମୃଦ୍ଧ ଓଡ଼ିଶା ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ କାମ କରିବାକୁ ସାଧାରଣ ପରିଷଦ ବୈଠକରେ ଡଃ ମହାନ୍ତି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here