5G Service to bring revolutionary changes in Odisha,Says Dharmendra Pradhan

0
525

By Our Correspondent

BHUBANESWAR: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଓଡ଼ିଶାରେ ୫ଜିର କାର୍ଯ୍ୟକାରୀତା ଦ୍ୱାରା ରାଜ୍ୟରେ ନୂଆ ଯୁଗ ଆରମ୍ଭ ହୋଇଛି । ୫ଜି ଟେଲିକମ୍ ସେବା ରାଜ୍ୟ ପାଇଁ ଗେମଚେଞ୍ଜର ହେବ ଏବଂ ଓଡ଼ିଶାର ଦୂରସଂଚାର ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିପାରିବ ବୋଲି ଗୁରୁବାର ଭୁବନେଶ୍ୱର ଠାରେ ସୋଆ ବିଶ୍ୱବିଦ୍ୟାଳୟ ଠାରେ ଏହାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ରେଳ ଓ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଶ୍ରୀ ପ୍ରଧାନ ଓଡ଼ିଶାର ଗ୍ରାମୀଣ ଅଞ୍ଚଳ ମାଲକାନଗିରି, ରାୟଗଡା, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା ଓ କଳହାଣ୍ଡି ଜିଲ୍ଲାରେ ୧୦୦ଟି ୪ଜି ମୋବାଇଲ ଟାଓ୍ୱାରର ମଧ୍ୟ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ‘ମୋଦି ହୈ ତୋ ମୁମକିନ ହୈ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ନୂଆ ଭାରତ, ନୂଆ ଓଡ଼ିଶା, ପୂର୍ବଦୋୟର କଳ୍ପନା ଥିଲା, ତାହା ତୃଣମୂଳ ସ୍ତରରେ ସାକାର ହେଉଛି । ଓଡ଼ିଶାରେ ପ୍ରାଥମିକ ପର୍ଯ୍ୟାୟରେ ଏୟାରଟେଲ୍ ଇଣ୍ଡିଆ ଏବଂ ଜିଓ ଦ୍ୱାରା ୫ଜିର କାର୍ଯ୍ୟକାରୀ ହୋଇଛି । ଏହାର ଲାଭ ସାମାନ୍ୟ ଗରିବ, ଜନଜାତି, ମହିଳା, ଚାଷୀ ଓ ଯୁବବର୍ଗ ମାନଙ୍କୁ ମିଳିବ । ଏହି ବଳିଷ୍ଠ ପଦକ୍ଷେପ ଯୁବପିଢିଙ୍କ ମଧ୍ୟରେ ନୂଆ ଉଲ୍ଲାସ ଆଣିଛି ।   ଆଗାମୀ ବର୍ଷେ ପରେ ଆଇଆଇଟି, ଟେଲିକମ୍ ବିଭାଗ ଦ୍ୱାରା ନିର୍ମିତ ନିଜସ୍ୱ ୫ଜି ଟେକ୍ନୋଲୋଜିକୁ ବିଏସଏନଏଲ ଆରମ୍ଭ କରିବ ।

