2 Odia Workers Dead Body returns to native place with help from Odisha Mo Pariwar

0
484

By Our Correspondent

BHUBANESWAR: କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ଵର ଅନ୍ତର୍ଗତ ଗରାପୁର ଅଞ୍ଚଳର ୪୧ବର୍ଷିୟ ଶେଖ୍ ସାଜିଦ ଗତ ୨୦୧୮ ମସିହାରୁ ଦୁବାଇରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ ଏପ୍ରିଲ ୯ ତାରିଖରେ ହୃଦ୍-ଘାତରେ ପୀଡ଼ିତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଚିକିତ୍ସା ଚାଲିଥିବା ସମୟରେ ହିଁ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।

ଡାକ୍ତର ପୋଷ୍ଟମୋର୍ଟମ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ସଦସ୍ୟ ଏଭଳି ଦୁଃଖଦ ପରିସ୍ଥିତିରେ ଅସ୍ତବ୍ୟସ୍ତ ହୋଇପଡିଥିଲେ ଓ ହସ୍ପିଟାଲ ସମ୍ବନ୍ଧରେ ଅଜ୍ଞ ଥିବାରୁ ପୋଷ୍ଟମୋର୍ଟମ କରିବାରେ ଅସୁବିଧାର ସମ୍ମୁଖୀନ ହୋଇ ତାଙ୍କ ଗ୍ରାମର ସରପଞ୍ଚଙ୍କର ସହାୟତା ଲୋଡିଥିଲେ ।

ପରେ ସେଠାକାର ସରପଞ୍ଚଙ୍କର ପୁଅ ଶ୍ରୀ ଲୋହିତ କୁମାର ମହାନ୍ତି ଓଡ଼ିଶା ମୋ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ଓ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଶଶୀ ଭୂଷଣ ବେହେରା ମଧ୍ୟ ଏଥିପାଇଁ ସୂଚିତ କରିଥିଲେ । ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ।

ଓଡ଼ିଶା ମୋ ପରିବାର ପ୍ରତିନିଧି ତଥା ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଶ୍ରୀ ଅରୁଣ କୁମାର ପ୍ରହରାଜ, ଭାରତୀୟ ଦୂତରାଷ୍ଟ୍ର ଡଃ. ଅମନ୍ ପୁରିଙ୍କ ସହିତ ଯୋଗାଯୋଗ କରି ସଙ୍ଗେସଙ୍ଗେ ତାଙ୍କୁ ଦୁବାଇସ୍ଥିତ ଡାକ୍ତରଖାନାରେ ପୋଷ୍ଟମୋର୍ଟମ ପ୍ରକ୍ରିୟାରେ ସମସ୍ତ ସାହାଯ୍ୟ କରିବା ସହିତ ନ୍ୟାୟିକ ପ୍ରକ୍ରିୟାରେ ସଂଯୋଜନା କରି  ପାର୍ଥିବଶରୀରକୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ ।

ପାର୍ଥିବଶରୀର ଓଡ଼ିଶା ପହଞ୍ଚିବା ପରେ ଓଡ଼ିଶା ମୋ ପରିବାର ପ୍ରତିନିଧିମାନେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ସାଜିଦଙ୍କ ମୃତ ଶରୀର ତାଙ୍କ ଗ୍ରାମକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ ।

ଯେହେତୁ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ, ପରିବାରର ଭବିଷ୍ୟତକୁ ନଜରରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଶା ମୋ ପରିବାର ମାଧ୍ୟମରେ ତାଙ୍କୁ ୩୦୦୦୦/-ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହିତ ଆଗାମୀ ଦିନରେ ଜୀବିକା ନିର୍ବାହ ପାଇଁ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ମୋ ପରିବାରର ଆବାହକ ପ୍ରତିଶୃତି ଦେଇଥିଲେ ।

ଗଜପତି ଜିଲ୍ଲା ମୋହାନାର ବାସିନ୍ଦା ୩୭ ବର୍ଷ ବୟସ୍କ ସନ୍ତୋଷ ସୋଭନାୟକ, କେରଳର ଏର୍ନାକୁଲମରେ ରହି କାମ କରୁଥିଲେ । ସେଠାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ଅନୁରୋଧ କ୍ରମେ ତାଙ୍କର ମୃତ ଦେହକୁ କେରଳରୁ ଗଜପତି ଜିଲ୍ଲା ମୋହନାକୁ ବିମାନ ଯୋଗେ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ବିମାନ ବନ୍ଦରରୁ ମୋହାନାକୁ ସ୍ଥାନାନ୍ତର କରିବା ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ମୋହନା ବ୍ଲକ ଉନ୍ନୟନ ଅଧିକାରୀ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ। ଏଥିପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରା ଯାଇଥିଲା । ଆଜି ସନ୍ତୋଷଙ୍କ ମୃତଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନଙ୍କ ଉପସ୍ଥିତିରେ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ଓଡ଼ିଶା-ମୋ ପରିବାର ଦ୍ୱାରା ଏକ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇ ମୋହନା ପଠାଇଦିଆଯାଇଛି।

LEAVE A REPLY

Please enter your comment!
Please enter your name here