Chief Secretary Reviews Various Development Works of Nandankan area

0
448

By Our Correspondent

BHUBANESWAR: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନନ୍ଦନକାନନ ଗସ୍ତ କରି ସେଠାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକ ମାନଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତି ମୂଳକ କାର୍ଯକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ପ୍ରଥମେ ଚୁଡଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲ ଅଞ୍ଚଳ ବୁଲି ଦେଖିଛନ୍ତି । ଉଭୟ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନର ସଂପ୍ରସାରିତ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ଅଞ୍ଚଳରେ ବାଘ,ସିଂହ, ଭାଲୁ ଓ ତୃଣଭୋଜୀ  ଜୀବଜନ୍ତୁ ମାନଙ୍କ ପାଇଁ ସଫାରି ନିର୍ମାଣ ହେବ । ସଫାରି ମଧ୍ୟରେ ପର୍ଯ୍ୟଟକ ମାନଙ୍କ ବୁଲିବା ବ୍ୟବସ୍ଥା, ପ୍ରାଣୀ ଚିକିତ୍ସାକେନ୍ଦ୍ର ମଧ୍ୟ ରହିବ । ଏହି ସଂକ୍ରାନ୍ତୀୟ କାର୍ଯ୍ୟକୁ ତ୍ବାରନ୍ବିତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ପରେ ବଟାନିକାଲ ଗାର୍ଡେନ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ରୋପୱେକୁ ଆସନ୍ତା ଏକମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ପର୍ଯ୍ୟଟନ ଋତୁରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ନନ୍ଦନକାନନ ଆସିବା ଆଶା କରାଯାଉଥିବାରୁ ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ରୋପୱେରେ ଦୈନିକ ପ୍ରାୟ ୩ ହଜାର ପର୍ଯ୍ୟଟକ ଯିବା ଆସିବାର ବ୍ୟବସ୍ଥା କରାଯାଉଛି ।

ଏହାଦ୍ବାରା ପର୍ଯ୍ୟଟକ ମାନେ ବଟାନିକାଲ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଭାବେ  ଯିବା ଆସିବା କରିପାରିବେ ।   ସେହିଭଳି ୯ କୋଟି ଟଙ୍କା ବିନିମୟରେ ବଟାନିକାଲ ଗାର୍ଡେନ ମଧ୍ୟସ୍ଥ କିଆକଣି ହ୍ରଦର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ହ୍ରଦରେ ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ନିମନ୍ତେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ ।  ବଟାନିକାଲ ଗାର୍ଡେନ ସମ୍ମୁଖ  ଗେଟ ନିର୍ମାଣ, ସଂଲଗ୍ନ ରାସ୍ତା, ଶୌଚାଳୟ, ପାଦଚଲା ରାସ୍ତା ନିର୍ମାଣ ସଂପର୍କରେ ଅବଗତ ହେବା ସହ ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହାପରେ ପ୍ରାଣୀ ଉଦ୍ୟାନରେ ଥିବା ଟୟଟ୍ରେନ, ପ୍ରସ୍ଥାନ ସ୍ଥାନର ନିର୍ମାଣ କାର୍ଯ୍ୟ, ପର୍ଯ୍ୟଟନ ସହାୟତା କେନ୍ଦ୍ର ମଧ୍ୟ ବୁଲି ଦେଖିଥିଲେ । ବହୁତଳ ଓ ବସ ପାର୍କିଂ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଥିଲେ । ନନ୍ଦନକାନନର ଆଧୁନିକିକରଣ ନିମନ୍ତେ ଖୁବଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶକଙ୍କୁ ସେ ପରାମର୍ଶ ଦେଇଛନ୍ତି । ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ଆଧୁନିକୀକରଣ ଶେଷ ହେବା ନେଇ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଏହି ଅବସରରେ ନନ୍ଦନକାନନ ନିର୍ଦ୍ଦେଶକ ଡଃ ମନୋଜ ଭି. ନାୟାର, ଉପନିର୍ଦ୍ଦେଶକ ଡଃ ସଞ୍ଜିତ କୁମାର, ଖୋରଧା ଜିଲ୍ଲାପାଳ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here