By Santosh Kumar Panda
BHUBANESWAR: ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ରେ “ଫେସ୍ ଅଫ୍ ଦ ଇୟର ୨୦୨୩” ଭାବେ ମନୋନୀତ ହୋଇଛନ୍ତି ଶୁଭାଙ୍ଗୀ ସାମନ୍ତ ।
ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ “ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ-୩” ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୁରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ, ସୁଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଲିତା ମହାପାତ୍ର ଏବଂ ଫେସ୍ ଅଫ୍ ଦ ଇୟର ୨୦୨୨ ଦିବ୍ୟାଂଶା ପଣ୍ଡା ।
ଏଥି ସହିତ ଅନ୍ୱେଷା ମିଶ୍ର, ଆୟୁସି ପୁନାର୍ଭି, ଭବ୍ୟାଂଶ ସତପଥି, ଦିଶାନି ଦେବାଞ୍ଜନା, ଦିବ୍ୟାଂଶୀ ପଣ୍ଡା, ମୋନାଲିସା ପ୍ରିୟଦର୍ଶିନୀ, ରାଜଶ୍ରୀ ସିଂ, ସୋନମ୍ ଦାସ ଆଦି ୮ ଜଣଙ୍କୁ “ଫେସ୍ ଅଫ୍ ଦ ମନ୍ଥ୍ ୨୦୨୩” ଭାବେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଅତିଥିମାନେ ଓଡିଶା ହସ୍ତତନ୍ତର ଆଧୁନିକୀକରଣ ସପକ୍ଷରେ ମତ ରଖି ଅବିକାର ଏଇ ପ୍ରୟାସକୁ ପ୍ରଶଂସା କରିଥିଲେ ।
‘ଅବିକା ୨୦୧୩ କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୩’ କୁ କବି, ଗୀତିକାର, ସଂଳାପକାର ବିଜୟ ମଲ୍ଲ ସଂଚାଳନ କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ ‘ଅବିକା’ର ନିର୍ଦ୍ଦେଶକ ଅବିନାଶ ସାହୁ । ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର, ଆଶିଷ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।