ସାଧାରଣ ଓଡ଼ିଶାବାସୀଙ୍କ ଜୀବନକୁ ସୁଗମ ଓ ଉନ୍ନତମାନର କରିବା ପାଇଁ ସବୁବେଳେ ପ୍ରାଥମିକତା ଦେଇ ଆସୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ପୂର୍ବରୁ ରାଜ୍ୟରେ ମୋବାଇଲ କନେକ୍ଟିଭିଟିର ସମସ୍ୟା ଥିଲା । ଏବେ ମୋଦି ସରକାରଙ୍କ ଅମଳରେ ସବୁ ପଞ୍ଚାୟତରେ ୫,୦୦୦ ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇ ଟେଲିକମ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । ରାଜ୍ୟରେ ୫,୦୦୦ ଟାଓ୍ୱାର ମୋବାଇଲ ସେବା ସଂଯୋଗ କରାଯିବା ନେଇ ଯୋଜନା ହୋଇଛି । ଭାରତ ନେଟ୍ ଦ୍ୱାରା ପ୍ରାୟ ଅଧିକାଂଶ ଗ୍ରାମକୁ  ଉଚ୍ଚ କ୍ଷମତା ବିଶିଷ୍ଟ ଅପ୍ଟିକାଲ ଫାଇଭର ସଂଯୋଗ କରାଯାଉଛି । ଆଜିର ପଦକ୍ଷେପ ଦ୍ୱାରା ରାଜ୍ୟରେ ଅନେକ ସମ୍ଭାବନା ତିଆରି ହୋଇଛି । ଏକବିଂଶ ଶତାବ୍ଦୀର ଓଡ଼ିଶାର ବୈଷୟିକ ପ୍ରଗତି ଦିଗରେ ଆଜିର ଦିନ ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମାଜର ନିମ୍ନ ଶ୍ରେଣୀରେ ଥିବା ଲୋକଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନକୁ ସୁଦୃଢ଼ ଓ ଡିଜିଟାଲ ଦୂରତ୍ୱକୁ ହ୍ରାସ କରିବାରେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ପୂର୍ବରୁ ଲୋକଙ୍କୁ କଲ୍ ଡ୍ରପର ସମ୍ମୁଖୀନ ହେବାକୁ ପଡୁଥିଲା । ଏବେ ମୋଦି ସରକାରରେ ସେକ୍ଟ୍ରମ ବିକ୍ରି ହୋଇ ପ୍ରବଳ ରାଜସ୍ୱ ଆସୁଛି । ବିଏସଏନଏଲ ପାଇଁ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭିତ୍ତିଭୂମିକୁ ସଜଡା ଯାଇଛି । ଏବେ ରାଜ୍ୟରେ ୫ଜି ସେବା ଦ୍ୱାରା ଟେଲିକମ୍ ଏବଂ ଇଣ୍ଟରନେଟ୍ ଗ୍ରାହକମାନେ ଅତି ଉନ୍ନତମାନର ସେବା ପାଇବେ । ଆମର ଅର୍ଥନୀତି ସୁଦୃଢ଼ ହେବ । ଡାକ୍ତର ମାନେ ଭୁବନେଶ୍ୱରରେ ରହି ମଧ୍ୟ ମାଲକାନଗିରି, ମୟୂରଭଞ୍ଜ ଭଳି ଦୁର୍ଗମ ଅଞ୍ଚଳରେ ଚିକିତ୍ସା ସେବା କରିପାରିବେ । ୫ଜି ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବଡ ଲାଭ ପାଇବ ।

ଇଣ୍ଟରନେଟ୍ କେବଳ ଗେମିଂ ପାଇଁ ନୁହେଁ, ଇଣ୍ଟରନେଟ ଶିକ୍ଷା, ଜ୍ଞାନ, ନବସୃଜନ ଏବଂ ବ୍ୟବସାୟ ପାଇଁ ମଧ୍ୟ । ୫ଜିର ରୋଲଆଉଟ ଦ୍ୱାରା ଦେଖାଯାଇଥିବା ସମ୍ଭାବନା ଦ୍ୱାରା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଚାକିରି ଉପରେ ନିର୍ଭରଶୀଳ ନହୋଇ ଉଦ୍ୟମୀ ହୁଅନ୍ତୁ ଏବଂ ସମାଜର ମଙ୍ଗଳ କରିବା କାର୍ଯ୍ୟରେ ଲାଗିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ସେହିପରି ଭୁବନେଶ୍ୱରରେ ଆସନ୍ତାକାଲି ଅନ୍ତରାଷ୍ଟ୍ରୀୟ କମ୍ପାନୀ ଡେଲୋଏଟର ଏକ ଗ୍ଲୋବାଲ ସେଣ୍ଟର ଲୋକାର୍ପଣ ହେବା ପୂର୍ବରୁ ଓଡ଼ିଶାରେ ୫ଜିର ଉଦଘାଟନ ହେବା ପ୍ରଶଂସନୀୟ ।  ଡେଲୋଏଟ୍ ରାଜ୍ୟର ବୌଦ୍ଧିକ ପରିସଂସ୍ଥାନ କ୍ଷେତ୍ରରେ ଏକ ବହୁତ ବଡ଼ ପଦକ୍ଷେପ ହେବ । ଆଗାମୀ ଦିନରେ ୫ଜି ଓଡ଼ିଶାର ବୌଦ୍ଧିକ କ୍ଷମତା ବିଶ୍ୱକୁ ପହଞ୍ଚିପାରିବ । ବିଶ୍ୱର ଅତ୍ୟାଧୁନିକ ପ୍ରଣାଳୀ ଓଡ଼ିଶାରେ ଗାଁରେ ପହଞ୍ଚିବ । ବାଙ୍ଗାଲୋର, ହାଇଦ୍ରାବାଦ ଓ ଗୁଡଗାଓଁକୁ ଯେଭଳି ଓଡ଼ିଆ ପିଲାମାନେ ନଯାଇ ଏଠାରେ କାର୍ଯ୍ୟ କରିବେ, ସେହି ବ୍ୟବସ୍ଥା ତିଆରି କରିବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here